ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ ଜମି ସଂପୂର୍ଣ୍ଣ ପୋଡି ପାଉଁଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କୁଳିଦା ଗ୍ରାମ ପଞ୍ଚାୟତର ଧୂଳିଉଡା ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ୪୦ ଏକରରୁ ଉର୍ଦ୍ଧ ଜମି ସମ୍ପୂର୍ଣ୍ଣ ପୋଡି ପାଉଁଷ ହୋଇଯାଇଛି । ପ୍ରଥମେ ନଟାକଟା ପଞ୍ଚାୟତର ଧାନ କ୍ଷେତରେ ନିଆଁ ଜଳୁ ଥିବାର ହଠାତ ଦେଖା ଯାଇଥିଲା ଉତରା ପବନ ସାଙ୍ଗକୁ ନିଆଁର ପ୍ରକପ ଏତେ ଜୋର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଲୋକମାନେ ନିଆଁକୁ ଆୟତ କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ କରିପାରି ନ ଥିଲେ । ବସ୍ତା ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ଘଟଣା ସ୍ଥଳକୁ ଦମକଳ ପହଂଚି ପାରି ନ ଥିଲା ।ଚାହୁଁ ଚାହୁଁ ଧାନ କ୍ଷେତ ସବୁ ଜଳି ଯାଇଥିଲା । ଅନ୍ୟ କେତେକ ଧାନ କ୍ଷେତ ସବୁକୁ ଜନ ସାଧାରଣ ମିଶି ରକ୍ଷା କରିଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ବିଧାୟକ ଅଶ୍ୱନୀ କୁମାର ପାତ୍ର ପହଞ୍ଚିଥିବା ବେଳେ ବସ୍ତା ତହସିଲଦାର ନରେନ୍ଦ୍ର ଖମାରୀ ପହଞ୍ଚି ପୋଡି ଯାଇଥିବା ଏକର ଏକର ଜମି ପରିଦର୍ଶନ କରିଥିଲେ । କ୍ଷୟ କ୍ଷତିର ଆକଳନ କରି ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ଦରଡା ଗ୍ରାମ ପଞ୍ଚାୟତର ମନ୍ଦରଡା ଗ୍ରାମରେ ମଧ୍ୟ ସେହି ସମୟରେ ନିଆଁ ଲାଗି ଦେଢ ଏକରରୁଉର୍ଦ୍ଧ ଜମିରେ ଧାନକ୍ଷେତ ପୋଡି ପାଉଁଷ ହୋଇଯାଇଛି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଅଗ୍ନି କାଣ୍ଡରେ ସର୍ବସ୍ୱ ପୋଡି ଯାଇଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି ।

ରିପୋର୍ଟ : ଭୂପତି କୁମାର ପରିଡା