ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେ ଯେ, କୋଭିଡ୍ ର ବିପତ୍ତି ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି ଜିଲ୍ଲାର ଅନେକ ବ୍ୟକ୍ତି ବିଶେଷ ସେବା ପ୍ରଦାନ କରିଛନ୍ତି । ଯାହାକି ଚିରସ୍ମରଣୀୟ ଓ ସେମାନେ ସାଧୁବାଦର ପାତ୍ର । ସେହିଭଳି ବ୍ୟକ୍ତି ବିଶେଷଙ୍କ ଉତ୍ତମ ସେବା ନିମନ୍ତେ ସମ୍ମାନୀତ କରିବା ଆବଶ୍ୟକତା ରହିଛି ଏଣୁକରି ଚଳିତ ବର୍ଷର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନୀତ କରାଯିବ । ଏଥୁ ସକାଣେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତ ପ୍ରକାରେ ଚଳିତ ବର୍ଷ ପୋଲିସ୍ ଦଳଙ୍କ ଦ୍ବାରା ଅଭିବାଦନ ଗ୍ରହଣ ଏବଂ ପ୍ୟାରେଡ୍ ପରିଚାଳନା କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଚଳିତ ବର୍ଷର ପ୍ୟାରେଡରେ ଅଂଶ ଗ୍ରହଣ କରିବେ ନାହିଁ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସ୍ଵାଧୀନତା ଦିବସ ଦିନ ପୂର୍ବାହ୍ନ ୭.୩୦ମିନିଟ ସମୟରେ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବାହ୍ନ ଘ.୮ମିନିଟ ସମୟରେ କୋଭିଡ଼ ନିୟମ ଅନୁପାଳନ କରି ଜାତୀୟ ପତାକା ଉତ୍ତୋଳନ କରିବେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ (ଅକ୍ଷା, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଗଣ ଏବଂ ତିନିଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ଉତ୍ସବଟିକୁ ପାଳନ କରିବେ । ଉକ୍ତଦିନ ପୂର୍ବାହ୍ନ ଘ.୯.୧୫ ସମୟରେ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଅଭିବାଦନ ଗ୍ରହଣ ପୂର୍ବକ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଜନ ପ୍ରତିନିଧି, ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଚଳିତ ବର୍ଷର ପ୍ୟାରେଡ୍ ଅନୁଷ୍ଠିତ ହେବା ନିମନ୍ତେ ସ୍ଥିର କରାଗଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୋଲିସ୍ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର, ରାସ୍ତା ଓ କୋଠାବାଡି ବିଭାଗ, ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରସ୍ତାବମାନ ଉପସ୍ଥାପନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ଡ଼ିଏସପି, ଡ଼ିଆଇବି ଅଜୟ କୁମାର ମିଶ୍ର, ସରଜେଣ୍ଟ ସଞ୍ଜୟ କୁମାର ବାରିକ, ବିଜ୍ଞାପିତ ଅଂଚଳ ପରିଷଦ ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ, ରାସ୍ତା ଓ କୋଠାବାଡି ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଶତପଥୀ, ଜିଲ୍ଲା ଇ-ଗଭର୍ଣ୍ଣାସ ପରିଚାଳକ ଗୁରୁ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା