

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କିଭଳି ଚାଲିଛି, ଯୋଜନା ଗୁଡିକ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମନ୍ତ୍ରାଳୟର ୫ମ ସାଧାରଣ ସମୀକ୍ଷା(ସିଆରଏମ)ର ପି. ଗୁପ୍ତା ଓ ଏନ.ଆର.ଭାନୁମୁର୍ତ୍ତୀ(ଦୁଇ ଜଣିଆ) ପ୍ରତିନିଧି ଦଳ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳ ଗୁରୁବାର ଠାରୁ ଶନିବାର ଯାଏଁ ତିନିଦିନ ଧରି ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବେ ବୋଲି ସୂଚନା ମିଳିଛି । ସୂଚନା ମୁତାବକ ଗତକାଲି ପ୍ରଥମ ଦିନରେ ଏହି ଟିମ ଛତ୍ରପୁର ବ୍ଲକର ନୂଆଁପଲ୍ଲୀ ଗ୍ରାମକୁ ଗସ୍ତ କରି ସେଠାରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଦ୍ୱାରା ଗୋଲାପ ଓ ଜାର୍ବେରା ଫୁଲ ଚାଷ କାର୍ଯ୍ୟକୁ ତଦାରଖ କରି ସ୍ଥାନୀୟ ରେଳଷ୍ଟେସନ ନିକଟରେ ଥିବା ଜିଲ୍ଲା ସାଧାନ କେନ୍ଦ୍ରରେ ଚାଲିଥିବା ଦିନଦୟାଲ ଉପାଧ୍ୟକ୍ଷ ଗ୍ରାମୀଣ କୋୖଶଲ୍ୟ ଯୋଜନାରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ନିମନ୍ତେ ତାଲିମ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ଏହାପରେ ଚମାଖଣ୍ଡି ପଞ୍ଚାୟତର ଗାଁ କୃଷି ସେବା କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ମା’ଗଙ୍ଗେଇଶୁଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକ ଟ୍ରାକ୍ଟର କିଣିଥିବା ଦେଖି ପ୍ରତିନିଧି ଦଳ ବହୁ ପ୍ରଶଂସା କରିଥିଲେ । ପରେ ଚମାଖଣ୍ଡି ପଞ୍ଚାୟତର ଶ୍ରୀ ମହାଲକ୍ଷ୍ମୀ ମହାସଂଘ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବି ନାରାୟଣ ତ୍ରିପାଠୀ, ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାଶ, ଜୀବିକା ମିଶନର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନଳିନୀକାନ୍ତ ମିଶ୍ର, ଜିଲ୍ଲା ସଂଯୋଜକ ନବୀନ ସେନାପତି, ବ୍ଲକ ସଂଯୋଜକ କାମିନୀ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା







