

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାରେ ଗତ ମାସରେ ସଡକ ଦୁର୍ଘଟଣାରେ ମୃତ୍ୟୁହାର କମିଛି ଏଣୁ ଏସପି ପୋଲିସ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ । ନୂତନ ଭାବେ ଲାଗୁ ହୋଇଥିବା ପରିବହନ ନିୟମକୁ କଡା କଡ଼ି ଭାବେ ପାଳନ କରିବା ପାଇଁ ଲୋକମାନଙ୍କୁ ସଚେତନତା କରିବା ସହ ଡ୍ରାଇଭିଂ ଲାଇସେନ୍ସ, ଦ୍ରୁତ ଗତିରେ ଗାଡି ଚାଳନା, ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ବସିବା, ହେଲମେଟ ଯାଞ୍ଚ କରାଯାଇ ଗତ ମାସରେ ୭ଲକ୍ଷ ୨୧ହଜାର ୩ଶହ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି । ଦିନକୁ ୫ ଘଣ୍ଟା ବିଭିନ୍ନ ସମୟରେ ମୋଟର ଗାଡିକୁ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ୱାରେଣ୍ଟି ଡ୍ରାଇଭକୁ କଡାକଡି କରିବାକୁ କୁହାଯାଇଛି । ନୂଆ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ପଠାଇବାକୁ ଏସପି ଶ୍ରୀ ରାଏ କହିଥିଲେ । ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳ ୬୦ ପ୍ରତିଶତ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାଦ୍ୱାରା ଅପରାଧୀ ମାନଙ୍କ ଗତିବିଧି ନିରୀକ୍ଷଣ କରିବା ସହଜ ହେବ ବୋଲି କୁହାଯାଇଛି । ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଅଧିକାରୀ ମାନଙ୍କୁ ସଚେତନ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

