୯ ବର୍ଷର ନାବାଳିକା ଗଣଦୁଷ୍କର୍ମ ମାମଲା:୩ ଅଭିଯୁକ୍ତ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପୋଲସରା ବ୍ଲକର ଧୋୟାକଣା ଗ୍ରାମରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି ।  ଗତ ଅକ୍ଟୋବର ୩୧ ତାରିଖ ମଧ୍ୟରାତ୍ରୀରେ  ଘଟିଥିଲା ଏହି ଅଭାବନୀୟ ଘଟଣା । ଚୋରୀ କରିବା ଉଦ୍ଦ୍ୟେଶରେ ୩ ଜଣ ଦୁର୍ବୁତ୍ତ ଜଣକ ଘରେ ପଶିଥିବା ବେଳେ ଲୁଟପାଟ୍ କରିବା ସହ ଘରେ ଶୋଇଥିବା ୯ ବର୍ଷର ନାବାଳିକାକୁ ଉଠାଇ ନେଇ ନିକଟସ୍ଥ ଏକ ଧାନବିଲରେ ନାବାଳିକା ସହ ଗଣଦୁଷ୍କର୍ମ କରିବା ପରେ ଗୁରୁତର ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ । ପରେ ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ପାଇବା ପରେ ଘଟଣା ସଂପର୍କରେ ଜାଣିବା ପରେ ପରିବାର ଲୋକେ ଏନେଇ ନଭେମ୍ବର ୧ ତାରିଖ ଦିନ ପୋଲିସ୍ ନିକଟରେ ଏତଲା ଦେଇଥିଲେ ।  ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ମେଡ଼ିକାଲ ଯାଇ ତଦନ୍ତ କରିଥିବା ବେଳେ ପୁରୁଷୋତମପୁର ଏସଡ଼ିପିଓ ଅଶ୍ୱିନୀ କୁମାର ସାହୁ ଗ୍ରାମକୁ ଯାଇ ତଦନ୍ତ କରିଥିଲେ ।  ପରବର୍ତ୍ତୀ ସମୟରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶରେ ପୋଲସରା, କୋଦଳା, କବିସୂର୍ଯ୍ୟନଗର, ଆସିକା ଥାନା ଅଧିକାରୀଙ୍କୁ ନେଇ  ଗଠିତ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିଥିଲେ । ଶେଷରେ ଏହି ମାମଲାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ମାନେ ହେଲେ ଶେରଗଡ଼ ଥାନା ଅନ୍ତର୍ଗତ ପଞ୍ଚୁଆଣି ଗ୍ରାମର ମୋହନ ଟୋପାକୁଲ, ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଶିବ କାନମୁର ଓ ସୋଡ଼କ ଗ୍ରାମର କାଳିଆ ପାତ୍ର । ଅଭିଯୁକ୍ତମାନଙ୍କ ଠାରୁ ବ୍ୟବହାର କରୁଥିବା ସାମଗ୍ରୀ, ମୋବାଇଲ୍ ସହ ଚୋରି କରିଥିବା ସୁନାଗହଣା ଆଦି ଜବତ ହୋଇଛି । ଅଭିଯୁକ୍ତମାନଙ୍କ ନାମରେ ଗଞ୍ଜାମଜିଲ୍ଲାର ବିଭିନ୍ନ ଥାନାରେ ୧୧ ଟି ମାମଲା ରହିଥିବା ଜଣାପଡ଼ିଛି ।  ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଗଞ୍ଜାମ ଏସପି ଛତ୍ରପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏହି ୩ ଜଣ ହିଁ ଅଭିଯୁକ୍ତ ବୋଲି ଏଯାବତ୍ ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା