

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥର ନାମ୍ପୋ ଫାଣ୍ଡି ନିକଟରେ ଥିବା ଜଳ ନିଷ୍କାସନ ଲାଗି ପୋଲ ମୁହଁରେ ଏକ ବିରାଟ ଅଟ୍ଟାଳିକା ନିର୍ମାଣ ସହିତ ଅବରୋଧ ହୋଇଥିବାରୁ ବର୍ଷାଜଳ ନିଷ୍କାସନରେ ବାଧକ ସୃଷ୍ଟି ହୋଇଛି । ଫଳରେ ବିସ୍ତିର୍ଣ୍ଣ ଅଂଚଳ ଜଳାର୍ଣ୍ଣବ ହୋଇଛି । ଏହାକୁ ବିରୋଧ କରି ଆଜି ନାମ୍ପୋ ଗ୍ରାମବାସୀ ପ୍ରଶାସନକୁ ଜଣାଇବା ସହିତ ରାସ୍ତା ଉପରେ ବସିଥିଲେ । ପ୍ରଶାସନୀକ ଉଦାସୀନତା ଯୋଗୁଁ ରାଜପଥ ସନ୍ନିକଟ ନୟନଯୋରୀ ଅବରୋଧ, ଗୃହ ନିର୍ମାଣ ଇତ୍ୟାଦି ହୋଇ ଆସୁଛି । ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରି ଏକ ଘଟଣା ନାମ୍ପୋ ପୁଲିସ୍ ଫାଣ୍ଡି ସନ୍ନକଟରେ ଘଟିଥିବାରୁ ଗତ ୧୦ବର୍ଷ ଧରି ନାମ୍ପୋ ଓ ବାଣିଦା ଗ୍ରାମବାସୀଙ୍କ ପକ୍ଷରୁ ଧାରଣା, ଅନଶନ ଓ ପ୍ରଶାସନ ନିକଟରେ ଦାବି ହୋଇ ଆସୁଛି । ଗତ ଶନିବାରଠାରୁ ବର୍ଷା ଲାଗି ରହିଥିବାରୁ ଜଳେଶ୍ୱର ପୌର ପାଳିକାର ଅଲାଲପୁର, ମଣିପାଟଣା, ସୁଗୋ ପଂଚାୟତର ବାଣିଦା ଗ୍ରାମ ବର୍ଷା ପାଣିରେ ବୁଡି ରହିଛି । ବହୁ ଘରେ ପାଣି ପଶିବାଯୋଗୁଁ ଅରାନ୍ଧ-ଅବାଢ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକାଶଯୋଗ୍ୟ ୫୭ ରାଜ୍ୟ ରାଜପଥର ନାମ୍ପୋ ଫାଣ୍ଡି ନିକଟରେ ଜଳନିଷ୍କାସନ ଲାଗି ଏକ ବଡପୋଲ ନିର୍ମାଣ ହୋଇଥିଲେ ମଧ୍ୟ ପୋଲ ମୁହଁରେ ଏକ ବିରାଟ ଅଟ୍ଟାଳିକା ନିର୍ମାଣ ହୋଇଛି । ପୁଣି ନିକଟରେ ଜବରଦଖଲ ହୋଇଥିବାରୁ ପାଣିନିଷ୍କାସନ ସଂପୂର୍ଣ୍ଣ ଅବରୋଧ ହୋଇଛି । ବିସ୍ତିର୍ଣ୍ଣ ଅଂଚଳ ବୁଡି ରହିଥିବାରୁ ଆଜି ସକାଳେ ଗ୍ରାମର ଜଗନ୍ନାଥ ପ୍ରଧାନ, ଗୋପାଳ ଜେନା, ସୁଶିଲ ପରିଡା, ଅରୁଣ ରାଉଳ, ବିଷ୍ଣୁପଦ ଦାସମହାପାତ୍ର, ନିର୍ମଳ ଭୂୟାଁ, ରବିନ୍ଦ୍ର ପ୍ରଧାନ, କମଳାକାନ୍ତ ରାଉଳ ପ୍ରମୁଖଙ୍କ ନେତୃତ୍ୱରେ କେତେକ ଗ୍ରାମବାସୀ ଜଳନିଷ୍କାସନ ଲାଗି ଅଡି ବସିବାରୁ ସୁଗୋ ସରପଂଚ ଦିନେଶ ଜେନା ଓ ନାମ୍ପୋ ସରପଂଚ ସଂଜୟ ସିଟ ତହସିଲଦାର ଶଂକର ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିପ୍ତିରଂଜନ ସେଠୀ, ପୁର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ଅଶୋକ ପଣ୍ଡା, ସହକାରୀ ଇଂ ନିହାର ରଂଜନ ବେହେରା, ପୁଲିସ୍ ସହକାରୀ ନିରିକ୍ଷକ ପ୍ରଫୁଲ୍ଲ କୁମାର ଅଟବୁଦ୍ଧି ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମସାର ସମାଧାନ ନ ହେବା ଏବଂ ପ୍ରଶାସନକ ଅଧିକାରୀମାନେ ନିଜର ଅକ୍ଷମତା ପ୍ରକାଶ କରି ଫେରି ଯାଇଥିଲେ । ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇଥିଲା । ଆସନ୍ତା ବୁଧବାର ଅଂଚଳିକ ସ୍ତରରେ ଏକ ବଡଧରଣର ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି ପରିଡା
