ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ଜଗନ୍ନାଥ ଡିଗ୍ରୀ କଲେଜର ଜନୈକା ଛାତ୍ରୀ କଲେଜରୁ ଘରକୁ ଫେରୁଥିବା ବେଳେ ୬୦ନଂ ଜାତୀୟ ରାଜପଥର ଜମାଳପୁର ବାଇପାସ୍ ନିକଟରୁ ୬ଜଣ ଯୁବକଙ୍କ ଦ୍ୱାରା ଅପହୃତ ହୋଇଥିବା ଜଣାଯାଇଛି । ଏ ସଂପର୍କରେ ଜଳେଶ୍ୱର ପୋଲିସ୍ ବ୍ୟବହୃତ ହୋଇଥିବା ଏକ କାରକୁ ଅଟକ ରଖିଥିବା ବେଳେ କଲେଜଛାତ୍ରୀ ଓ ଅଭିଯୁକ୍ତ ମାନଙ୍କର ଖୋଜଖବର ପାଇପାରିନି ପୋଲିସ୍ । ସବୁଦିନ ପରି ଜଳେଶ୍ୱର ଥାନା ଅନ୍ତର୍ଗତ ପାଇକସିଦା ପଂଚାୟତର କାସିମପୁର ଗାଁର କାହ୍ନୁ ଚରଣ ଦେଙ୍କ ଝିଅ କନ୍ୟାଶ୍ରୀ ଜେନା (ଛଦ୍ମନାମ) ସାଇକେଲ ଯୋଗେ ଜଳେଶ୍ୱରସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜକୁ ଆଜି ମଧ୍ୟ ଶିକ୍ଷାଲାଭପାଇଁ ଆସିଥିଲେ । ଦ୍ୱିପ୍ରହରରେ ସେ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ୬୦ ନଂ ଜାତୀୟ ରାଜପଥର ବାଇପାସ୍ ନିକଟରେ ୨ଟି କାର୍ରେ ଅପେକ୍ଷା କରିଥିବା ପ୍ରାୟ ୬ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ । ଉକ୍ତ ସ୍ଥାନଟି ନିଛାଟିଆ ହୋଇଥିବାରୁ ସେ ନିଜକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷାପାଇଁ ଯେତେ ଚିତ୍କାର କରିଥିଲେ ମଧ୍ୟ ତାହା କେହି ଶୁଣି ପାରିନଥିଲେ । କାର୍ ୨ଟି ଘଟଣା ସ୍ଥଳରୁ ପଶ୍ଚିମବଂଗ ଅଭିମୁଖେ ଯାଇଥିବାର ଦୂରରେ ଥିବା କେତେକ ପ୍ରତ୍ୟେକକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ଏ ଘଟଣା ସଂପକରେ ବାଳିକାଙ୍କ ବାପା କାହ୍ନୁ ଚରଣ ଦେ ଥାନାରେ ଅଭିଯୋଗ ଆଣିବାପରେ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି । ଘଟଣା ସ୍ଥଳରୁ ଝିଅର ସାଇକେଲ ଓ ବ୍ୟାଗ୍ ପୁଲିସ୍ ଜବତ୍ କରିଥିବା ଜଣାଯାଇଛି । ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ଜଳେଶ୍ୱର ପୋଲିସ୍ ବାଳିକା କିମ୍ବା ଦୁର୍ବୁତ୍ତ ମାନଙ୍କ କୌଣସି ଟେର ପାଇନଥିବା ଜଣାଯାଇଛି । ଓଡିଶା ଓ ପଶ୍ଚିମବଂଗ ସୀମାରେ ଥିବା ଟୁଲ ପ୍ଲାଜା ସିସି ଟିଭି ଫୁଟେଜରୁ ପୋଲିସ୍ ଓଡି୦୧-ଟି-୧୭୭୦ କାର୍କୁ ଏବେ ଅଟକ ରଖି ତଦନ୍ତ ଜାରି ରଖିଛି । ଉକ୍ତ ସିସି ଫୁଟେଜ୍କୁ ଆଧାରକରି ଦୁବୁର୍ତ୍ତମାନଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହେବ ବୋଲି ଅନୁମାନ କରାଯାଉଛି । କେତେକ ମୋବାଇଲ୍ ଫୁନକୁ ପୋଲିସ୍ ଟ୍ରାକଂ କରିବା ପାଇଁ ଚେଷ୍ଟା ଚଳାଇଛି । ଏ ସଂପକରେ ପୋଲିସ୍ ଗଣମାଧ୍ୟମକୁ କୌଣସି ସୂଚନା ଦେଉନଥିବା ବେଳେ ଏପରି ଏକ ସମ୍ବେଦନଶୀଳ ଘଟଣା ଜଳେଶ୍ୱର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା