ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଖଣ୍ଡ ଓ ବିକଶିତ ଜଳେଶ୍ୱର ଲାଗି ଜଳେଶ୍ୱରବାସୀ ପ୍ରଚେଷ୍ଟା ଓ ସଯତ୍ନ ହେବା ଆବଶ୍ୟକ । ଆଞ୍ଚଳିକବାଦକୁ ପ୍ରତ୍ସାହନ ନ କରି ତଥା ଜଳେଶ୍ୱର ସହରରେ ସ୍ଥାନାଭାବ ପରିଲକ୍ଷିତ ହେଉଥିବାରୁ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ସ୍ଥିତ ପୁରୁଣା ବାଣିଜ୍ୟକର କାର୍ଯ୍ୟାଳୟକୁ ଜଳେଶ୍ୱରର କୋର୍ଟ ଗୁଡିକ ସ୍ଥାନାନ୍ତର ହେବା ସପକ୍ଷରେ ଆଜି ଅପରାହ୍ନରେ ସେଠାରେ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦାସ ଅଧିକାରୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ସହର ମଧ୍ୟରେ ସ୍ଥାନାଭାବ ଯୋଗୁଁ ଯେପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନୟନଯୋରୀ, ଶ୍ମଶାନ ପ୍ରଭୃତି ଯେପରି ନିର୍ମିତ ହୋଇଛି ଏପରିସ୍ଥଳେ ଲକ୍ଷ୍ମଣନାଥରୋଡସ୍ଥିତ ୟୁନିଫାଏଡ ଚେକ୍ଗେଟ୍ ଉଚ୍ଚେଦପରେ ପ୍ରାୟ ୫୫ଏକର ପରିମିତ ଜମି ଓ କୋଠାଘର ପ୍ରଭୃତିକୁ ଲକ୍ଷ୍ୟକରି ମାନ୍ୟବର ବାଲେଶ୍ୱର ଜିଲା ଦୌରାଜଜ୍ଙ୍କ ସୁପାରିଶ କ୍ରମେ ମାନ୍ୟବର ଓଡିଶା ହାଇକୋର୍ଟ ୫ ଏକର ପରିମିତ ଜମି ଓ କୋଠାଘର ବାଣିଜ୍ୟକର ବିଭାଗଠାରୁ ପତ୍ରସଂଖ୍ୟା ୧୭୧୮୮ ତା ୨୫-୧୧-୧୭ମୂଳେ ବିଚାର ବିଭାଗକୁ ନେଇ ସେଠାରେ ସ୍ଥାୟୀଗୃହ ନିର୍ମାଣ ସାଙ୍ଗକୁ ପୁରୁଣା କୋଠାଘରର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେହିସ୍ଥାନଟି କୋର୍ଟ କାର୍ଯ୍ୟପାଇଁ ସଂପୂର୍ଣ୍ଣଭାବେ ଉପଯୁକ୍ତ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଜଳେଶ୍ୱର ପୌରପରିଷଦର କଳେବର ବୃଦ୍ଧି କରାଯାଇ ନଛିମପୁର, ଗୋବରଘଟା, ଲକ୍ଷ୍ମଣନାଥ, ରାଜପୁର ପ୍ରଭୃତି ପଂଚାୟତ ସେଥିରେ ସ୍ଥାନିତ କରାଯିବାର ସମ୍ଭାବନା ରହିଛି ବୋଲି ସେମାନେ ପ୍ରକାଶ କରିଥିଲେ । ବାଣିଜ୍ୟକର ବିଭାଗଦ୍ୱାରା ଅଧିଗ୍ରହଣ କରାଯାଇଥିବା ପତ୍ୟକ୍ତ ସ୍ଥାନରେ ଆନ୍ତରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ, ଶୀତଳଭଣ୍ଡାର ନିର୍ମାଣ, ଏଆର୍ଟିଓ କାର୍ଯ୍ୟାଳୟ ପ୍ରତିଷ୍ଠା, ପୋଲିସ୍ ଫାଣ୍ଡି ପ୍ରତିଷ୍ଠା, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସାଙ୍ଗକୁ ସୀମାନ୍ତ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ଲକ୍ଷ୍ମଣନାଥ ରୋଡ ରେଳ ଷ୍ଟେସନର ଉନ୍ନତିକରଣ ପ୍ରଭୃତି ଦାବି ପୁରଣ କରିବାପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପରିଷଦ ପକ୍ଷରୁ ଦାବୀ କରାଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ କମଳଚକ୍ରବର୍ତ୍ତି, ପୂର୍ବତନ ସରପଂଚ ସୁଦାମ ପାତ୍ର ଓ ବିନୟ ଜେନା, ଆବାହକ ରବିନ୍ଦ୍ର ନାଥ ଦାସ, ସୂର୍ଯ୍ୟନନ୍ଦ ପାଳ, ହରେନ୍ଦ୍ର ନାଥ ଦାସ, ଅକ୍ଷୟ କୁମାର ଜେନା, ସପନ କୁମାର ଜେନା, ଚନ୍ଦନ କୁମାର କର, ଖଗେନ୍ଦ୍ର ନାଥ ରଣା, ବିଶ୍ୱଜିତ୍ ପାଳ, ସୁଶୀଲ କୁମାର ଜେନା, ଯୋଗେଶ ଚନ୍ଦ୍ର ଜେନା, ରବିନ୍ଦ୍ର ବାରିକ, କେଦାରନାଥ ସାମଲ, ସୁଧିର କୁମାର ଓଝା, କାଳିଚରଣ ଦାସ, ରାଜେଶ କୁମାର ଜେନା, ରବିନ୍ଦ୍ର କୁମାର ପ୍ରଧାନ, ରାଧାଶ୍ୟାମ ଦାସ, ଜିତେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମର ପରିଡ଼ା