
ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ସଂଘ ୧୩ ଦଫା ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେଲଭରୋ ଆନ୍ଦୋଳନ କରିଛନ୍ତି । ୨୦୧୮ ନଭେମ୍ବର ୨୬ରୁ ଅଙ୍ଗନୱାଡି କର୍ମୀ ବିଧାନସଭା ନିକଟରେ ଗଣ ଧାରଣା ଦେଇଛନ୍ତି ।ରାଜ୍ୟ ସରକାର ଜାଣିଶୁଣି ଅଙ୍ଗନୱାଡି କର୍ମଚାରୀମାନଙ୍କର ଦାବୀ ପୂରଣ କରିବାରେ ଅବହେଳା କରୁଥିବା ସଂଘ ଅଭିଯୋଗ କରିଛି । ରାଜ୍ୟ ସଂଘର ନିଷ୍ପତି ଅନୁଯାୟୀ ସମଗ୍ର ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ କର୍ମଚାରୀ ବିକ୍ଷୋଭ କରିବା ସହିତ ଜେଲଭରୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯଥାଶୀଘ୍ର ସଂଘର ଦାବୀଗୁଡିକୁ ରାଜ୍ୟ ସରକାର ପୂରଣ ନକଲେ ଆସନ୍ତା ସାଧାରଣ ନିର୍ଵାଚନ ବର୍ଜନ କରିବୁ ବୋଲି କୁହାଯାଇଛି । ଦାବୀଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମଚାରୀମାନଙ୍କ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ସର୍ବନିମ୍ନ ମାସିକ ଦରମା ୧୮ ହଜାର ଓ ସହାୟିକାମାନଙ୍କୁ ୯ହଜାର ଟଙ୍କା ପ୍ରଦାନ, ନୂତନ ଖାଦ୍ୟ ତାଲିକାର ମୂଲ୍ୟବୃଦ୍ଧି, ଗାଁ କଲ୍ୟାଣ ସମିତି ଗୁଡ଼ିକରୁ ଅଙ୍ଗନୱାଡି କର୍ମୀମାନଙ୍କୁ ବାଦ ଦେବା, ଗ୍ରୀଷ୍ମଦିନେ ଏକ ମାସ ଗ୍ରୀଷ୍ମ ଛୁଟି ପ୍ରଦାନ କରିବା ଆଦି ଦାବୀ କରାଯାଇଛି । ଗଂଜାମ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସର ସମସ୍ତ କର୍ମକର୍ତ୍ତା ସ୍ଥାନୀୟ ଡିଆରଡିଏ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାବେଳେ ପୋଲିସ ଗିରଫ କରି ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଛନ୍ତି । ଏଥିରେ ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଥ ନାୟକ, ଅଲ ଓଡିଶା ଅଙ୍ଗନୱାଡି ଲେଡ଼ିଜ ୱାକର୍ସ ଆସୋସିଏଶନ ରାଜ୍ୟ ସମ୍ପାଦିକା ଅମିତା ସାହୁ, ଜିଲ୍ଲା ସଭାନେତ୍ରୀ ରଞ୍ଜିତା କୁମାରୀ ରଥ, ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ, ଭୀମସେନ ବେହେରାଙ୍କ ସମେତ ଭାରତୀୟ ମଜଦୁର ସଂଘ ସଂଲଗ୍ନ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




