୫ ନିଖୋଜ ନାବାଳକ ଆନ୍ଧ୍ରରୁ ଠାବ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଶନିବାର ଠାରୁ ନିଖୋଜ ଥିବା ଗୋଟିଏ ଗ୍ରାମର ୫ ନାବାଳକ ରବିବାର ଦିନ ବିଶାଖାପାଟଣାରୁ ଉଦ୍ଧାର କରାଯାଇଛି । ତୁରନ୍ତ ପିଲାମାନଙ୍କୁ ଅଣା ଯାଇ ସେମାନଙ୍କର ପରିବାରବର୍ଗଙ୍କ ହସ୍ତାନ୍ତର କରାଯିବ ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା କହିଛନ୍ତି । ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଥାନା ଅଧିନରେ ଜଙ୍ଗଲପାଡୁ ଗ୍ରାମର ୫ ଜଣ ନାବାଳିକା ଶନିବାର ଠାରୁ ନିଖୋଜ ହୋଇଯାଇଥିବା ବେଳେ ସନ୍ଦେହରେ ପରିବାର ଲୋକ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ । କୁନା, ବିକ୍ରମ, ଏବଂ ଶୁଭମ ସ୍କୁଲ ବସ ଯୋଗେ ଶନିବାର ସକାଳେ ବିଦ୍ୟାଳୟ ଅଭିମୁଖେ ବାହାରିଥିଲେ । ହେଲେ ଅଧାବାଟରେ ଓହ୍ଲାଇ ଯାଇଥିଲେ । ସେହିପରି ଚିନ୍ମୟ ଓ ଡମ୍ବରୁ ଘରୁ ସାଇକେଲ ଧରି ବାହାରି ଗାଁ ଛକରେ ସାଇକେଲ ଛାଡ଼ି କେଉଁ ଆଡେଚାଲି ଯାଇଥିଲେ । ସନ୍ଧ୍ୟାରେ ପିଲାମାନେ ନିଖୋଜ ଥିବା ଜାଣି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ହେଲେ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୈାଣସି ଖବର ମିଳିନଥିଲା । ରବିବାର ଦିନ ସକାଳୁ ସେମାନେ ଆନ୍ଧ୍ରର ଏକ ପାଖରେ ବୁଲୁଥିବା ବେଳେ ସେଠାକାର ଚାଇଲ୍ଡ ଲାଇନ ଦ୍ୱାରା ସେମାନେ ଉଦ୍ଧାର ହୋଇଥିଲେ । ପଚାରା ଉଚରା କରିବା ବେଳେ ସେମାନଙ୍କ ପରିଚୟ ଜାଣି ଗଜପତି ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ତେବେ ସେମାନେଙ୍କୁ ଆଜି ପାରଳାଖେମୁଣ୍ଡି ଆଣିବାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସୂଚନା ଦେଇଛନ୍ତି । ସେମାନଙ୍କୁ ଆଣିବା ପରେ କେଉଁ କାରଣରୁ ଘର ଛାଡ଼ି ବାହରକୁ ଗଲେ ସେ ସମ୍ପର୍କରେ ତଦନ୍ତ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା