ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ବେଳେ ଭିଭିପାଟ ମେସିନକୁ ତ୍ରୁଟିପୂର୍ଣ୍ଣ ଭାବେ ସଂଯୋଗ କରିଥିବା ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ । ଦାୟିତ୍ୱରେ ଅବହେଳା ପାଇଁ ସୁନ୍ଦରଗଡ଼, ବଣାଇ, ଅତାବିରା, ଦଶପଲ୍ଲା, ପଦ୍ମପୁର ଓ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ ୭ ଜଣ ପ୍ରିଜାଇଡିଂ ଅଫିସର ଓ ୭ ଜଣ ସେକ୍ଟର ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହିତ ସୋରଡ଼ାର ବୁଥ ନମ୍ବର ୧୮୨ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି । ସୂଚନା ଯେ. ଗତଗୁରୁବାର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବେଳେ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୨୯, ସୁନ୍ଦରଗଡ଼ର ବୁଥ୍ ନମ୍ବର ୨୧୩, ଦଶପଲ୍ଲାର ପୋଲିଂ ବୁଥ୍ ନମ୍ବର ୨୧୦, ୨୨୨, ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୬୮ ଓ ଅତାବିରା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୩୫ରେ ଭିଭିପାଟ୍ ମେସିନରେ ତ୍ରୁଟି ପରିଲକ୍ଷିତ ହେବା ପରେ ସେସବୁକୁ ବଦଳାଇବା ବେଳେ ତ୍ରୁଟି ପୂର୍ଣ୍ଣ ଭାବେ ଲୋକସଭା ସ୍ଥାନରେ ବିଧାନସଭା ଭିଭିପାଟ ମେସିନ ଲାଗିଥିଲା । ଯାହାକୁ ନେଇ ପରେ ଜଣାପଡ଼ିବା ପରେ ସମ୍ପୃକ୍ତ ବୁଥରେ ଭୋଟ ଗ୍ରହଣକୁ ବନ୍ଦ କରାଯାଇଥିଲା । ସେହିପରି ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୋଟିଏ ବୁଥରେ ସମାନ ସ୍ଥିତି ଦେଖିବାକୁ ମିଲିଥିଲା ଏହାପରେ ସେଠାରେ ମଧ୍ୟ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଏହା ମନୁଷ୍ୟକୃତ ତ୍ରୁଟି ବୋଲି କହି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିସନଙ୍କୁ ସୁପାରିସ କରିଥିଲେ । ନିର୍ବାଚନ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ଯଥାବିଧି ତାଲିମ ପ୍ରଦାନ କରାଇ ନିର୍ବାଚନ କାର୍ଯ୍ୟକୁ ଶୃଙ୍ଖଳାର ସହିତ କରିବା ନିମନ୍ତେ ଦାୟିତ୍ୱ ନ୍ୟସ୍ତ କରାଯାଇଥାଏ । ଇଭିଏମ ଓ ଭଭିପାଟ ମେସିନରେ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିବାକୁ ବହୁ ପୂର୍ବରୁ ନିର୍ବାଚନ କମିସନଙ୍କ ପକ୍ଷରୁ ଏସବୁ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା । ସେମାନେ ଅବହେଳା କରିଥିବାରୁ ଭୋଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେଣୁ ସେହି କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ଆକାଶ ମିଶ୍ର