

ଛତ୍ରପୁର (ସମୃଦ୍ଧ ଓଡିଶା) ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଛତ୍ରପୁର ସହରରେ ପ୍ରତିବାଦ କରାଯିବା ସହିତ ସ୍ଥାନୀୟ ଅପର ବସଷ୍ଟାଣ୍ଡ ନିକଟରୁ ଏକ ସାଇକେଲ ଓ ଶଗଡ଼ ରାଲି କରାଯାଇ ସହର ପରିକ୍ରମା କରାଯାଇଥିଲା l ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦିଆଯାଇଥିଲା ଏବଂ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ ଦୁର୍ନିତି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟକୁ ମଧ୍ୟ ଘେରାଉ କରାଯାଇଥିଲା । ଏକ ଦାବି ପତ୍ର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ପ୍ରଦାନ କରାଯାଇଛି । ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନର ଡାକରା ଦେଇଛି । ଥାଳି, ଖଞ୍ଜଣି, ପ୍ଲାକାର୍ଡ, ବ୍ୟାନର ଓ ପତାକା ଧରି ବିକ୍ଷୋଭ ସହ ସାଇକେଲ ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି ମାଧ୍ୟମରେ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି । ବର୍ତ୍ତମାନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ଏହିଭଳି ଏକ ସଂକଟମୟ ପରିସ୍ଥିତିରେ ଆକାଶଛୁଆଁ ମୂଲ୍ୟବୃଦ୍ଧି ପେଡ଼ି ଉପରେ କୋରଡ଼ା ମାଡ ସଦୃଶ । ପ୍ରତିଦିନ ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧି ଘଟୁଛି । ଗତ ଦୁଇ ମାସ ମଧ୍ୟରେ ପେଟ୍ରୋଲର ୩୮ ଥର, ଡିଜେଲର ୩୬ ଥର ମୂଲ୍ୟବୃଦ୍ଧି ଘଟିଛି । ପେଟ୍ରୋଲ ଦର ବଢି ବଢି ବର୍ତ୍ତମାନ ଲିଟର ପିଛା ଆମ ରାଜ୍ୟରେ ୧୦୨ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ୯୮ଟଙ୍କାରେ ଓ ରନ୍ଧନ ଗ୍ୟାସର ମୂଲ୍ୟ ୯୦୦ ଟଙ୍କାରେ ପହଞ୍ଚିଛି । ଏହି ମୂଲ୍ୟବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ମିଥ୍ୟା ସଫେଇ ଦେଉଛନ୍ତି । ଅନ୍ୟ ଦିଗରେ ଖାଇବା ତେଲ, ଡାଲି ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜେନା କହିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସହ କୃଷକ ସେଲର ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଭାଗିରଥି ବେହେରା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥି, ଗଞ୍ଜାମ ବ୍ଲକ ସଭାପତି ଗଣେଷ ରେଡ୍ଡି, ଛତ୍ରପୁର ଏନଏସି ସଭାପତି ଜଲାଲ ଖାନ୍, ପୁର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ବନଜା ପଣ୍ଡା, ମହାନଗର ସଭାପତି ସୁଜୟ ଆଚାର୍ଯ୍ୟ, ଚିନ୍ମୟ ହୋତା, ମହେଶ ଗୌଡ, ବଳିଆ ବେହେରା ସୀମା ରେଡ଼ିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନଧି ନିମାଇଁ ଚରଣ ପଣ୍ଡା







