ଅନଲାଇନ ଆବେଦନ ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରୀ ରହିବ:ଗଞ୍ଜାମ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ବ୍ଲକ ସ୍ତରରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମାପ୍ତ ପରେ ଅନଲାଇନ ଆବେଦନ ଓ ସଂଶୋଧନ ପ୍ରକ୍ରିୟା ଜାରୀ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜନୈତିକ ଦଳ ପ୍ରତିନିଧିମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ, ସାଧାରଣ ନିର୍ବାଚନରେ ସମସ୍ତ ଭୋଟର ଭୋଟଦାନ ପାଇଁ ସାମୁହିକ ପ୍ରଚେଷ୍ଟା କରିବାକୁ କହିଥିଲେ । ବିଭିନ୍ନ ଆପତ୍ତି ଅଭିଯୋଗ ତଥା ନାମ ଯୁକ୍ତ ଓ ବିଯୋଗ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପରିବର୍ଦ୍ଧିତ ସମୟ ନଭେମ୍ୱର ୧୫ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏହାର ମୁଦ୍ରଣ କାର୍ଯ୍ୟ ୨୦୧୯  ମସିହା ଜାନୁୟାରୀ ୧୯ ରାତିଖ ସୁଦ୍ଧା ଶେଷ ହେବ ଏବଂ ଚୂଡାନ୍ତ ତାଲିକା ଜାନୁୟାରୀ ୨୧ ତାରିଖରେ ପ୍ରକାଶିତ ହେବ । ଚୂଡାନ୍ତ ତାଲିକାର ନକଲ ୬ ଗୋଟି ଜାତୀୟ ଦଳର ପ୍ରତିନିଧି ଏବଂ ଆଞ୍ଚଳିକ ଦଳ ବିଜେଡିର ପ୍ରତିନିଧିଙ୍କୁ ମାଗଣା ପ୍ରଦାନ କରାଯିବ । ଅନ୍ୟ ରାଜନୈତିକ ଦଳମାନେ ମୂଲ୍ୟ ବିନିମୟରେ ତାଲିକା ପାଇ ପାରିବେ । ଚୂଡାନ୍ତ ତାଲିକାରେ ଯଦି କୌଣସି ଭୋଟର ଙ୍କର କିଛି ଆପତ୍ତି ଅଭଯୋଗ ଥାଏ ତେବେ ସେମାନେ କାମନା ସର୍ଭିସ ସେଣ୍ଟରରୁ ଅନଲାଇନ କିମ୍ବା ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ଆବେଦନ କରିପାରିବେ । ରାଜନୈତିକ ଦଳମାନେ ସେମାନଙ୍କର ବ୍ଲକ ସ୍ତରୀୟ ଏଜେଣ୍ଟ ମାନଙ୍କ ତାଲିକା ଯଥାଶୀଘ୍ର ଉପଜିଲ୍ଲାପାଳ ତଥା ଆସିଷ୍ଟାଣ୍ଟ ରିଟର୍ଣ୍ଣି ଅଫିସରଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହାଦ୍ୱାରା ବ୍ଲକ ସ୍ତରରେ ସମନ୍ୱୟ ରଖାଯାଇ ପାରିବ । ବିସ୍ତୃତି ତଥ୍ୟ ସିଇଓ ଓଡିଶା ଡଟ ଏନଆଇସି ଡ଼ଟ ଇନ ରେ ଯେକୌଣସି ବ୍ୟକ୍ତି ଏହାକୁ ଅନୁଧ୍ୟାନ କରିପାରିବ । ଏଥି ସହିତ ଯେଉଁ ଭୋଟରମାନେ ଭୋଟ ପରିଚୟ ପତ୍ର ପାଇ ନାହାନ୍ତି ସେମାନଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ସିପିଆଇ (ଏମ)ର ପି. ହରିକୃଷ୍ଣ ରେଡ୍ଡୀ, ସିପିଆଇର ନୀଳକଣ୍ଠ ଦାଶ ଓ ଏସ.କ୍ରିଷ୍ଣା ରେଡ୍ଡୀ, ବିଜେଡିର ସ୍ଵପ୍ନେଶ୍ଵର ନାହାକ, ବିଜେପି ର ପ୍ରଦୀପ କୁମାର ପାଢ଼ୀ ଓ ପି. ଟ୍ରିପତି ରାଓ, କଂଗ୍ରେସର ଭୋକାଲୀ ସେଠି ପ୍ରମୁଖ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା