୬୧ଲକ୍ଷ ଟଙ୍କା ମୂଲ୍ୟର ହାକିଂ ସଫ୍ଟୱେର ସହ ବହୁ ଇ-ଟିକଟ ଜବତ:୨ ଗିରଫ

ଜଳେଶ୍ୱର(ସମୃଦ୍ଧ ଓଡିଶା ) ଦୀର୍ଘ ଦିନରୁ ବେଆଇନ ଭାବେ ରେଲୱେ ସଫ୍ଟୱେରକୁ ହାକ କରି ଇ-ଟିକଟ ବିକ୍ରୀ କରୁଥିବା ଅନ୍ତରାଜ୍ୟ ଗୋଷ୍ଠୀଙ୍କୁ ରେଳ କ୍ରାଇମବ୍ରାଂଚ ତରଫରୁ ଚଢାଉ କରି ଗିରଫ କରିବା ସହିତ ବହୁ ବ୍ୟବହୃତ ସାମଗ୍ରୀ ଜବଦ କରିଛି । ଜଣାଯାଇଛି ଜଳେଶ୍ୱର ଷ୍ଟେସନ ବଜାରରେ ବହୁ ଦିନରୁ ରେଳ ଇ-ଟିକଟ ସହ ବିଭିନ୍ନ ଇ-ଟିକଟ ବିକ୍ରୀ କରିବା ପାଇଁ ଓଡିଶା କମୁନିକେଶନ ନାମରେ ଏକ ସଂସ୍ଥା ଖୋଲି ଲୋକମାନଙ୍କୁ ଓ ସରକାରଙ୍କୁ ଠକି ଚାଲିଥିଲେ । ଖଡଗପୁର କ୍ରାଇମବ୍ରାଂଚ ପକ୍ଷରୁ ଏହି ଅଫିସ ଉପରେ ଚଢାଉ କରି ୬୧ଲକ୍ଷ ଟଙ୍କା ମୂଲ୍ୟର ହାକିଂ ସଫ୍ଟୱେର ସହ ବହୁ ଇ-ଟିକଟ, ମୋବାଇଲ, ୨୩ ହଜାର ନଗଦ ଅର୍ଥ ଏବଂ ସେମାନେ ବ୍ୟବହାର କରୁଥିବା ୪ଟି ଏକାଉଣ୍ଟ ଯେଉଁଥିରେ ଅଢେଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ରହିଥିବା ଜଣାଯାଇଛି । ଅଫିସରୁ ଦୁଇ ଯୁବକକୁ ଗିରଫ କରିବା ସହ ଜିନିଷ ଗୁଡିକୁ କ୍ରାଇମବ୍ରାଂଚ ଜବତ କରିଛି । ଗିରଫ ଯୁବକ ମାନେ ହେଲେ ରୁପସା ଥାନା ତହରପୁର ଅଂଚଳର ନିର୍ମଳ ପଣ୍ଡିତ(୨୭) ଏବଂ ଜଳେଶ୍ୱର ଷ୍ଟେସନ ବଜାର ଅଂଚଳର ସୁଶାନ୍ତ କୁମାର ଡାକୁଆ । ଖଡଗପୁର କ୍ରାଇମ ଇନସପେକ୍ଟର ସୁରେଶ କୁମାରଙ୍କ ନେତୃତ୍ୱରେ ସିକ୍ୟୁରିଟି କଣ୍ଟ୍ରୋଲ ଇନସପେକ୍ଟର ବିକେ ଯାଦବ, କ୍ରାଇମ ବ୍ରାଂଚ ଏ.ଏସ୍.ଆଇ ଗଣେଶ ବନ୍ଦ୍ର ମଲ୍ଲିକ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ । ଦୀର୍ଘ ଦିନରୁ ବେଆଇନ ଭାବେ ଏମାନେ ରେଲୱେ ସଫ୍ଟୱେରକୁ ହାକ୍ କରି ଇ-ଟିକେଟ ବୁକିଂ କରୁଥିଲେ । ରେଳ କ୍ରାଇମବ୍ରାଂଚ ତରଫରୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଏହି ଚଢାଉ କରା ଯାଇଥିଲା ।

ରିପୋର୍ଟ:ଭୂପତି କୁମାର ପରିଡା