୭ ଦଫା ଦାବି ପୂରଣ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷିଣପୂର୍ବ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ । ଏହି ଷ୍ଟେସନ ଉପରେ ଓଡିଶା, ପଶ୍ଚିମବଂଗର ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ମାତ୍ର ଏହି ଷ୍ଟେସନ୍ରେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ୍ ନ ରହିବା ଫଳରେ ବହୁ ଯାତ୍ରୀ ବାଙ୍ଗାଲୁର, ହାଇଦ୍ରାବାଦ, ସିକନ୍ଦରାବାଦ, ମୁମ୍ବାଇ, ସୁରତ୍, ଆଜମୀର ପ୍ରଭୃତି ସ୍ଥାନକୁ ଯିବାକୁ ବାଲେଶ୍ୱର ଓ ଖଡଗପୁର ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ସେଥିପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡଙ୍ଗୀଙ୍କୁ ୭ଦଫା ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜଳେଶ୍ୱରରେ ହାଉଡା-ଯଶୋବନ୍ଦପୁର ସୁପରଫାଷ୍ଟ ଟ୍ରେନ ଓ ହାଓଡା-ସିକନ୍ଦରାବାଦ ସୁପରଫାଷ୍ଟ ଫାଲକନାମା ଟ୍ରେନର ରହଣି, ଜଳେଶ୍ୱର ଓ ଭୂବନେଶ୍ୱର ମଧ୍ୟରେ ଏକ ମେମୁ ଟ୍ରେନ୍ ଯଥାଶୀଘ୍ର ଚଳାଚଳ କରିବା, ଖଡଗପୁର-ଖୋର୍ଦ୍ଦାରୋଡ ଫାଷ୍ଟ ପାସେଞ୍ଜର ସପ୍ତାହର ପ୍ରତ୍ୟେକଦିନ ଚଳାଚଳ କରିବା ସହିତ ଟ୍ରେନ୍କୁ ଭାୟା ନରାଜ ଷ୍ଟେସନ ପରିବର୍ତ୍ତେ କଟକ ଦେଇ ଯାତାୟାତ କରିବା, ଖଡଗପୁର-ବାଲେଶ୍ୱର ଟ୍ରେନକୁ ପ୍ରତ୍ୟେକଦିନ ଚଳାଚଳ କରିବା, ଖଡଗପୁର-ବାଲେଶ୍ୱର ମଧ୍ୟରେ ଦୀର୍ଘ ୬ଘଣ୍ଟା ଧରି କୌଣସି ପାସେଞ୍ଜର ଟ୍ରେନ ନ ଥିବାରୁ ଟାଟା-ଖଡଗପୁର ମେମୁ ଟେନ୍କୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରଭୃତି ଦାବି ଯଥାଶୀଘ୍ର ପୂରଣ ପାଇଁ ବିଜେପିର ଜିଲ୍ଲା ଉପସଭାପତି ଅରୁଣ କୁମାର ବେଜ ଓ ପୂର୍ବତନ ଜିଲାପରିଷଦ ସଭ୍ୟ ଶାନ୍ତନୁ ପଟ୍ଟନାୟକ, ପୂର୍ବତନ ଜଳେଶ୍ୱର ମଣ୍ଡଳ ସଭପେତି ଗଣେଶ ଚନ୍ଦ୍ର ମାଇତି, ସୁମତୀ ଦେ, ଜ୍ୟୋତିବ୍ରହ୍ମ ଦେ, କୁମାର ସତ୍ୟଜିତ୍ ବେଜ୍, ଦିନକୃଷ୍ଣ କୁଣ୍ଡୁ, ସଂଜୟ ଦାସ ପ୍ରମୁଖ ବହୁ ଅଂଚଳବାସୀ ଦାବି ଜଣାଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଜଳେଶ୍ୱର ରେଲ ୟୁଜର୍ସ କମିଟି ସଭାପତି ସୁକୁମାର ରଣା ଓ ବିଡିଓ ନିତ୍ୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା