୬ ଦଫା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବୁଲବୁଲ ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାରେ ଭୟାବହତା ଓ ସରକାରଙ୍କ ଲକ୍‌ଡାଉନ୍ ଯୋଗୁଁ ଶ୍ରମିକ, କୃଷକ ମାନଙ୍କ ଦୁଃଖ ବଢି ଯାଇଛି । ଲକ୍ ଡାଉନ୍ ଯୋଗୁଁ ପ୍ରଶାସନ ବ୍ୟସ୍ତ ରହୁଥିବା ବେଳେ କୃଷକ ଓ କୃଷି ଶ୍ରମିକ ଅବହେଳିତ ଅବସ୍ଥାରେ ରହୁଛନ୍ତି । ଏ ସବୁର ସମାଧାନ ଲାଗି ଜଳେଶ୍ୱର ବ୍ଲକର ସୁଗୋ ଶାଖା ମିଳିତ ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜଳେଶ୍ୱର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ପାଚିଲା ରବିଧାନର ଅମଳ ଲାଗି ଅମିଳକ ହୋଇ ହାରଭେଷ୍ଟର । ପଶ୍ଚିମବଙ୍ଗ ଓ ମୟୂରଭଞ୍ଜରୁ ଧାନ କଟା ଲାଗି ଶ୍ରମିକ ଆସିପାରି ନ ଥିବାରୁ ପ୍ରତ୍ୟେକ ଚାଷୀ ହାର୍ଭେଷ୍ଟର ଉପରେ ନିର୍ଭର କରୁଛନ୍ତି । ବୋଝ ଉପରେ ଲଳିତାବିଧା ସଦୃଶ ଅମଳ ବେଳେ ବର୍ଷା, ଝଡ ଓ କୁଆପଥର ମାଡ ଚାଷିଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏବେ ବିକ୍ରିଧାନକୁ ସରକାର ସରକାରୀ ମୂଲ୍ୟରେ କିଣିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବା, ଯୋଗ୍ୟ ପରିବାରକୁ ୭୫୦୦ଟଙ୍କା ଯୋଗାଇ ଦେବା ଇତ୍ୟାଦି ୬ଦଫା ଦାବି ନେଇ ଆଜି ମିଳିତ ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏବେ ଚାଷୀ କ୍ୟୁଣ୍ଟାଲ ପିଛା ଧାନ ୧୧ଶହ ଟଙ୍କାରେ ବିକ୍ରିକରୁଥିବାରୁ ଧାନକଟା ଲାଗି ହାରଭେଷ୍ଟରର ମୂଲ୍ୟ ଘଣ୍ଟାକୁ ୩୫ଶହ ଟଙ୍କା ନେଉଥିବା ବେଳେ ଗତ ବର୍ଷ ଏହା ୨୭ଶହ ଟଙ୍କା ଥିଲା ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ସଂସ୍ଥାର ସଂଯୋଜକ ପଲ୍ଟୁ ଦାସ, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ଗିରି, ପ୍ରଦୀପ ମହାନ୍ତି, ଚନ୍ଦନ ପଟ୍ଟନାୟକ, ଅକ୍ଷୟ ନାୟକ ଓ ତପନ ମହାନ୍ତି, ଜଲି ପାତ୍ର, ଉମେଶ ପାତ୍ର, ମଦନ ମହାଲି, ରବିନ୍ଦ୍ର ରାଜ ପ୍ରମୁଖ ଏକ ସ୍ମାରକ ପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଅତୀତରେ ବୁଲବୁଲ କ୍ଷତିରେ ମିଳିବାକୁ ଥିବା ସରକାରୀ ସହାୟତା ଅଦ୍ୟାବଧି ମିଳି ନ ଥିବାରୁ ଏବେ ଚାଷୀମାନଙ୍କୁ ଯୋଗାଇ ଦେଲେ ଲକ୍‌ଡାଉନ୍ ସମୟରେ ହାରଭେଷ୍ଟର ଦ୍ୱାରା ଧାନ ଅମଳ କରିବାରେ ସୁବିଧା ହୁଅନ୍ତା ବୋଲି କହିଛନ୍ତି । ତହସିଲଦାର କ୍ଷିରୋଦ କୁମାର ପଣ୍ଡା ସ୍ମାରକପତ୍ରକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ପଠାଇବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା