୬୦ନଂ ଜାତୀୟ ରାଜପଥର ଦୁର୍ଘଟଣାରେ ୪ ଛେଳି ସହ ୧ ବଳଦ ମୃତ : ଗ୍ରାମବାସୀଙ୍କ ରାସ୍ତାରୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଚାଲନ୍ତି ବାଇପାସ୍ଠାରେ ଆଜି ପୂର୍ବାହ୍ନରେ ଏକ ବାଲି ବୋଝେଇ ଡମ୍ପର ବାଲେଶ୍ୱରରୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଏକ ଛେଳି ଓ ଗୋରୁ ପଲ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ୪ଟି ଛେଳି ସମେତ ଏକ ବଳଦ ମୃତ୍ୟୁବରଣ କରିଛି । ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ସେମାନେ ପୂର୍ବାହ୍ନ ୯.୩୦ରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧଘଣ୍ଟା ଧରି ଜାତୀୟ ରାଜପଥକୁ ଟାୟାର ଜାଳି ଅବରୋଧ କରିଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ଟି ଛେଳି ଓ ଗୋଟିଏ ବଳଦ ସ୍ଥାନୀୟ ଲକ୍ଷ୍ମୀଧର ପ୍ରଧାନଙ୍କର ହୋଇଥିବା ବେଳେ ଅନ୍ୟ ୨ଟି ଛେଳି ହରିଶ ମଣ୍ଡଳଙ୍କର ବୋଲି ଜଣାପଡିଛି । ପ୍ରକାଶଥାଉକି ପୂର୍ବରୁ ସେହିସ୍ଥାନରେ ଏକ ଅଣ୍ଡରପାସ୍ ଥିବା ବେଳେ ସେହିଗ୍ରାମର ଶ୍ରୀଧର ଦଣ୍ଡପାଟ ଏହାକୁ ଅବରୋଧ କରିବା ଫଳରେ ଅଂଳଚବାସୀଙ୍କ ସମେତ ଛେଳି, ଗୋରୁ ଗୁଡିକ ଯାଇନପାରି ରାଜପଥ ଉପରେ ଦେଇ ଯିବା ଆସିବା କରୁଛନ୍ତି । ଫଳରେ ଏହି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରି ପୂର୍ବରୁ ଜଳେଶ୍ୱର ଥାନା ଆଇଆଇସିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା