୬୦ନଂ ଜାତୀୟ ରାଜପଥ ଉଚ୍ଛେଦ ହୋଇଛି ବାଣିଜ୍ୟ ଫାଟକ, ଏବେବି ଚାଲିଛି ଚାନ୍ଦା ଆଦାୟ, ଟୁରିଷ୍ଟ ବସ୍ତାରୁ ନକଲି ଆର୍ଟିଓ ଓ ଏମ୍ଭିଆଇ ନାମରେ ଅର୍ଥ ଲୁଟ : ରାସ୍ତା ଅବରୋଧ, ୫ ଗିରଫ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଂଗ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ବାଣିଜ୍ୟ ତନଖି ଫାଟକ ଉଚ୍ଛେଦ ହୋଇଥିଲେ ମଧ୍ୟ ଏବେବି ପ୍ରତିଦିନ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଚାଲିଛି ବ୍ୟାପକ ଚାନ୍ଦା ଆଦାୟ । ଆଜି ୪ଟି ଟୁରିଷ୍ଟ ବସ୍ଠାରୁ ନକଲି ଆର୍ଟିଓ ଓ ଏମ୍ଭିଆଇ ନାମରେ ବ୍ୟାପକ ଅର୍ଥ ଆଦାୟ ସହିତ ଟୁରିଷ୍ଟ ବସ୍ର ପାସେଞ୍ଜର ଓ ଡ୍ରାଇଭରଙ୍କୁ ମାଡମାରି ଆହତ କରିଥିବାରୁ ସେମାନେ ଜାତୀୟ ରାଜପଥରେ ଧାରଣାରେ ବସିବା ସହ ରାସ୍ତା ଅବରୋଧ କରିଥିଲେ । ଉପାନ୍ତ ଟୋଲପ୍ଲାଜା ଲକ୍ଷ୍ମଣନାଥରେ ଏପରି ଘଟଣା ଚାଲିଥିବାରୁ ଜଳେଶ୍ୱର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ୫ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ଆଜି ବିହାରର ଦରଭଂଗା, ମୁଜାଫରପୁର, ସୀତାମାଢୀ, ସାନହାସ୍ ଜିଲାର ପ୍ରାୟ୨୦୦ ତୀର୍ଥଯାତ୍ରୀ ବସ୍ନଂ ବିଆର୍୦୬ପିଏ ୭୬୩୧, ବିଆର୍୦୬ପିଏ୮୯୫୪, ବିଆର୍୩୦ପି୨୮୮୦, ବିଆର୍୦୬ପିଏ ୯୦୭୭ ୪ଟି ବସ୍ରେ ପୁରୀ ଜଗନ୍ନାଥ ଦର୍ଶନ ଲାଗି ସାଗର ଦୀପରୁ ଆସି ଭୋର ୬ଟାରେ ୬୦ନଂ ଜାତୀୟ ରାଜପଥର ଉପାନ୍ତ ଟୋଲପ୍ଲାଜା ଲକ୍ଷ୍ମଣନାଥରେ ପହଞ୍ଚିଥିଲେ । ଟୋଲ ପ୍ଲାଜା ନିକଟସ୍ଥ ଏକ ପାନ ଦୋକାନରୁ ୬ଜଣ ଯୁବକ ବାହାରି ଆସି ବସଟିକୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ନିକଟରେ ଅପେକ୍ଷା କରିଥିବା ଏମ୍ଭିଆଇ ଓ ଆର୍ଟିଓଙ୍କୁ ସେମାନଙ୍କ ଗାଡି କାଗଜପତ୍ର ଦେଖାଇବା ପାଇଁ କହିଥିଲେ । ଏଥିରେ କିଛି ଯାତ୍ରୀ ଉତ୍ୟକ୍ତ ହୋଇ ଯୁବକଙ୍କର ପରିଚୟପତ୍ର ମାଗିଥିଲେ । ଫଳରେ ନିକଟରେ ଥିବା ଅନ୍ୟ ଯୁବକମାନେ ଆସି ମାଡଗୋଳ ଆରମ୍ଭ କରିଥିଲେ । ଏଥିରେ ଡ୍ରାଇଭର ଅଶୋକ କୁମାର ସିଂ (୫୦) ଓ ରାମରତି ଦେବୀ(୩୫) ଆହତ ହୋଇ ସ୍ଥାନୀୟ ଜିକେଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟଯାତ୍ରୀମାନେ ଟୋଲପ୍ଲାଜା ସମ୍ମୁଖ ରାଜପଥକୁ ଅବରୋଧ କରିଥିଲେ । ଲୁଟେରା ୬ଜଣଙ୍କ ସହିତ ଯାତ୍ରୀ ମାନଙ୍କର କିଛିସମୟଧରି ବାକ୍ବିତଣ୍ଡା ଓ ଠେଲାପେଲା ହୋଇଥିବା ଦୃଶ୍ୟ ଟୋଲ ପ୍ଲାଜାର ସିସିଟିଭି ଫୁଟେଜରୁ କଏଦ ହୋଇଛି । ଜଣେ ମହିଳାଙ୍କ ମୋବାଇଲ ଛଡାଇ ଭଂଗିବା, ଅନ୍ୟଜଣେ ମହିଳାଙ୍କ ସୁନାହାର ଛିନ୍ତାଇ କରିବା ଓ ୧୦ ହଜାର ଟଙ୍କା ସେମାନଙ୍କ ନିକଟରୁ ଛଡେଇ ନେବା ଇତ୍ୟା ଜିଳେଶ୍ୱର ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଜଳେଶ୍ୱର ଏସ୍ଡିପିଓ ସୁଦର୍ଶନ ଦାସ, ଆଇଆଇସି ପ୍ରଦୀପ ମାଝୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନେ ହେଲେ ନାଙ୍ଗୁଡସାହୀ ଗ୍ରାମର ଜୀବନ କୁମାର ଜେନା (୨୯), ତପନ କୁମାର ଜେନା (୨୬), ବାସୁଦେବ ସେଠୀ (୨୭), ରାମଚନ୍ଦ୍ରପୁର ଗାଁର ମାନିକ ସାମଲ (୪୪), ପଶ୍ଚିମବଂଗର ଦାନ୍ତୁନଥାନା ଅନ୍ତର୍ଗତ ସୁନାକଣିଆ ଗାଁର ଅରିନ୍ଦମ ମହାନ୍ତି(୨୭) ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଜଳେଶ୍ୱର ଏସ୍ଡିପିଓ ଆନ୍ଦୋଳନକାରୀଙ୍କ ସହିତ କଥାବାର୍ତ୍ତ ଓ ବୁଝାସୁଝା କରିବାପରେ ଦୀର୍ଘ ୪ ଘଣ୍ଟାପରେ ପୂର୍ବାହ୍ନ ୧୦ଟାରେ ରାସ୍ତା ଅବରୋଧ ହଟିଥିଲା । ପ୍ରକାଶଯୋଗ୍ୟ ଲକ୍ଷ୍ମଣନାଥ ତନଖିଫାଟକ ଚାଲୁଥିବା ବେଳେ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ବ୍ୟାପକ ଚାନ୍ଦା ଆଦାୟ ହେଉଥିଲା । ଏବେ ତନଖିଫାଟକ ହଟିଥିଲେ ମଧ୍ୟ ଟୋଲପ୍ଲାଜା ନିକଟରେ ସ୍ଥାନୀୟ ଯୁବକମାନେ ଅନ୍ତରାଜ୍ୟ ବସ୍, ମାଲବାହୀ ଟ୍ରକ, ଟୁରିଷ୍ଟ ବସ୍ ଓ ଗରୁବୋଝେଇ କଣ୍ଟେନର ଓ ପିକ୍ଅପ୍ ମାନଙ୍କରୁ ମୋଟା ଅଂକରେ ଚାନ୍ଦା ଆଦାୟ କରିଚାଲିଛନ୍ତି । କିନ୍ତୁ ପୋଲିସ୍ ସେଠାରେ ପେଟ୍ରୋଲଲିଂ କରୁଥିଲେ ମଧ୍ୟ ଏ ସମସ୍ତ କାର୍ଯ୍ୟରେ ଆଖିବୁଜି ଦେବା, ଜଣେ ଗ୍ରାମରକ୍ଷୀ ସେଠାରେ ଉପସ୍ଥିତ ରହି ଚାନ୍ଦା ଆଦାୟ କରିବା ସଂପର୍କରେ ପୁଲିସ୍ର କାର୍ଯ୍ୟକାରିତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଅତୀତରେ ଉକ୍ତ ସ୍ଥାନରେ ନକଲି ଏମ୍ଭିଆଇ ଓ ଆର୍ଟିଓ ମାନଙ୍କୁ ବାରମ୍ବାର ଗିରଫ କରିବା, ଜେନକ ବ୍ୟକ୍ତିଙ୍କ ଠାରୁ ଉକ୍ତ ସମସ୍ତ ଅଫସରମାନଙ୍କ ଷ୍ଟାମ୍ପ ଓ ପେଡ ଜବତ୍ ହେବା, କିଛିଦିନ ପୂର୍ବେ ଏକ ମାଛଟ୍ରକରୁ ଲୁଟ୍ ହେବା ଏବଂ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଲୁଟ ହୋଇଥିଲେ ମଧ୍ୟ ପୋଲିସ୍ ଏ ସବୁ ଅଭିଯୋଗ ପ୍ରତି ଆଖି ବୁଜି ଦେଇଆସୁଛି । ସର୍ବପରି ଓଡିଶାରେ ଏପରି ନିନ୍ଦନୀୟ ଘଟଣା ଘଟୁଥିବାରୁ ଅନ୍ୟ ରାଜ୍ୟରେ ଓଡିଶାକୁ ନିନ୍ଦିତ ହେବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିସବୁ ଟୁରିଷ୍ଟ ବସର ମାଲିକମାନେ ନେତୃସ୍ଥାନୀୟ ହୋଇଥିବାରୁ ତାଙ୍କ ରାଜ୍ୟକୁ ଫେରି ଓଡିଶା ସରକାରଙ୍କୁ ତାଙ୍କ ସରକାରଙ୍କ ଜରିଆରେ ସବିଶେଷ ତଥ୍ୟ ଜଣାଇବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା