
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ”ମୋ ସରକାର” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନା ଗୁଡିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି । ଥାନା ଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନସି ପାଣ୍ଠି ମଞ୍ଜୁର କରିଛନ୍ତି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଭୁବନେଶ୍ୱର-କଟକ କମିଶନରେଟରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଓ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ ଥାନା, ୧୫ଟି ରେଳବାଇ ଥାନା, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ STF ଥାନା, ଗୋଟିଏ HRPC ଥାନା, ଗୋଟିଏ କ୍ରାଇମ ବ୍ରାଞ୍ଚ ଥାନା ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା ଗୁଡିକ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା