୭୪ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକ ଭାରତ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇବା ସହ ସେହି ଅନୁଯାୟୀ ପାଳନ କରିବା ସକାଶେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମଧ୍ୟ ଏହି ବୈଠକରେ ଅବଗତ କରାଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଜାତୀୟ କାର୍ଯ୍ୟକ୍ରମଟିକୁ ସୀମିତ ଆକାରରେ ପାଳନ କରିବା ପାଇଁ ବିବରଣୀ ଗୁଡିକୁ ବୈଠକରେ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଗୁଡିକ କୋଭିଡ୍ ନିୟମ ପ୍ରକାରେ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ସାନିଟାଇଜେସନ୍ ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବାପାଇଁ ସ୍ଥିର କରାଗଲା । ଚଳିତ ବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଛତ୍ରପୁର ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରତ୍ୟୁଷ ଘ.୫.୦୦ମି. ସମୟରେ ରାମଧୂନ୍ ପୂର୍ବକ ଛତ୍ରପୁର ସହରରେ ପରିକ୍ରମା କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମୁଖ୍ୟମାନଙ୍କ ଦ୍ୱାରା ପୂର୍ବାହ୍ନ ଘ.୮.୦୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ପୂର୍ବ ବର୍ଷ ମାନଙ୍କରେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ପ୍ରଭାତ ଫେରି ଚଳିତ ବର୍ଷ ନିମନ୍ତେ ସ୍ଥଗିତ କରାଗଲା । ଶିକ୍ଷାନୁଷ୍ଠାନର ମୁଖ୍ୟ ନିଜନିଜ ଅନୁଷ୍ଠାନରେ କେବଳ ୩ ଜଣ ଛାତ୍ରଛାତ୍ରୀମାନଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ପୂର୍ବାହ୍ନ ଘ.୮.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଇବେ । ସ୍କୁଲର ଅତି ନିକଟରେ ଥିବା ୩ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିପାରିବେ, ସେମାନେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଓ ସାନିଟାଇଜେସନ୍ କରି ଏହି କାର୍ଯ୍ୟ ସମ୍ପାଦିତ କରିବେ । ଚଳିତ ବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ମ୍ମିଳୀତ ପ୍ୟାରେଡ୍ ରେ ଅଂଶ ଗ୍ରହଣ, ସାଂସ୍କୃତିକ କାର୍ଯ୍ୟକ୍ରମ, କୌତୁକ କ୍ରୀଡା, ବହୁଭାଷୀ କବିତା ପାଠୋତ୍ସବକୁ ସ୍ଥଗିତ ରଖାଯାଇଛି । ପୋଲିସ୍ ପ୍ୟାରେଡ୍ ପଡିଆ, ଛତ୍ରପୁର ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘ.୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ବଦଳରେ ଚଳିତ ବର୍ଷ ଏ.ପି.ଆର୍. ଫୋର୍ସ, ଅଷ୍ଟମ ବାଟାଲିୟନ୍, ହୋମ୍ ଗାର୍ଡ ଓ ପୋଲିସ୍ ଘୋଷବାଦ୍ୟ ଦ୍ୱାରା ଜାତୀୟ ପତାକାକୁ ସମ୍ମାନପୂର୍ବକ ଅଭିବାଦନ ଗ୍ରହଣ କରାଯିବ । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ସମୟରେ ସରକାରୀ ପ୍ରତିଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ, ବିଭିନ୍ନ ବ୍ୟାଙ୍କ ଏବଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବାପାଇଁ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରାଗଲା । କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନୀତ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଚଳିତ ବର୍ଷର ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଶାନ୍ତି ଶୃଙ୍ଖଳାର ସହିତ ସାମାଜିତ ଦୂରତ୍ବ, ମାସ୍କ ପରିଧାନ ଓ ଉପଯୁକ୍ତ ସାନିଟାଇଜେସନ୍ କରି ପାଳନ କରିବା ପାଇଁ ସମସ୍ତ ଜନସାଧାରଣ, ଲୋକପ୍ରତିନିଧି ଓ ସାମ୍ବାଦିକମାନଙ୍କୁ ଅନୁରୋଧ କରାଗଲା ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା