ଅନୁରୋଧ ରକ୍ଷାକଲେ ଜିଲ୍ଲାପାଳ : ଭଟ୍ଟର ହସ୍ପିଟାଲରେ ମେଡିସିନ୍ ଡାକ୍ତର ନିଯୁକ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ରେଫାରାଲ ହସ୍ପିଟାଲଭାବେ ସୁପରିଚିତ ଜିକେଭଟ୍ଟର ହସ୍ପିଟାଲରେ ଡାକ୍ତର ଅଭାବରୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇ ଆସୁଥିବାରୁ ଜିଲାପାଳଙ୍କ ଦ୍ୱାରା ଆହୁତ ଶାନ୍ତି କମିଟି ବୈଠକରେ ଜଳେଶ୍ୱରର ବୁଦ୍ଧିଜିବୀ ଓ ସଚେନତ ନାଗରିକମାନେ ଅଧିକ ଡାକ୍ତର ନିଯୁକ୍ତି ଲାଗି ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲାପାଳ ହସ୍ତକ୍ଷେପ କରି ଜଣେ ଭେଷଜ ବିଷେଶଜ୍ଞଙ୍କୁ ନିଯୁକ୍ତି ଦେଇଥିବା ଜଣାଯାଇଛି । ୧୯୭୮ ମସିହାରୁ ଅଦ୍ୟାବଧି କେବଳ ଦାନରେ ଗଢି ଉଠିଥିବା ଜିକେଭଟ୍ଟର ହସ୍ପିଟାଲର ରୋଗୀ ସେବା ଧାରାବାହିକଭାବେ କମିକମି ଆସୁଥିଲା । ଏପରିକି ଡାକ୍ତର ନ ଥିବା ବେଳେ ଫାର୍ମାସିଷ୍ଟ ଡାକ୍ତରଙ୍କ କାର୍ଯ୍ୟ ତୁଲାଉଥିଲେ । କୌଣସି ରୋଗୀ ଆସିଲେ ତାଙ୍କୁ ବାଲେଶ୍ୱର ରେଫାର କରାଯାଉଥିଲା । ଅତୀତରେ ଡାକ୍ତର ଅଭାବରୁ ରାତ୍ରୀକାଳୀଳ ସମସ୍ତ ସେବା ବନ୍ଦ କରାଯାଇଥିଲା । ସର୍ବଶେଷରେ ଗତ ସ୍ୱାଧୀନତା ଦିବସ ଦିନ ଏକ ନାବାଳକର ମୃତ୍ୟୁ ଘଟଣାକୁ ନେଇ ଅଘଟଣ ଘଟିଥିଲା । ଏପରିକି ଦୀର୍ଘ ୪ ଦିନ ସମସ୍ତ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବନ୍ଦ ହୋଇଥିଲା । ଜିଲାପାଳଙ୍କ ନିର୍ଦ୍ଦେଶ ଫଳରେ ଆପାତତଃ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଥିବା ବେଳେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଆବାହକତ୍ୱରେ ଏକ ଶାନ୍ତି ବୈଠକ ଆହୁତ ହୋଇ ସମସ୍ୟାର ସମାଧାନ ନେଇ ଜିଲାପ୍ରଶାସନ ଓ ଶାନ୍ତିକମିଟି ମଧ୍ୟରେ ନିଷ୍ପତ୍ତି ହୋଇଥିଲା । ବହୁ ଘଟଣା ସହିତ ଡାକ୍ତର ନିଯୁକ୍ତି ଏକାନ୍ତ ଅପରିହାର୍ଯ୍ୟ ବୋଲି ଜିଲାପାଳ ଉପଲବ୍ଧୀ କରିଥିଲେ । ତେଣୁ ଗତ ୧ ତାରିଖରେ ଜଣେ ଭେଷଜ ବିଶେଷଜ୍ଞ ଡା. ରତ୍ନାକର ଦାସଙ୍କୁ ଏଠାରେ ନିଯୁକ୍ତି ଦେଇଥିବାରୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସମସ୍ତ ସରକାରୀ ସେବା ଯୋଗାଇ ଦେବାପାଇଁ ଆଉ ୨ଜଣ ଡାକ୍ତର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଯୋଗ ଦେବେ ବୋଲି ବିଧାୟକ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ଶିଶୁ ଡାକ୍ତର ଭାବେ ଡା. ପିଏଲ୍ ଦାସ ଓ ଅନ୍ୟ ଜଣେ ଡାକ୍ତର ଯୋଗ ଦେବେବୋଲି ବିଶେଷ ସୂତ୍ରରୁ ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା