ଅଟୋ ଆସୋସିଏସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ମହାମାରି କରୋନା ଭୁତାଣୁ ସଂକ୍ରମଣ ତାର କାୟା ସାରା ବିଶ୍ୱରେ ବିସ୍ତାର କରିବାର ଚାଲିଛି । ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଜାରୀ କରିଥିବା ବେଳେ ରାଜ୍ୟ ସରକାରମାନଙ୍କ ତରଫରୁ ବିଭିନ୍ନ ପ୍ରକାର ଗାଇଡଲାଇନ ଜାରୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଶରେ ଜାରୀ କରାଯାଇଥିବା ନିୟମଗୁଡିକୁ ଜନସାଧାରଣ କିପରି ପାଳନ କରି ଚଳିବେ ସେଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସଚେତନ କରାଉଛନ୍ତି । ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଓଡ଼ିଆ ଫେରିବା ପରେ ଜିଲ୍ଲା ଗ୍ରୀନରୁ ରେଡ଼ ଜୋନ ଭାବେ ପରିଣତ ହୋଇ ଯାଇଛି । ଲକଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ଓ ଯାନବାହାନ ବନ୍ଦ ରହିଥିବାରୁ ବିଭିନ୍ନ ବର୍ଗର ଲୋକମାନେ ପରିବାର ପ୍ରତିପୋଷଣ କରିବାରେ କଷ୍ଟସାଧ୍ୟ ହେଉଛନ୍ତି । ସରକାରଙ୍କ ପକ୍ଷରୁ ରାସନ କାର୍ଡ଼ ହିତାଧିକାରୀ ଓ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ସେଥିରୁ ବାଦ୍ ପଡ଼ିଛନ୍ତି ଅଟୋ ଚାଳକମାନେ । ଏ ନେଇ ଆଜି ଛତ୍ରପୁର ଓମ୍ ଶ୍ରୀ ସିଦ୍ଧି ବିନାୟକ ଅଟୋ ଆସୋସିଏସନ ପକ୍ଷରୁ ଏକ ଲିଖିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ କରିଛନ୍ତି ଯେ ଗତ ମାର୍ଚ୍ଚ ୨୫ ତାରିଖଠାରୁ ଏ ପର୍ଯ୍ୟନ୍ତ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଲକଡାଉନ ଚାଲି ଥିବାବେଳେ ଆମ୍ଭମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହାଫଳରେ ଆମ୍ଭମାନଙ୍କ ପାଇଁ ନିଜ ପରିବାରକୁ ଚଳାଇବାରେ କଷ୍ଟସାଧ୍ୟ ହୋଇପଡ଼ିଛି । ତେଣୁ ଆମକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ କରିବା ବେଳେ ଆସୋସିଏସନର ସଭାପତି ଏସ.କାମେସୁ ରେଡ୍ଡୀ, ସମ୍ପାଦକ ସିମାଞ୍ଚଳ ରେଡ୍ଡି, ଆଇନ ପରାମର୍ଶ ଦାତା ବି.ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ ଓମ୍ ଶ୍ରୀ ସିଦ୍ଧି ବିନାୟକ ଅଟୋ ଆସୋସିଏସନର ୮୮ ଜଣ ସଭ୍ୟ ଅଛନ୍ତି । ସେମାନଙ୍କ ଭିତରୁ କେତେଜଣ ମାଲିକଙ୍କ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉ ଥିବାବେଳେ ଆଉ କେତେ ଜଣ ନିଜସ୍ୱ ଅଟୋ କିଣି ନିଜ ନିଜର ପରିବାର ପୋଷଣ କରି ଆସୁଛନ୍ତି । ଏହି ଲକଡାଉନ ଫଳରେ ସେମାନେ ସେମାନଙ୍କ ପରିବାର ଚଳାଇବା ବହୁତ କଷ୍ଟସାଧ୍ୟ ହୋଇ ଅସହାୟ ହୋଇ ପଡ଼ିଛନ୍ତି । ତେଣୁ ଏମାନଙ୍କୁ ସରକାରଙ୍କ ତରଫରୁ ଯେକୌଣସି ସାହାର୍ଯ୍ୟ ଯୋଗାଇ ଦେବାକୁ ଆଇନ ପରାମର୍ଶଦାତା ବି.ଶ୍ରୀନିବାସ ଅନୁରୋଧ କରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା