୩ ବର୍ଷର ଶିଶୁ କନ୍ୟାକୁ ଲୁହା ଛଡ଼ରେ ପିଟିପିଟି ରକ୍ତାକ୍ତ କରିଛି ବାପା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧିନସ୍ଥ ଅର୍ଜୁନପଲ୍ଲୀ ଗ୍ରାମରେ ୩ ବର୍ଷର ଶିଶୁ କନ୍ୟାକୁ ଲୁହା ଛଡ଼ରେ ବାପା ପିଟିପିଟି ରକ୍ତାକ୍ତ କରିଥିବା ଖବର ମିଳିଛି । ଅର୍ଜୁନପଲ୍ଲୀ ଗ୍ରାମର ବିଜୟ ମହାରଣାଙ୍କ ଶିଶୁକନ୍ୟା ଶୁଭଶ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଓ ଶୁଭଶ୍ରୀ ଝିଲି ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ କିନ୍ତୁ ଶୁଭଶ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ସୂଚନା ମିଳିଛି ଯେ ଅର୍ଜୁନ ପ୍ରତିଦିନ ମଦ ପିଇ ଘରକୁ ଫେରି ଝିଲି ଓ ପୁଅ, ଝିଅଙ୍କୁ ମାରପିଟ କରୁଥିଲେ । ଗତ ଶନିବାର ମଧ୍ୟ ମଦପିଇ ଘରକୁ ଫେରି ଘରର ଜିନିଷପତ୍ର ଓ ଲୁଗାପଟାକୁ ଘରେ ନିଆଁ ଲଗାଇ ପୋଡି ଦେଇଥିବା ସ୍ତ୍ରୀ ଝିଲି ଅଭିଯୋଗ କରିଛନ୍ତି । ଏହାସହ ବିଜୟ ଅତ୍ୟଧିକ ନିଶା ଗ୍ରସ୍ତ ହୋଇ ଘରକୁ ଫେରି ଗୋଟିଏ ଘରେ ଝିଲି ଓ ପୁଅ ରାଜେଶକୁ କବାଟ ବନ୍ଦ କରି ଦେଇଥିଲା । ଶୁଭଶ୍ରୀ ଝିଅ ହୋଇଥିବାରୁ ତାକୁ ଏକ ରୁମ ଭିତରେ ରଖି ଜୀବନରେ ମାରିଦେବି କହି ଏକ ଲୁହା ରଡ଼ରେ ପିଟିଥିଲେ ସେତେବେଳେ ଗ୍ରାମବାସୀମାନେ ଚିତ୍କାର ଶୁଣି ସେଠାରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କୁ ଦେଖି ଭୟରେ ବିଜୟ ସେଠାରୁ ଚାଲିଯାଇଥିଲେ ବୋଲି ବିଜୟର ସ୍ତ୍ରୀ କହିଛନ୍ତି । ଏହି ଘଟଣାର ଖବର ପାଇ ଛତ୍ରପୁର ପୋଲିସ ଗ୍ରାମରେ ପହଞ୍ଚି ବିଜୟଙ୍କୁ ଧରି ଥାନାରେ ଅଟକ ରଖିଛନ୍ତି । ଏନେଇ କୌଣସି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଛତ୍ରପୁର ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା