

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରାଯାଇଛି । ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବ୍ୟାପକ ଫସଲର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରି ଧରାକୋଟ ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବା ଶହ ଶହ ଚାଷି, ନିଜର ନଷ୍ଟ ହୋଇଥିଵା ଧାନକେଣ୍ଡାକୁ ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରା ମେଡିକାଲ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟରେ ଯାଇ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ସଭା ଆୟୋଜିତ କରାଯାଇଥିଲା । ଏଥିରେ ବକ୍ତାମାନେ ଦିଲ୍ଲୀର ଐତିହାସିକ ଚାଷୀ ଆନ୍ଦୋଳନର ବିଜୟ କଥା ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତିର ନିନ୍ଦା କରିଥିଲେ । ସରକାର ତୁରନ୍ତ ଫସଲ କ୍ଷତିର ଆକଳନ କରି ଧାନ ଫସଲ ପାଇଁ ଏକର ପିଛା ୨୦ ହଜାର ଓ ଅନ୍ୟାନ୍ୟ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା ହିସାବରେ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବା, ଭାଗଚାଷୀଙ୍କୁ ଚିହ୍ନଟ କରି ସିଧାସଳଖ ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବା, କୃଷକମାନଙ୍କ କୃଷି ଋଣ ଛାଡ କରିବା, ଆଗାମୀ ଫସଲ ପାଇଁ ମାଗଣାରେ ବିହନ ଓ ବିନା ସୁଧରେ କୃଷି ଋଣ ପ୍ରଦାନ କରିବା, ଧାନ ସଂଗ୍ରହ ବେଳେ ଏଫଏକ୍ୟୁ ମାନକୁ କୋହଳ କରିବା, ଆଦିବାସୀମାନେ ପଟ୍ଟା ପାଇଥିବା ଜଙ୍ଗଲ ଜମିର ଫସଲ କ୍ଷତି ପାଇଁ ରାଜସ୍ବ ଜମି ପରି କ୍ଷତି ପୂରଣ ପ୍ରଦାନ କରିବା ଆଦି ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଆଇକେମଏସର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଢଙ୍ଗୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପସଭାପତି ପୀତବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ ଓ ବ୍ଲକ କମିଟି ସଦସ୍ୟ ଦୟାନିଧି ସେଠୀ, ଆଦିବାସୀ ନେତା ନରସିଂହ ଦଳବେହେରା, ସୁଜନ ମଣ୍ଡଳ, ଯୁବ ନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ନିଜର ବକ୍ତବ୍ୟ ରଖି ପ୍ରଶାସନ ଯଦି ଯଥାଶୀଘ୍ର ଭାଗଚଷୀଙ୍କ ସମେତ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଦି ଫସଲ କ୍ଷତି ପାଇଁ କ୍ଷତିପୂରଣ ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଚାଷୀମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

