

ଛତ୍ରପୁର (ସମୃଦ୍ଧ ଓଡିଶା) ୬୨ତମ ଓଡ଼ିଶା ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ଗଞ୍ଜାମ ପୋଲିସ ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲାହେଡ-କ୍ୱାଟର ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ମିଳିତ ପରେଡ଼ ଉତ୍ସବରେ ଆନୁଷ୍ଠାନିକ ଧ୍ଵଜା ଉତ୍ତୋଳନ ରାଷ୍ଟ୍ରୀୟ ସଙ୍ଗୀତଗାନ, ତୋପସଲାମୀ ସହ ଶହୀଦ ସ୍ମୃତିସ୍ତମ୍ବରେ ସାମୂହିକ ଭାବେ ପୁଷ୍ପଗୁଚ୍ଛ, ପୁଷ୍ପାଞ୍ଜଳି ଦେଇ ଅତିଥୀଙ୍କ ଦ୍ୱାରା ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତି ଉଦ୍ଦେଶ୍ୟରେ ବାର୍ତ୍ତାଦେଇ ପ୍ରାୟ ୩ଶହରୁ ଉର୍ଦ୍ଧ୍ବ ଶହୀଦ ପୋଲିସ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ପ୍ରଥମେ ରାଜ୍ୟପାଳଙ୍କ ବାର୍ତ୍ତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପଠନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏସ୍ଡିପିଓ ଗୌତ୍ତମ କିଷାନ, ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପରେଡ଼ ଆସିଷ୍ଟାଣ୍ଟ କୋମାନଣ୍ଡେଟ ମାନସ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ଗଞ୍ଜାମ ପୋଲିସ ଜିଲ୍ଲାର ୪ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତଥା ବହୁ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ, ପୋଲିସ ସେନା ଅଂଶଗ୍ରହଣ କରିଥିଲେ । ଶେଷରେ ଘୋଷବାଦ୍ୟ ତାଳେ ରାମଧୁନ ପରିବେଷଣ ମାଧ୍ୟମରେ ପରେଡ଼ ପରିକ୍ରମା ହୋଇ ଶହୀଦ ସ୍ମୃତିମଣ୍ଡପକୁ ଶ୍ରଦ୍ଧାସୁମନ ସହ ସମ୍ମାନ ଜ୍ଞାପନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


