୬୬ତମ ରାଜ୍ୟ ସରୋତ୍ତୋଳନ ପ୍ରତିଯୋଗିତା ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ସରୋତ୍ତୋଳନ ସଂଘ ଏବଂ ମହାମାୟୀ ବ୍ୟାୟାମ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗତକାଲି ୬୬ତମ ଦୁଇ ଦିନିଆ ରାଜ୍ୟ ସରୋତ୍ତୋଳନ ପ୍ରତିଯୋଗିତା ଆସିକା ଲୋକସଭା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ସଂଘର ରାଜ୍ୟ ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ କେ. ରବି କୁମାର, ବରିଷ୍ଠ ପୋଲିସ ଅଧିକାରୀ ଦେବଦତ୍ତ ଚକ୍ର, ସଂଘର ରାଜ୍ୟ ସମ୍ପାଦକ ନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ତଥା ସଂଘ ଉପଦେଷ୍ଟା ରବି ରଥ, ପୂର୍ବତନ ନଗରପାଳ ଲକ୍ଷ୍ମୀପ୍ରିୟା ସାହୁ, ପୂର୍ବତନ ଉପନଗରପାଳ ମନୋରଞ୍ଜନ ମହାପାତ୍ର, ବ୍ଲକ ଚେୟାରମ୍ୟାନ ସନ୍ତୋଷ କୁମାର ପାଢ଼ୀ, ଜିଲ୍ଲା ସଂଘ ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, କଲେଜ ଅଧ୍ୟକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକ, ସଂଘ ସମ୍ପାଦକ ଗାଗାରିନ ନାୟକ, ବ୍ଲକ ଉପାଧ୍ୟକ୍ଷା ସଂଗୀତା ସ୍ୱାଇଁ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରତିଯୋଗିତାର ସଫଳତା କାମନା କରିଥିଲେ । ଏଥିରେ ରାଜ୍ୟର ୧୫ଟି ଜିଲ୍ଲା ସମେତ ଆରଏସପି, ଏନଟିପିସି, ରାଜ୍ୟ ପୋଲିସ ଭଳି ବିଭିନ୍ନ କ୍ଷେତ୍ରର ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ୯୬ ଜଣ ପୁରୁଷ ଓ ୫୩ ଜଣ ମହିଳା ପ୍ରତିଯୋଗୀ ଅଛନ୍ତି । ପ୍ରତିଯୋଗିତାକୁ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସୀତାନାଥ ପଟ୍ଟନାୟକ, ପି.କେ. ସାହାଣୀ, ରମେଶ ପାଢ଼ୀ, ରାମା ରାଓ, ସୀତା ଜେନା, ବିକ୍ରମ ସ୍ୱାଇଁ, ପିଣ୍ଟୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ରବି ରଥ