

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସକାଳୁ ସକାଳୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ରୋକିବା ଦିଗରେ ସରକାରୀ ନିର୍ଦ୍ଦେଶନାମାକୁ କିଭଳି କାର୍ଯ୍ୟକାରୀ କରାଯାଉଛି ଓ ପୋଲିସର କାର୍ଯ୍ୟ ଦକ୍ଷତା ପରଖିବାକୁ କଟକରୁ ବାହାରି ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁର ଆଦି ପୋଲିସ ଥାନା ଗୁଡିକୁ ଗସ୍ତ କରିଛନ୍ତି । ପ୍ରଥମେ ଗଞ୍ଜାମ ଜିଲ୍ଲାରେ ପଶୁ ପଶୁ ଡିଜିପି ଅଭୟ ଖଲ୍ଲିକୋଟ ଥାନା ପରିଦର୍ଶନ କରିଥିଲେ । ଏହାପରେ ରମ୍ଭା, ଗଞ୍ଜାମ, ଛତ୍ରପୁର ଥାନା ପରିଦର୍ଶନ କରି ଏହି ଲକଡାଉନ ସମୟରେ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଓ ଲକଡାଉନ ସମ୍ପୂର୍ଣ୍ଣ ସଫଳ କରିବା ଦିଗରେ ପୋଲିସର ସହଯୋଗିତା ଉପରେ ସମୀକ୍ଷା କରିଥିଲେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶନାମା କିଭଳି ପାଳନ କରାଯାଉଛି ତାହା ଉପରେ ଆଲୋକପାତ କରିଥିଲେ । ପୋଲିସ ପ୍ରଶାସନ ଜିଲ୍ଲ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରି ଲୋକଙ୍କ ଆସ୍ତାଭାଜନ ପୂର୍ବକ କାର୍ଯ୍ୟ କରିବାକୁ ପୋଲିସ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୋଲିସ ଦ୍ୱାରା ଯେପରି ସାଧାରଣ ଜନତା ହଇରାଣ ନ ହୁଏ ତାହା ଉପରେ ପୋଲିସ ଓ ପୋଲିସ ଅଧିକାରୀ ମାନଙ୍କୁ ଚେତାବନୀ ଦେଇଥିଲେ । ପୋଲିସ ପ୍ରତି ଲୋକଙ୍କ ଆସ୍ଥାଭାଜନ ଦୃଢ଼ୀଭୁତ ହେବା ଉପରେ ଗୁରୁତ୍ୱ ଦେଇ ବୃଦ୍ଧ, ଅସହାୟ, ମହିଳା, ପିଲାମାନେ ଯେପରି ପୋଲିସ ଦ୍ୱାରା ହଇରାଣ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପୋଲିସ ପ୍ରଶାସନକୁ ସଜାଗ କରାଇଥିଲେ । ପୋଲିସ କଣ୍ଟ୍ରୋଲ ରୁମ ଓ ପେଟ୍ରୋଲିଙ୍ଗ କେମିତି ଚାଲିଛି ତଦାରଖ କରିଥିଲେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଏହି ଗସ୍ତ ବେଳେ ଗଞ୍ଜାମ ଏସପି ବ୍ରଜେସ ରାଏ, ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକୀ ମିଶ୍ର, ଛତ୍ରପୁର ଅତିରିକ୍ତ ଡ଼ିଏସପି ଠାକୂର ପାତ୍ର ଓ ଅନ୍ୟାନ୍ୟ ପୋଲିସ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ । ଏହାପରେ ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଗସ୍ତରେ ଯାଇଛନ୍ତି । ଲକଡାଉନ ବେଳେ ଅମାନିଆ ଲୋକଙ୍କୁ ପ୍ରଥମେ ସତର୍କ କରାଇବାକୁ ପୋଲିସକୁ ପରାମର୍ଶ ଦେଇଥିଲେ । ଏହାପରେ ମଧ୍ୟ ଅମାନିଆ ଲୋକ ସରକାରୀ ନିୟମକୁ ଭାଙ୍ଗି ଲକଡାଉନ ବେଳେ କିଛି କାରଣ ନ ଥାଇ ବେକେରାରେ ବାହାରେ ବୁଲୁଥିବା ଦେଖିଲେ ପୋଲିସ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଲକଡାଉନ ଯେପରି ସମ୍ପୂର୍ଣ୍ଣ ରୂପେ ଫଳବତୀ ହେବ ସେ ଦିଗରେ ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଲକଡାଉନ ବେଳେ ଗଞ୍ଜାମ ଜିଲ୍ଲାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ପ୍ରଥମ ଗସ୍ତ ବୋଲି କୁହାଯାଏ । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ବ୍ରହ୍ମପୁରରେ ଏସପି ଭାବେ କାର୍ଯ୍ୟ କରୁଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




