ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ସୋମବାର ଦିନ ୫ ପଞ୍ଚାୟତ ତଥା ପୋଡାପଦର, କରପଡା, ବଡମାଧପୁର, ଚିକଲଖଣ୍ଡି ଓ ପୋଟଲାମପୁରର ଜନପ୍ରତିନିଧି ଓ ଗାଁ କମିଟିର ଲୋକମାନେ ଛତ୍ରପୁର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷତ କରି କୁମାରବେଗପଲ୍ଲୀ ଗାଁ ମଧ୍ୟରେ ଏକ ଗଳା ଶଙ୍ଖ ନିର୍ମାଣ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ଛତ୍ରପୁରର ରିକାପଲ୍ଲୀ ରେଲୱେ କ୍ରସିଂ ଫାଟକ ବନ୍ଦ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ଉକ୍ତ ଫାଟକ ଦେଇ ଯାତାୟାତ କରୁଥିବା ବହୁ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । କାରଣ ରିକାପଲ୍ଲୀ ରେଲୱେ କ୍ରସିଂ ଦେଇ ଦୈନିକ ପୋଡାପଦର, କରପଡା, ବଡମାଧପୁର, ଚିକଲଖଣ୍ଡି ଓ ପୋଟଲାମପୁର ପଞ୍ଚାୟତର ଲୋକେ ଯାତାୟାତ କରିଥାନ୍ତି । ଏଥିସହ ଉକ୍ତ କ୍ରସିଂର ଆର ପଟେ ତାରାତାରିଣୀ ପିଠ ଓ ଛତ୍ରପରୁ ସହର ରହିଛି । ତେଣୁ ବହୁ ଲୋକେ ସେହି ଫାଟକ ଦେଇ ଯିବା ଆସିବା କରିଥାନ୍ତି । ତେଣୁ ରିକାପଲ୍ଲୀ ରେଲୱେ କ୍ରସିଂ ଫାଟକଠାରୁ କୁମାରବେଗପଲ୍ଲୀ ଗାଁ ମଧ୍ୟରେ ଏକ ଗଳା ଶଙ୍ଖ ନିର୍ମାଣ କରିବାକୁ ୫ ପଞ୍ଚାୟତବାସୀ ଦାବି କରିଛନ୍ତି । ଏହାପରେ ଏହି ସମ୍ପର୍କରେ ରେଲୱେ କତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଜିଲାପାଳ କହିଛନ୍ତି । ସେହିପରି ଖୋର୍ଦ୍ଧା ରେଲୱେ ଡିଆରଏମ୍ଙ୍କ ଉଦ୍ଧେଶ୍ୟରେ ଛତ୍ରପୁର ଷ୍ଟେସନ ମାଷ୍ଟରଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ପୂର୍ବତନ ସମିତିସଭ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ, ଡି ସୁବାଷ ରାଓ, ଜଗନ୍ନାଥ ସାହୁ, ଶିବ ପ୍ରସାଦ ଗୌଡ, ବି ଜଗେଶ୍ୱର ରେଡ୍ଡୀ, ସୁରେନ୍ଦ୍ର ଦାଶଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା