ଆସନ୍ତାକାଲି ସ୍ୱତନ୍ତ୍ର ବସରେ ରୋଡ଼ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ଦଳରେ ପ୍ରଚାର ଜୋରଦାର ଚାଲିଛି । ସବୁ ରାଜନୈତିକ ଦଳ ନିଜ ନିଜର ପ୍ରଚାର କରୁଥିବା ବେଳେ ଏବେ ସେହି ଦଳମାନଙ୍କର ମୁଖ୍ୟମାନେ ଆସି ନିଜ ଦଳ ସପକ୍ଷରେ ପ୍ରଚାର କରି ଭୋଟ ଭିକ୍ଷା କରୁଛନ୍ତି । ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଗପହଣ୍ଡି ଓ ବ୍ରହ୍ମପୁର ଆସି ଦଳୀୟ ପ୍ରାର୍ଥୀ ଏବଂ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଚାର କରିଛନ୍ତି । ସେହିପରି ବିଜେଡି ଦଳ ପାଇଁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ଦଳର ପ୍ରାର୍ଥୀମାନଙ୍କୁ ବିଜୟୀ କରିବା ପାଇଁ ଏବଂ ସେମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ପାଇଁ ୩ ତାରିଖରେ ରୋଡ଼ ଶୋ କରିବେ ବୋଲି ସୂଚନା ଦେଇଛନ୍ତି । ଏ ନେଇ ରବିବାର ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ଘର ସମ୍ମୁଖରେ ଥିବା ନିର୍ବାଚନୀ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଛି । ବିକ୍ରମ ପଣ୍ଡାଙ୍କ ସମେତ ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ସମସ୍ତ ପୂର୍ବତନ କର୍ପୋରେଟର ଅଂଶ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ବେଳେ ସେ କେଉଁ ରାସ୍ତା ଦେଇ ଯିବେ, କେଉଁଠାରେ କିପରି ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ, ଏନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା । ୩ ତାରିଖ ଅପରାହ୍ନ ସମୟରେ ସେ ବ୍ରହ୍ମପୁରରେ ଏହି ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି । ସେ ହେଲିକ୍ୟାପ୍ଟର ଯୋଗେ ବ୍ରହ୍ମପୁର ଆସିବା ବେଳେ ପୂର୍ବରୁ ସ୍ୱତନ୍ତ୍ର ବସଟି ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିବ । ଏହି ସ୍ୱତନ୍ତ୍ର ବସ ଯୋଗେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରକୁ ଅନ୍ଧପସରା ରାସ୍ତା ଦେଇ ଆସିବେ । ବଡ ବଜାର ରାସ୍ତା ଦେଇ ହରଡାଖଣ୍ଡି ଛକ ନିକଟକୁ ଯିବେ । ସେଠାରୁ ପୁଣି ସେ ପୁରା ଆସିକା ରୋଡ ପରିକ୍ରମା କରି ଗେଟ ବଜାର ଛକ, ସିଟି ହାଇସ୍କୁଲ ରୋଡ଼ ଦେଇ ଟାଟାବେଞ୍ଜ ଛକ, କମାପଲି ଦେଇ ଆମ୍ବପୁଆ ରାସ୍ତାରେ ରୋଡ଼ ସୋ କରିବେ ବୋଲି ସୂଚନା ରହିଛି । ପରେ ସେହି ବସ ଯୋଗେ ରମ୍ଭା ପର୍ଯ୍ୟନ୍ତ ଯିବେ ବୋଲି ମଧ୍ୟ ସୂଚନା ମିଳିଛି । ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ଼ ସୋ ପରେ ବିଜେଡିର ଆଉ କିଛି ଷ୍ଟାର ପ୍ରଚାରକ ମଧ୍ୟ ଆସି ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ସହରର ସମସ୍ତ ପୂର୍ବତନ କର୍ପୋରେଟରଙ୍କ ସମେତ ନେତା ଏବଂ ଯୁବ କର୍ମୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନରେ ପ୍ରଚାର କରିବା ପାଇଁ ଏକ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିଛନ୍ତି । ଏଥିରେ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଥିବା ବେଳେ ଡ୍ରାଇଭର ସିଟ ପଛ ପାଖରୁ ଛାତ ଉପରକୁ ଉଠି ଲୋକଙ୍କୁ ସମ୍ବୋଧନ କଲାଭଳି ବ୍ୟବସ୍ଥା ରହିଛି । ବସ ମଧ୍ୟରେ ହିଁ ଶୌଚାଳୟ ଏବଂ ଫାଷ୍ଟ ଏଡ଼ ବ୍ୟବସ୍ଥା ମଧ୍ୟ ରହିଛି । ବସଟି ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ପ୍ରଚାରରେ ସୁବିଧା ହେବା ପାଇଁ ସେଥିରେ ଇଲୋକଟ୍ରୋନିକ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀ ବସିଥିବା ସିଟଟି ସୁଇଚ ଟିପିଲେ ତାହା ଉପରକୁ ଉଠିବା ବ୍ୟବସ୍ଥା ମଧ୍ୟ ରହିଥିବା ଜଣାପଡିଛି । ସେହି ବସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯାଇ ରୋଡ଼ ସୋ କରିବେ ବୋଲି ଜଣାପଡ଼ିଛି । ମହାନଗର ବିଜେଡି ସଭାପତି ବିଜୟ ସାମଲଙ୍କ ଡ଼ାକରାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା