୬ଷ୍ଠ କିଟ ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତା,ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଚାମ୍ପିଅନ

ଭୁବନେଶ୍ୱର (ଆକାଶ ମିଶ୍ର) – ସେପ୍ଟେମ୍ବର ୨୮ତାରିଖରୁ ଆରମ୍ଭ ହୋଇଥିବା ୬ଷ୍ଠ କିଟ ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତା ରବିବାର ଶେଷ ହୋଇଛି । ଏଥିରେ ଚେନ୍ନାଇର ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ ଚାମ୍ପିଅନ ହୋଇ ଏକ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ଚାମ୍ପିଅନ ଟ୍ରଫି ହାସଲ କରିଛି । ପ୍ରତିଯୋଗିତାରେ ମୁମ୍ବାଇର ରିଜଭି ଲ କଲେଜ ପ୍ରଥମ ରନର୍ସ ଅପ ହୋଇଥିବା ବେଳେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରନର୍ସଅପ ହୋଇ ଯଥାକ୍ରମେ ୫୦ହଜାର ଓ ୨୫ହଜାର ଟଙ୍କା ନଗଦ ଅର୍ଥରାଶି ସହ ଟ୍ରଫି ହାସଲ କରିଛନ୍ତି । ଶାସ୍ତ୍ରା ବିଶ୍ୱବିଦ୍ୟାଳୟ ଲ ସ୍କୁଲ ଛାତ୍ର ବିଶ୍ୱାସ ଭରଦ୍ୱାଜ ଶ୍ରେଷ୍ଠ ଛାତ୍ର ଆଡଭୋକେଟ ଭାବେ ମନୋନୀତ ହୋଇ ୧୦ହଜାର ଟଙ୍କା ପୁରସ୍କାର ରାଶି ହାସଲ କରିଥିଲେ । ଏଥିରେ ସମଗ୍ର ଦେଶରୁ ୪୨ଟି ଲ ସ୍କୁଲର ଟିମ ଯୋଗଦେଇଥିଲେ । ଆଜି ଅନୁଷ୍ଠିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ, ଓଡ଼ିଶା ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟ ମିଶ୍ର, ସୁପି୍ରମକୋର୍ଟ ଆଡ଼ଭୋକେଟ ସୋମ ଶେଖର ସୁନ୍ଦରେସନ, ଆଇଆଇଟି ଖଡ଼ଗପୁରର ପ୍ରଫେସର ଇନ୍ଦ୍ରଜିତ ଦୁବେ, କଲିକତାର ଲ ଫାର୍ମ ସାର୍ଦ୍ଧୁଳ ଅମରଚାନ୍ଦ ମଙ୍ଗଳଦାସର ସିଦ୍ଧାର୍ଥ ଦତ ପ୍ରମୁଖ ବିଚାରପତି ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଦେବବ୍ରତ ଦାସ ଓ କିଟ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ କିଟ ଲ ସ୍କୁଲର ନିର୍ଦ୍ଧେଶକ ଡ. ଏନ କେ ଚକ୍ରବର୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ୨୮ତାରିଖ ଉଦଘାଟନୀ ଉତ୍ସବରେ ବରିଷ୍ଠ ଆଇନ ବିଶାରଦ ପ୍ରଫେସର ଏନ ଏଲ ମିତ୍ର, କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଭବିଷ୍ୟତ ଓକିଲାତି ପେଶାରେ ଆଇନ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ କରିବା ଉଦ୍ଧେଶ୍ୟରେ ଏଭଳି ମୁଟ କୋର୍ଟ ପ୍ରତିଯୋଗିତା କିଟ ଲ ସ୍କୁଲ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ।