

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ତଥା ରାଇବଣିଆ ଥାନାର ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୪ ଦିନ ଧରି ହାତୀ ଆତଙ୍କ ଲାଗି ରହିଛି । ଅଦ୍ୟାବଧି ରଂଞ୍ଝା, ରଘୁନାଥପୁର, ଗୋରୁଡବାସୀ, ଘଡଘଡା, ସରାଳିବସା, ଧାନଘେରା, ଫୁଲଝରୀ, ଘାସିପଦା, କଣ୍ଡରାଡିହା, ସୁଖଯୋଡି, ରଙ୍ଗାମାଟିଆ, ଉପରତୋଟା, ଦୁଧିଆଶୋଳ, ବାଗବୁଡା, ଭୋଳଛକ ପ୍ରଭୃତି ଗ୍ରାମର ଶତାଧିକ ଘରଗୁଡିକୁ ଭାଙ୍ଗିବା ଫଳରେ ଲୋକମାନେ ଉଦ୍ବାସ୍ତୁ ହୋଇଛନ୍ତି । ହାତୀମାନଙ୍କ ଦ୍ୱାରା ଗତ ରାତିରେ ଶ୍ୟାମନଗର ପଂଚାୟତର ନାହିଁନଥିବା ଅଭୁତପୂର୍ବ କ୍ଷତି ଘଟିଛି । ସେମାନଙ୍କ ମଧ୍ୟରୁ ସୁଜୟ ହେମ୍ବ୍ରମ, ଅର୍ଜନୁ ହେମ୍ଭ୍ରମ, ଭଟ୍ଟ ହେମ୍ଭ୍ରମ, ହୀରା ମାରାଣ୍ଡି, ସୁବାରାମ ହେମ୍ବ୍ରମ, ଗୋପାଳ ହେମ୍ବ୍ରମ, ଲବ ହେମ୍ବ୍ରମ, ସାୱା ହେମ୍ବ୍ରମ, ରାଇସେନ୍ ହେମ୍ବ୍ରମ, ନବ କୁମାର ସିଂ, ପାର୍ବତୀ ସିଂ, ପିଠା ମାରାଣ୍ଡି, ବାଡେନ ମୁର୍ମୁ, ଗୋବିନ୍ଦ ହାଁସଦା, ବାବୁରାମ ହେମ୍ବ୍ରମ, ଲୁ ଧିଆ ମାରାଣ୍ଡି, ବାଟା ହେମ୍ବ୍ରମ, ସିରୁ ମୁର୍ମୁ, ପେକା ମୁର୍ମୁ, ରବି ମାରାଣ୍ଡି, ଲୁଧିଆ ହାଁସଦା, ଖେଲା ହାଁସଦା, ଦିପକ ହାଁସଦ, କଂକ ହାଁସଦା, ସାଲଖାନ ହାଁସଦା, ସୁବୋଧ ମାରାଣ୍ଡି, ଲକ୍ଷ୍ମଣ ରଣାଙ୍କ ଘର ମାଟିରେ ମିଶିଛି । ଅଳ୍ପ ସଂଖ୍ୟକ ବନକର୍ମଚାରୀ ଓ ହାତୀ ସୁରକ୍ଷା ବାହିନୀ ହାତୀ ଘଉଡାଇବା କାର୍ଯ୍ୟରେ ଲିପ୍ତ ଥିବାରୁ ଏହା ଫଳପ୍ରଦ ହୋଇ ପାରୁନାହିଁ । ଏ ସଂପର୍କରେ ଜିଲା ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ମତାମତ ଲୋଡିବାରୁ ଆଜି ଅଧିକ ବନକର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯିବ ଓ ଅଂଶିକ ଭାଙ୍ଗିଥିବା ଗୃହବାବଦକୁ ୧୦ହଜାର ଓ ସଂପୂର୍ଣ୍ଣ ଭାଙ୍ଗିଥିବା ଗୃହକୁ ୨୦ହଜାର ଟଙ୍କା ସହାୟତା ଦିଆଯିବ ବୋଲି କହିଛନ୍ତି । ନେସ୍କୋର ବିଦ୍ୟୁତ୍କାଟ ଫଳରେ ରାଇବଣିଆ ଅଞ୍ଚଳ ପ୍ରତିଦିନ ଅନ୍ଧକାର ରହୁଥିବାରୁ ଏହାର ସୁଯୋଗ ନେଇ ହାତୀଗୁଡିକ ଗ୍ରାମମଧ୍ୟରେ ଆତଙ୍କ ସୃଷ୍ଟି କରୁଛି । ଏ ସଂପର୍କରେ ଆଜି ନେସ୍କୋର ଏଜିଏମ୍ ବ୍ରଜସୁନ୍ଦର ପରିଡାଙ୍କୁ ପଚାରିବାରୁ ସେ ଆଜିଠାରୁ ବିଦ୍ୟୁତ୍ ସ୍ୱାଭାବିକ୍ ହେବା ବୋଲି କହିଥିଲେ । ଗତ ଗୁରୁବାର ବିଧାୟକ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାରୁ ଆଜି ଜିଲାପରିଷଦ ବୈଠକରେ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା । ଫଳରେ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର, ଏସିଏଫ, ତପନ ପରିଡା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ଘଟଣା ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ଲାଗି ଘଟଣାସ୍ଥଳକୁ ଯାଇଛନ୍ତି । ତହସିଲଦାର ଶ୍ରୀ ପଣ୍ଡା କ୍ଷତ୍ରିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ କରିଛନ୍ତି । ଲୋକମାନେ ହାତୀଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମଦେବତୀଙ୍କ ନିକଟରେ ପ୍ରତିଗାଁରେ ସମୁହ ଜାହିରା ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଭୂପତି କୁମାର ପରିଡା

