୮ ଓ ୯ ଜାନୁୟାରୀ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ବିଜେଡ଼ିର ସମର୍ଥନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କର୍ପୋରେଟ୍ ସପକ୍ଷରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ଼ ୟୁନିୟନ ଅଧିକାର ଉପରେ ଆକ୍ରମଣ, ସର୍ବନିମ୍ନ ମଜୁରି ମାସିକ ୧୮ ହଜାର ଟଙ୍କା, ସର୍ବନିମ୍ନ ପେନ୍ସନ ୬ ହଜାର ଟଙ୍କା, ସ୍କିମ୍ ୱାର୍କସଙ୍କୁ ଶ୍ରମିକ ମାନ୍ୟତା, ଠିକା ଶ୍ରମିକ ପ୍ରଥାର ଉଚ୍ଛ୍ୟେଦ, ସମାନ କାମକୁ ସମାନ ଦରମା, ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ, ବ୍ୟାଙ୍କମାନଙ୍କର ମିଶ୍ରଣ ଓ ଘରୋଇକରଣକୁ ବିରୋଧ, ନିଯୁକ୍ତି ସୃଷ୍ଟି, ଦରଦାମକୁ ନିୟନ୍ତ୍ରଣ ରଖିବା ଇତ୍ୟାଦି ଦାବିକୁ ନେଇ ଆସନ୍ତା ଜାନୁୟାରୀ ୮ ଓ ୯ ତାରିଖ ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ଓଡ଼ିଶାରେ ସଂପୂର୍ଣ୍ଣ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ । ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ଏହି ଧର୍ମଘଟକୁ ସଂପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ଘୋଷଣା କରିଥିଲେ । ଆଜିର ଏହି ପ୍ରତିନିଧିମଣ୍ଡଳୀରେ ସର୍ବଶ୍ରୀ ସୌରୀବଂଧୁ କର, ରାମକୃଷ୍ଣ ପଣ୍ଡା, କିଶୋର ଜେନା, ଯୋଗେନ୍ଦ୍ର ତ୍ରିପାଠୀ, ଳମ୍ବୋଦର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ମହେନ୍ଦ୍ର ପରିଡ଼ା ପ୍ରମୁଖ ଯାଇଥିଲେ । ଏହି ପ୍ରତିନିଧିଦଳ ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତକରି କଂଗ୍ରେସର ସମର୍ଥନ ଲୋଡ଼ିଥିଲେ । ପିସିସି ସଭାପତି କଂଗ୍ରେସ ସଂପୂର୍ଣ୍ଣଭାବେ ସକ୍ରିୟ ସହଯୋଗ କରିବ ବୋଲି କହିଥିଲେ । ଏହି ସାଧାରଣ ଧର୍ମଘଟକୁ ବିଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସମେତ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଥିବା ଯୋଗୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଡକ୍ଟର ସୌରୀବଂଧୁ କର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର