ଗ୍ରହଣୀୟତାର ମାପକକୁ ନେଇ ଅନୁଭବର ସମଷ୍ଟିକୁ
ମଣିଷ ନିଜର ଅନୁଭୂତି ମଧ୍ୟରେ ସାଇତି ରଖିଥାଏ !
ହେଲେ ସେହି ନିଜସ୍ୱ ଅନୁଭୂତିର ସତ୍ୟତା,
ବାସ୍ତବିକତାର ଅନ୍ତର କେତେ ?!
ଗୋଟିଏ ଲୁଗା ଦୋକାନରେ ଜଣେ ଗ୍ରାହକ ଅନେକ ଲୁଗାରୁ ବାଛି ବାଛି ଗୋଟିଏ ନିର୍ଦ୍ଧାରଣ କରିଥା’ନ୍ତି କିଣିବା ପାଇଁ । ସେହି ଲୁଗାର ରଙ୍ଗ, ରୂପ, ବସ୍ତୁତ୍ୱ ଇତ୍ୟାଦି କୌଣସି କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭଲ ଲାଗିଲା ଯାହା ସମୟ ସ୍ରୋତର ଏକ ପରିପାଶ୍ୱିର୍କ ପରିସ୍ଥିତି ଏବଂ ନିଜ ଭାବନାର ପ୍ରତିଫଳନ ହେତୁ । ହୁଏତ ଅନ୍ୟ କୌଣସି ସମୟରେ ସେହି ବ୍ୟକ୍ତି ଜଣକୁ ଅନୁରୂପ ଆକୃତିର ଲୁଗାଟିଏ ବ୍ୟତୀତ ଅନ୍ୟ ଗୋଟିଏ ଭଲ ଲାଗିପାରେ । ପୁଣି ସହ ସହ ଲୁଗା ମଧ୍ୟରୁ ବାଛି ନେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଲୁଗାଟି ବ୍ୟତୀତ ଅନ୍ୟସବୁ, ବ୍ୟବସାୟୀ ନିଶ୍ଚୟ ବିକ୍ରି କରିବେ । କାହାକୁ କେଉଁଟା କାହିଁକି କେଉଁ ପରିସ୍ଥିତିରେ ଭଲ ଲାଗିବ ତାହାର କୌଣସି ନିର୍ଦ୍ଧାରଣ ଅଜ୍ଞତା ହେତୁ ବିଭିନ୍ନ ପ୍ରକାର ଲୁଗା ରଖିବାକୁ ପଡିଥାଏ ଦୋକାନରେ । ଅର୍ଥାତ ଦୋକାନୀଙ୍କ ସମସ୍ତ ଲୁଗା ବିକ୍ରି ହେବ । କିନ୍ତୁ କାହାର ଗ୍ରହଣୀୟତା କ’ଣ ସେ ଜାଣନ୍ତି ନାହିଁ । ତେଣୁ ସହ ସହ ଲୁଗା ରଖିଥା’ନ୍ତି ଯାହା, ସବୁ ବିକ୍ରି ହେବ । କି’ନ୍ତୁ ଯାହାର ଗ୍ରହଣୀୟତାକୁ ନେଇ ତା’ର ନିଜସ୍ୱ ଅନୁଭବ । ଏବଂ ସେହି ଅନୁଭବରୁ ସୃଷ୍ଟି ଅନୁଭୂତି ଯାହା ତାଙ୍କୁ ଭବିଷ୍ୟତରେ ସାହାଯ୍ୟ କରିଥାଏ ଆଉ ଗୋଟିଏ ବାଛିନେବା ପାଇଁ । କି’ନ୍ତୁ ଅନ୍ୟ ଗୁଡିକ ମଧ୍ୟ କୌଣସି ଅଗ୍ରହଣୀୟ ନୁହେଁ । ବରଂ କାହାକୁ କେଉଁଟା ଭଲ ଲାଗେ, ସେଇଟା ତାହାର ଅନୁଭୁତିରେ ରହିଥାଏ । ତେଣୁ ବ୍ୟକ୍ତିଗତ ଅନୁଭୂତର କୌଣସି ନିର୍ଦ୍ଧିଷ୍ଠ ବାସ୍ତବତା, ସତ୍ୟତା ରହିନଥାଏ । ବାସ୍ତବ, ସତ୍ୟ ଏବଂ ବ୍ୟକ୍ତିଗତ ଅନୁଭବ ମଧ୍ୟରେ ପ୍ରଭେଦ ମାପକରି ମଣିଷର ଅନୁଭୂତି ସୃଷ୍ଟି ହୋଇନଥାଏ । ବରଂ ନିଜକୁ କୌଣସି କାରଣରୁ ଗ୍ରହଣୀୟ ଅନୁଭବ ବିଷୟ ସମ୍ପୃକ୍ତ ମଣିଷର ଅନୁଭୁତିରେ ରହିଥବା ହେତୁ ସେଗୁଡିକୁ ସାର୍ବଜନୀନ କ୍ଷେତ୍ରରେ ଉପଯୋଗ କରାଯାଇ ନପାରେ । ତେଣୁ ସତ୍ୟ ଏବଂ ବାସ୍ତବଜ୍ଞାନ ବ୍ୟତୀତ ଅନ୍ୟ ଯେକୌଣସି ଅନୁଭୂତିକୁ ମଣିଷ ନିଜସ୍ୱ ବିଚାରଧାରା ମଧ୍ୟରେ ସୀମିତ ରଖି, ସାର୍ବଜନୀନ କରାଯିବା ବିଧେୟ ନୁହେଁ । ଅଧିକନ୍ତୁ କୌଣସି ଅଲୌକିକ, ଅଜ୍ଞାତ ବିଷୟରେ କାହାର ବ୍ୟକ୍ତିଗତ ଅନୁଭୂତି ଆଦୌ ଗ୍ରହଣୀୟ ହୋଇ ନପାରେ ! ଯେକୌଣସି ବିଷୟର ଗ୍ରହଣୀୟତାକୁ ନେଇ ଅନୁଭବର ସମଷ୍ଟିକୁ ଅନୁଭୂତି ବୋଲି ବିଚାରକୁ ନେଇଥାଉ ଆମେ । ସେହି ଗ୍ରହଣୀୟତା ଅନେକ ସମୟରେ ପରିପାଶ୍ୱିର୍କ ପରିସ୍ଥିତିର ପ୍ରଭାବଜନିତ ହେଉଥିବା ବେଳେ ଆଉ କେତେକ ନିଜର ମାନସିକ ଭାବାବେଗ ଜଡିତ ଥାଇ କୌଣସି କାରଣରୁ କାହାକୁ କ’ଣ ଭଲ ଲାଗେ ତାହା ସମ୍ପୃକ୍ତ ମଣିଷର ଗ୍ରହଣୀୟତା ଅନ୍ତର୍ଭୁକ ହୋଇଥାଏ । ସେହି ଗ୍ରହଣୀୟ ବିଷୟକୁ ମନ ମାନସରେ ଭରିଦେଇ ଆନନ୍ଦ, ନିରାନନ୍ଦର ସନ୍ତୁଳିତ ବ୍ୟବଚ୍ଛେଦ କରି ମଣିଷ ଅନୁଭବ କରିଥାଏ ଅନେକ ତଥ୍ୟ । ସେହିଭଳି କେତେକ ଅନୁଭବର ସମଷ୍ଟି ମଣିଷ ଜୀବନର ଅନୁଭୂତି ପ୍ରବାହ କରିଥାଏ । ସେହି ଅନୁଭୂତିକୁ ମଣିଷ ଅନେକ ସମୟରେ ଶିରୋଧାର୍ଯ୍ୟ କରି ରଖିଥାଇ ସମୟରେ ତାହାର ଉପଯୋଗ କରୁଥିବା ସମସ୍ତଙ୍କର ବ୍ୟକ୍ତିଗତ ଅନୁଭବ ଥିବ ନିଶ୍ଚୟ । କିନ୍ତୁ ନିଜର ବ୍ୟକ୍ତିଗତ ଅନୁଭୂତି ଗୁଡିକୁ ସର୍ବୋକୃଷ୍ଠ, ସର୍ବଶେଷ ବୋଲି ବିଚାର କରିବା ଠିକ୍ ନୁହେଁ । କିମ୍ବା କୌଣସି ବିଷୟର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ନଜାଣି କେବଳ ନିଜର ଆଗ୍ରହ ଜନିତ ଗ୍ରହଣୀୟତାର ଅନୁଭୂତିକୁ ସାର୍ବଜନୀନ କରି ଅନ୍ୟକୁ ବାଣ୍ଟିବା ଆଦୌ ଠିକ ନୁହେଁ । ଅର୍ଥାତ ନିଜର ଅନୁଭୂତି ଗୁଡିକ ଯଦି ସମ୍ପୂର୍ଣ୍ଣ ସତ୍ୟ, ତଥ୍ୟ ଉପରେ ଆଧାରିତ ବୋଲି ପ୍ରମାଣ କରିପାରିବା କ୍ଷମତା ଥିଲେହିଁ ସେଗୁଡିକୁ ଅନ୍ୟକୁ ବାଣ୍ଟି ସମାଜରେ ସଚେତନତା ସୃଷ୍ଟି କରାଯାଇ ପାରେ । କି’ନ୍ତୁ ପ୍ରାମାଣିକ ତଥ୍ୟ ବିହୁନ ନିଜସ୍ୱ ଅନୁଭୂତିକୁ ବ୍ୟକ୍ତିଗତ ବିଚାରଧାରା ମଧ୍ୟରେ ରଖିବା ପରିବର୍ତ୍ତେ ବାହ୍ୟାରେ ଉପସ୍ଥାପନ କରାଯିବା ମାନବିକତାର ବିପରୀତ ଚିନ୍ତନ ଯାହାସବୁ ଗ୍ରହଣୀୟ ନୁହେଁ । କ୍ଷିପ୍ର ବୁଦ୍ଧି ଚାଳନା ହେଉ କିମ୍ବା ନିର୍ବୋଧତା, ଅନେକ ସମୟରେ ବିଯୁକ୍ତାତ୍ମକ ଦିଗକୁ ଟାଣିନେଇ ଅସତ୍ୟକୁ ଅକୁଣ୍ଠରେ ଗ୍ରହଣ କରିବା ସହିତ କୌଣସି ପ୍ରାମାଣିକ ତତ୍ୱ, ତଥ୍ୟ ବିହୀନ ବିଷୟ ଗୁଡିକ ପ୍ରତି ପ୍ରଖର ଆସକ୍ତ ହେଉଥିବା ମଣିଷର ଏକ ପ୍ରାକୃତିକ ଅଲୌକିକ ବିଚାରଧାରା ବିଶିଷ୍ଟ ମାନସିକତା । ସେହି ଆକୃଷ୍ଠଭାବ କେବଳ ଅଜ୍ଞାନ, ଏବଂ ନିର୍ବୋଧତାର ପ୍ରତିଫଳନ ଯାହା ଶିକ୍ଷାରୁ ମିଳି ନଥାଏ ! ଉପଯୁକ୍ତ ବିଚାରଧାରା ସୃଷ୍ଟି କରିବା ତଥା ସତ୍ୟ, ତଥ୍ୟକୁ ନିଜର ଗ୍ରହଣୀୟତାରେ ବଶବର୍ତ୍ତୀ କରି ଅନୁଭୂତି ସୃଷ୍ଟି କରିବା କେବଳ ଅନ୍ତର୍ନିହିତ ନିଜସ୍ୱ ଜ୍ଞାନରୁ ହିଁ ସମ୍ଭବ ଯାହା କରିବା ଅସମ୍ଭବ ହୋଇନଥିଲେ ମଧ୍ୟ ତାହାପ୍ରତି କାହାର ନିଗୁଢ଼ ମନୋନିବେଶ ନଥିବା ହେତୁ ସମସ୍ତେ ସେଇଥିରୁ ନିବୃତ୍ତ ଥାଇ କେବଳ ଦେଖା, ଶୁଣାରୁ ନିଜର ଗ୍ରହଣୀୟତା ସୃଷ୍ଟି କରି ଅନୁଭୂତି ସାପେକ୍ଷ କରୁଥିବା ଦେଖିବାକୁ ମିଳୁଛି ସର୍ବତ୍ର ! ସେହି ଅନୁଭୂତି ଗୁଡିକୁ ପୁଣି ସାର୍ବଜନୀନ କରି ସ୍ଥଳ ବିଶେଷରେ ଲିଖିତ କିମ୍ବା ଉପଦେଶାତ୍ମକ ବକ୍ତବ୍ୟ ମାଧ୍ୟମରେ ସାର୍ବଜନୀନ କରୁଥିବା ଦେଖିବାକୁ ମିଳୁଛି ଅନେକଙ୍କ କ୍ଷେତ୍ରରେ । ସାଧାରଣ ନିର୍ବୋଧ ବିଚାରଶୂନ୍ୟ ଭାବେ ତାହାର ତଥ୍ୟ, ସତ୍ୟ ଉପରେ କୌଣସି ବିସ୍ଲେଷଣ ନକରି, ଗ୍ରହଣ କରୁଛନ୍ତି ସେଗୁଡିକ ଯାହା ହୁଏତ ବର୍ଜନୀୟ ନିଶ୍ଚୟ । କାରଣ କୌଣସି ବିଷୟର ସତ୍ୟାସତ୍ୟ ନବୁଝି ଗ୍ରହଣ କରି ନିଜ ଅନୁଭୂତିରେ ସଂଯୋଜିତ କରିବା କେତେଦୂର ଠିକ ନିର୍ଭର କରୁଛି ନିଜସ୍ୱ ବିଚାରଧାରା ଉପରେ ଯାହାର ପରିମାର୍ଜନା କରାଯିବା ଅନିବାର୍ଯ୍ୟ । ନିଜର ଅନୁଭବକୁ ସତ୍ୟ, ତଥ୍ୟ ଉପରେ ଆଧାର କରି ନିଜ ଜୀବନକୁ ସରଳ, ସୁନ୍ଦର କରାଯିବାରେ କାହାର ମତାମତକୁ ଅଚିରେ ଶିରୋଧାର୍ଯ୍ୟ କରିନେବା ଆଦୌ ଗ୍ରହଣୀୟ ନୁହେଁ । ନିଜେ ନିଜର ଅନ୍ତର୍ଜ୍ଞାନ ଉଦୟ ପୂର୍ବକ ଯେକୌଣସି ବିଷୟର ସତ୍ୟାସତ୍ୟ ଜାଣିବା ପରେହିଁ ଗ୍ରହଣ କରିବା ଠିକ୍, ଯାହା ନିଜର ସ୍ଥିର ଚିତ୍ତ ଏବଂ ବିଚାରଶୀଳ ଭାବନା ଦ୍ୱାରା ସମ୍ଭବ ହୋଇପାରେ । ଅଧିକନ୍ତୁ କୌଣସି ବିଷୟକୁ ଗ୍ରହଣ କରିବା ପୂର୍ବରୁ ନିରୀକ୍ଷଣ, ବିସ୍ଲେଷଣ ଏବଂ ଧ୍ୟାନ ମଧ୍ୟରେ ରଖି ଉପଯୁକ୍ତ ତଥ୍ୟ, ସତ୍ୟକୁ ଉନ୍ମୋଚନ କଲା ପରେହିଁ ଗ୍ରହଣ କରି ନିଜର ଅନୁଭବ ସାପେକ୍ଷ କରାଗଲେ ସେହି ଅନୁଭୂତି ଗୁଡିକ ଭବିଷ୍ୟ ଉପଯୋଗୀ ହୋଇପାରିବ ଏବଂ ମଣିଷ ପ୍ରାୟତଃ ସତ୍ୟ ଉପରେ ଆଧାରିତ ସମସ୍ତ ତଥ୍ୟ ଠିକ୍ ଭାବେ ବୁଝି ଜାଣିପାରିବ । ଅନ୍ୟଥା ସମାଜରେ ପ୍ରଚାରିତ, ପ୍ରସାରିତ ସମସ୍ତ ତଥ୍ୟ, ବିଷୟକୁ ଅକୁଣ୍ଠରେ ଗ୍ରହଣ କଲେ ନିଜକୁ ନିଜେ ପରୋକ୍ଷରେ ପ୍ରତାରିତ କରିବାରେ କାହାକୁ ଦୋଷାରୋପ କରିବା ଅଯୌକ୍ତିକ ।
ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.