ଏବେ ପରିସ୍ଥିତି ଟିକେ ଭଲ ଅଛି, ନହେଲେ ଗତ ୨ ଵର୍ଷକାଳ ଚୀନୀ କରୋନା ସମସ୍ତଙ୍କୁ ଘାଣ୍ଟି ଦେଇନି ! ଚୀନର ଉହାନରୁ ଉଦ୍ଭୁତ କୋଭିଡ୍-୧୯ ସମଗ୍ର ବିଶ୍ବକୁନାକରେ କନ୍ଦାଇଛି, ସାରା ପୃଥିବୀର ପ୍ରାୟ ୨୦୦ ଦେଶରୁ ପାଖାପାଖି କୋଟିଏ ଲୋକଙ୍କୁମୃତ୍ୟୁ ମୁଖକୁ ଠେଲି ଦେଇଛି, କ୍ଷୟକ୍ଷତି ଯାହା କରିଛି ବର୍ଣ୍ଣନା କରିବା କଷ୍ଟ । ଅନେକ ଦେଶର ଅର୍ଥନୀତିକୁ ଏମିତି ପଙ୍ଗୁ କରି ଦେଇଛି ଯେ ସିଏ ସଜାଡି ହେବାକୁ ଆହୁରି ଢେରଦିନ ଲାଗିବ । ଆପଣମାନେ ହୁଏତ ଲକ୍ଷ୍ୟ କରିଥିବେ, କେତେକ କହୁଛନ୍ତି,ଏ କରୋନାର ଏତେ ପ୍ରଚାର ପ୍ରସାର ଏକ ଆନ୍ତର୍ଜାତୀୟ ବ୍ୟପାରର ଅଂଶ ବିଶେଷ । ଗତ ୨ଵର୍ଷ କରୋନା ସମୟରେ ପ୍ରାୟ ପ୍ରତିଦିନ ନୂଆ ନୂଆ ଔଷଧ ବାହାରିଲା, ବାବା ରାମଦେବଙ୍କ ପତଞ୍ଜଳିଠୁ ଆରମ୍ଭ କରି ଅନେକ ଭାରତୀୟ କମ୍ପାନୀ ଓ ବିଦେଶୀ କମ୍ପାନୀଦ୍ଵାରା, କେତେକ କହୁଛନ୍ତି ଏବେ କୋଭିଡ-୧୯ର ଭୟାବହତା ପ୍ରଚାର, ତେଣେ ପ୍ରତିଦିନ ନୂଆ ନୂଆ କରୋନା ପ୍ରତିରୋଧୀ ଔଷଧ, ୟାକୁ କହିବ ବ୍ୟବସାୟୀ ବୁଦ୍ଧି ! ସେମିତି ଏବେ ଲକ୍ଷ୍ୟ କରିଥିଵେ ବାତ୍ୟା, “ଅସାନୀ”, କଥା ଉଠୁ ଉଠୁ କେମିତି ସବୁ ଜିନିଷର ଦରଦାମ ବଢିଲା ! ସହଜେ ତ ଦେଶରେ ସବୁପ୍ରକାର ଇନ୍ଧନଦର ଆକାଶଛୁଆଁ, କରୋନାପରଠୁ ଅନେକ ଜିନିଷପତ୍ର ମୂଲ୍ୟରେ ଯେମିତି ଡେଣା ଲାଗିଯାଇଛି । ତା ସାଙ୍ଗକୁ ଏ ବାତ୍ୟା, କେତେକ(ସମସ୍ତେ ନୁହନ୍ତି) ବେପାରୀଙ୍କର ତ କଚେ ପୁଅ ବାର, ଏମିତି ମୌକାକୁ ସେମାନେ ଅନାଇ ବସିଥାନ୍ତି, କାହାର ପୁଷମାସ କାହାର ସର୍ବନାଶ, କିଏ ଭୋଗିବେ ତାଙ୍କର କ’ଣ ଯାଏ ଆସେ ? ଏପ୍ରିଲ ଶେଷରେ ଟମାଟୋ ଟ୨୫/-ରୁ ଟ୪୦/- ରେ ମିଳୁଥିଲା, ବାତ୍ୟା କଥା ପଡୁପଡୁ ଟମାଟୋ ବଜାରରେ ଯେମିତି ନିଆଁ ଲାଗିଗଲା, ଟ୭୦ ରୁ ଟ୮୦/- ହୋଇ ଗଲା, ତାକୁ ଚାହିଁ ଆଉ ସଵୁ ପରିବା ଦର ବଢ଼ିଗଲା, ଏସବୁ ଯୋଗାଣ ଅଭାବଜନିତ ନୁହେଁ, କିଛିଟା ହୋଇପାରେ, ନଚେତ୍ ଆଉସଵୁ ଦରବୃଦ୍ଧି ଚକ୍ରାନ୍ତର ଫଳ । ଅବଶ୍ୟ ଆମ ଯୋଗାଣ ବିଭାଗ ବା ମାର୍କେଟ ଇନସ୍ପେକ୍ଟର ସବୁ ନାମକୁ ମାତ୍ର, ଯିଏ ଯାହା ପାଉଣା ପାଇଲେ ଗଲା, ସାଧାରଣ ଜନତା ଭୋଗିଲେ ତାଙ୍କର ଢୋ’। କଞ୍ଚା ପରିବା କେଜି ୪୦ରୁ୫୦/- ତଳକୁ ନାହିଁ, ଖାଲି ଭେଣ୍ଡିକୁ ଛାଡି ଦେଲେ, ସାରୁ ଟ୮୦/- ଓ କଖାରୁ କେଜି ଟ୭୦/- ହୋଇଥିଲା ।ଟମାଟୋ ଗୋଟିଏ ଅପରିହାର୍ଯ୍ୟ ପରିବା, ନିତିଦିନିଆ ତରକାରୀ ପତ୍ରରେ । ହଠାତ୍ ଦର ଦୁଇଗୁଣାରୁ ଅଧିକ ହୋଇଯିବାରୁ ଏହି ସବୁଦିନିଆ ପରିବାଟି ପରିଵା ବ୍ୟାଗରୁ ତଥା ହାଣ୍ଡିଶାଳରୁ ଉଭେଇ ଯାଇଛି । ଗତ ଫେବୃଆରୀ-ମାର୍ଚ୍ଚ ମାସରେ ଚାଷୀ ବିଲ ମୁଣ୍ଡରେ ଟ୨-୩/- କେଜିରେ ବିକିଛନ୍ତି ଟମାଟୋ, ଏମିତିକି ଟ୍ରେ ଟ୨୫-୩୦/ରେ ବିକ୍ରୀ ହୋଇଛି । ଅବଶ୍ୟ ସେ ସବୁ ଅଭାବୀ ବିକ୍ରୀ, ଗଞ୍ଜାମ, କେଉଁଝର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କଟକ, ସୁନ୍ଦରଗଡ଼, ବଲାଙ୍ଗୀର ଏମିତି ଅନେକ ଜିଲ୍ଲାରେ ଚାଷୀ ବାଧ୍ୟ ହୋଇ ଅଭାବୀ ବିକ୍ରୀ କରିଛି, ଉତ୍ପାଦନ ପ୍ରବଳ ହୋଇଛି, ବଜାର ସୁବିଧା ନାହିଁ, ସ୍ଥାନୀୟ ଚାହିଦା ନାହିଁ, ଗଚ୍ଛିତ କରି ରଖିବାକୁ ଶୀତଳଭଣ୍ଡାର ସୁବିଧା ନାହିଁ, ତେଣୁ ଅଭାବୀ ବିକ୍ରୀ ନିମନ୍ତେ ବାଧ୍ୟ । ଅମଳ ସମୟରେ ଟମାଟୋ ବଜାର ଦର ଏତେ ଖସିଲା ଯେ, ଚାଷୀଙ୍କ ତୋଳା ଖର୍ଚ୍ଚ ମଧ୍ୟ ଉଠିଲାନି, ତା’ପରେ ପରିବହନ ଖର୍ଚ୍ଚ ଅଛି, ଅନେକ ଚାଷୀ ଟମାଟୋ ନ ତୋଳି ଜମିରେ ଗୋରୁଗାଈ ପୁରାଇ ଦେଲେ, ଲୋକଙ୍କ ମଧ୍ୟରେ ବାଣ୍ଟିଲେ, ମାଛ ଖାଦ୍ୟ ନିମନ୍ତେ ପୋଖରୀରେ ପକାଇଲେ, ରାସ୍ତାରେ ଢଳା ହେଲା କୁଢ଼ କୁଢ଼ ଟମାଟୋ। ଏହାର ସମାଧାନ ବଦଳରେ ଅଣଦେଖା ଏବେ ମହଙ୍ଗା ପଡୁଛି, ପଡୋଶୀ ରାଜ୍ୟ ନିୟନ୍ତ୍ରଣରେ ଆମ ପରିବା ବଜାର । ଯାହାକୁ କହନ୍ତି,”ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ଗୋଟେ ନାହିଁ ।” ପିଆଜ କାଟିଲେ ଆଖିରୁ ଲୁହ ବାହାରେ,ଅର୍ଥାତ୍ ପିଆଜ କନ୍ଦାଇ ପାରେ, ପୁଣିପିଆଜ ହସାଇପାରେ ମଧ୍ୟ । ଚଳିତ ବର୍ଷ ନୂଆପଡ଼ା ଜିଲ୍ଲା ସିନାପାଲିରେ ଏତେ ପରିମାଣରେ ପିଆଜ ଉତ୍ପାଦନ ହୋଇଛି ଯେ ଚାଷୀମାନଙ୍କ ମନରେ ଖୁସି ଆଣିଦେଇଛି । ଓଡ଼ିଶାରେ ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ମୁଖ୍ୟତଃ ପିଆଜ ଚାଷ କରାଯାଏ । ଚଳିତ ବର୍ଷ ପିଆଜ ଭଲ ଅମଳ ହୋଇଛି, କେବଳ କଳାହାଣ୍ଡି ଜିଲ୍ଲାରେ ୫୦,୦୦୦ ମେଟ୍ରିକ୍ଟନ୍ ପିଆଜ ଉତ୍ପାଦିତ ହୋଇଛି । ମାତ୍ର ଦୁଃଖର ବିଷୟ ସ୍ଥାନୀୟ ଏବଂ ଛତିଶଗଡ଼ି ବେପାରୀ ସିଧା ଜମିରୁ ଏହି ପିଆଜ ବର୍ତ୍ତମାନ କେଜି ଟ୫ରୁ୮/-ରେ କିଣି ନେଉଛନ୍ତି । ଚାଷୀ ବାଧ୍ୟ ହେଉଛି ଶସ୍ତାରେ ବିକିବାକୁ କାରଣ ଅମଳ ପିଆଜ ଭଲ ଦର ପାଇବା ନିମନ୍ତେ ୨ରୁ ୪ ସପ୍ତାହ ସମୟ ଦରକାର, ରକ୍ଷଣାବେକ୍ଷଣର କୋୖଣସି ସୁବିଧା ନାହିଁ, ଶୀତଳଭଣ୍ଡାର ତ ଆଜି ସୁଦ୍ଧା ହୋଇପାରିଲା ନାହିଁ । ସରକାର ୨୫ଟନ୍ କ୍ଷମତା ବିଶିଷ୍ଟ ୧୧୦ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ସ୍ଥିର କରିଥିଲେ ମଧ୍ୟ କିଛହେଲେ ସମ୍ପୂର୍ଣ୍ଣ ହୋଇନାହିଁ । ଘରୋଇ ଭାବେ ଶୀତଳ ଭଣ୍ଡାର କରିବାକୁ ହେଲେ ଆଗେ ପୁଞ୍ଜି ଲଗାଇବ, ପଛରେ ସବସିଡି ମିଳିବ, ସେଥିପାଇଁ ସେ ଦିଗରେ ଚାଷୀ ଵିତସ୍ପୃହ । କୃଷିମନ୍ତ୍ରୀ ବିଧାନସଭାରେ କହିଛନ୍ତି, ରାଜ୍ୟରେ ସର୍ବମୋଟ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ, ଯାହା ଚାହିଦାର ମାତ୍ର ୧.୯% ତଥାପି ଚାଷୀ ବେଳକୁ ବେଳ ଅଧିକ ପରିମାଣର ଜମିରେ ପିଆଜ ଚାଷ କରୁଛନ୍ତି । ଗୋଟିଏ ଉଦାହରଣ ଦେଉଛି, କଳାହାଣ୍ଡି ଜିଲ୍ଲାରେ ଗତବର୍ଷ ୨୨୦୦ ହେକ୍ଟରରେ ପିଆଜ ହୋଇଥିଲାବେଳେ ଚଳିତବର୍ଷ ୨୪୫୦ ହେକ୍ଟରରେ ପିଆଜ ଚାଷ ହୋଇଛି, ଜିଲ୍ଲାର କୃଷି ବିଭାଗ ଆସନ୍ତା ବର୍ଷ ସୁଦ୍ଧାଏହାକୁ ୬,୦୦୦ ହେକ୍ଟରକୁ ବଢ଼ାଇବାକୁ ମନସ୍ଥ କରିଛନ୍ତି ।ଆମ ରାଜ୍ୟରେ ଚାହିଦା ତୁଳନାରେ ଯଥେଷ୍ଟ ଅଧିକ ପରିମାଣର ପିଆଜ ଅମଳ ହେଉଛି, ମାତ୍ର ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ଅଭାବରୁ ଚାଷୀ ଅଭାବୀ ବିକ୍ରୀକୁ ସାମ୍ନା କରୁଛି ଏବଂ ଦରକାର ବେଳେ ଆମେ ସେଇ ଜିନିଷ ଯଥେଷ୍ଟ ଅଧିକ ପଇସା ଦେଇ କିଣୁଛେ । କେବେ ଏ ଅଭାବ ଏ ହିନମନ୍ୟତା ଦୂର ହେବ,କେବେ ଆମେ ଆତ୍ମନିର୍ଭରଶୀଳ ହେବା, ଆମ ଜିନିଷ ଉପରେ ଭରସା କରି ଆମେ ଆରାମରେ ଚଳିପାରିବା ! ରାଜ୍ୟ ସରକାର ଏତେ ଯୋଜନା କରୁଛନ୍ତି ଏଡେ ଏଡେ ପ୍ରକଳ୍ପ କରୁଛନ୍ତି, କେତେଟା ଶୀତଳଭଣ୍ଡାର କ’ଣ କରିପାରିବେନି ? ରାଜ୍ୟରେ ଆଳୁ ଅଭାବ ଦୂର କରିବା ନିମନ୍ତେ ସରକାର ୨୦୧୫ ମସିହାରେ ଆଳୁ ମିଶନ ଆରମ୍ଭ କଲେ,କ’ଣ ହେଲା କେଜାଣି ସେଥିରେ ସଫଳତା ମିଳିଲା ନାହିଁ । ଏବେ ମଧ୍ୟ ଆମେ ପଡୋଶୀ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଦି ଉପରେ ନିର୍ଭରକରୁଛେ ଆଳୁ ପାଇଁ । ପରହସ୍ତଗତ ଧନ ଭଳି ୨୦୧୬ରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପରିବହନ ଉପରେ ରୋକ୍ ଲଗାଇଥିଲେ କିଛି ଦିନ ସକାଶେ । ୨୦୧୬ ମସିହାରେ ପିଆଜ ଉପରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପିଆଜ ମିଶନ କରିଥିଲେ, ସେଥର କ’ଣ ହେଲା କେଜାଣି, ବର୍ତ୍ତମାନ ଯଦି ରାଜ୍ୟ ଚାହିଦା ଅପେକ୍ଷା ଢେର ଅଧିକା ପିଆଜ ଉତ୍ପନ୍ନ ହେଉଛି, ସେତେବେଳେ କାହିଁକି ହେଲାନି ?ଚଳିତ,୨୦୨୨ ଅକ୍ଷୟ ତୃତୀୟାରେ ସରକାର ପଣସ ମିଶନ ଆରମ୍ଭ କରିଛନ୍ତି, ବହୁତ ଖୁସିର କଥା । ରାଜ୍ୟର ଅନେକ ଆଦିବାସୀ ଜିଲ୍ଲା ଯଥା:- କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ମୟୁରଭଞ୍ଜ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଉତ୍ପନ୍ନ ହୁଏ,ମାତ୍ର ଉପଯୁକ୍ତ ବଜାର ବ୍ୟବସ୍ଥା,ଗମନା ଗମନ ଏବଂ ଗୋଦାମ ଘର ସୁବିଧା ଅଭାବରୁ ଇଏ ମଧ୍ୟ ଅଭାବୀ ବିକ୍ରୀର ଶିକାର ହୁଏ । ପଡୋଶୀ ରାଜ୍ୟ ଏମିତିକି ସୁଦୂର ମହାରାଷ୍ଟ୍ର ବେପାରୀ ଆସି ଗଛମୂଳରୁ ପଣସକୁ ଶାଗ- ମାଛ ଦରରେ କିଣି ନିଅନ୍ତି । ଗୋଟା ଟ୨ରୁ ୫/-ରେ କିଣି ସେମାନେ ଟ୫୦-୬୦/- କିମ୍ବା ଅଧିକାରେ ବିକ୍ରୀ କରନ୍ତି । ବର୍ତ୍ତମାନ ବଜାରରେ ପଣସ ଆଚାର, ଚିପସ୍ ଏମିତି କେତେ କ’ଣ ମିଳିଲାଣି, ସବୁଠୁ ବଡ଼ କଥା ପଣସରୁ ପ୍ରସ୍ତତ ଅଟା(କେଜି ଟ୪୦୦/-ରୁ ଅଧିକ) ବହୁମୂତ୍ର ରୋଗୀ ନିମନ୍ତେ ସଞ୍ଜୀବନୀ ସଦୃଶ । ରାଜ୍ୟ ସରକାର ଏସବୁ ନିମନ୍ତେ ଯୋଜନା କରୁଥିଵାର ଶୁଣାଯାଏ, ଯାହା ରାଜ୍ୟ ଅର୍ଥନୀତି ନିମନ୍ତେ ବରଦାନ ହେବା ସଙ୍ଗେ ସଙ୍ଗେ ଆଦିବାସୀମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିବ । ସେମିତି ଏଇ ସବୁ ଜିଲ୍ଲା ଗୁଡିକରେଆମ୍ବ, ସପୁରୀ ପ୍ରଚୁର ପରିମାଣରେ ଉତ୍ପନ୍ନ ହୁଏ, ଉପଯୁକ୍ତ ସଂରକ୍ଷଣ ସୁବିଧା ବ୍ୟତିରେକେ ଏସବୁ ମଧ୍ୟ ଅଭାବୀ ବିକ୍ରୀର ପରିସରଭୁକ୍ତ । ଏସବୁ ଫଳ ନିମନ୍ତେ ଉପଯୁକ୍ତ ପ୍ରସେସିଙ୍ଗ୍ ପ୍ଲାଣ୍ଟ ବ୍ୟବସ୍ଥା ହୋଇପାରିଲେ, ରାଜ୍ୟ ଏଇଥିରୁ ହିଁ ସ୍ବାବଲମ୍ବୀ ହେଇପାରନ୍ତା । ସପୁରୀ, ଆମ୍ବ ଆଦିରୁ, ସସ୍, ଜେଲି, ସ୍କ୍ୱାଶ, ଆଚାର, ସ୍ଲାଇସ୍, ଚିପ୍ସ ଇତ୍ୟାଦି କେତେ ପ୍ରକାର ଖାଦ୍ୟ ଯେ ପ୍ରସ୍ତୁତ ହୋଇ ପାରୁଛି କଞ୍ଚା ତଥା ପାଚିଲା ଅବସ୍ଥାରେ ତା’ର ହିସାବ ରଖିବା କଷ୍ଟ । ଆନନ୍ଦର କଥା, ରାଜ୍ୟ ସରକାର ଏ ଦିଗରେ କିଛି କିଛି ପଦକ୍ଷେପ ନେବା ଆରମ୍ଭ କଲେଣି । ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାରଙ୍କର ସର୍ବାଧିକ ସଫଳ ମିଶନ ହେଲା ବାଜରା(ମିଲେଟ) ମିଶନ, ଯୋଉଥି ପାଇଁ ରାଜ୍ୟ ସରକାର ପ୍ରଶଂସିତ । ଏଇ ବାଜରାରୁ କେତେ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି ଶୁଣିଲେ ଆପଣମାନେ ବିସ୍ମିତ ହୋଇଯିବେ । ବାଜରାରୁ ଲଡୁ, ରସଗୋଲା, ପେଡା, ପାଏସ୍, ହାଲୁୱା, ପଲାଓ, ବିରିଆନି ପ୍ରଭୃତି, ବରା, ପକୁଡ଼ି, ସିଙ୍ଗଡା, ମିକସଚର ଇତ୍ୟାଦି ତ ସାଧାରଣ । ଏସବୁ ରାଜଧାନୀର ବିଭିନ୍ନ ପ୍ରଦର୍ଶନୀରେ ଉପଲବ୍ଧ, ମାତ୍ର ଗୋଟିଏ କଥା ବୁଝି ହେଉନି, ମନେକର ମିକସଚର କେଜି ଟ୨୦୦/-, ବାଜରା ମିକସଚର (ବାଜରା କିଛି ମିଶୁଥିବ, ଧରାଯାଉ କେଜିକରେ ୧୦୦ ଗ୍ରାମ୍) ଦାମ୍ କେମିତି ଟ୩୦୦/-, ବାଜରା ଦର ଏମିତି କେତେ କି ? ଏଇଭଳି ପ୍ରସଙ୍ଗ ହେତୁରୁ ସରକାରୀ କାର୍ଯ୍ୟକ୍ରମ କିଛି ମାତ୍ରାରେ ବିଫଳ ହେଉଛି । ସିଏ ଯାହାହେଉ ଏଇ ନିତିଦିନିଆ ଟମାଟୋ, ପିଆଜ, ଆଳୁ (TOP-Tamato, Onion, Patato) ଉତ୍ପାଦନ ବଢ଼ାଇବା ନିମନ୍ତେ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ TOP ନାମରେ ଏକ ଯୋଜନା ଆରମ୍ଭ କରିଛନ୍ତି । ଏଇ କିଛି ଦିନ ତଳର କଥା, ମାର୍ଚ୍ଚ ଶେଷ ସପ୍ତାହରେ ବଜାରରେ ଲେମ୍ବୁ ଗୋଟାକୁ ଟ୦୨/-ରେ ମିଳୁଥିଲା, ମାତ୍ର ଏପ୍ରିଲ ପ୍ରଥମ ସପ୍ତାହରେ ଲେମ୍ବୁ ଗୋଟା ଟ୧୦/-ଲେମ୍ବୁ ବଜାରରେ ଯେମିତି ନିଆଁ ଲାଗିଗଲା । ସାଧାରଣରେ ଲେମ୍ବୁ ସ୍ୱପ୍ନ ହୋଇଗଲା, ଲେମ୍ବୁପାଣି, ଚାଟ୍, ଆଖୁରସ ବେପାର ପ୍ରାୟ ବନ୍ଦ କହିଲେ ଚଳେ, ନଚେତ୍ ଅଧିକ ପଇସା ଦେବାକୁ ବାଧ୍ୟ । ସାଧାରଣ ଲେମ୍ବୁ ଆଡେ ଚାହିଁବା ମଧ୍ୟ ମୁସ୍କିଲ ହୋଇଗଲା ।କଥା କ’ଣ ନାଁ ଲେମ୍ବୁ ଫସଲ ଏଥର ଭଲ ହୋଇନାହିଁ, ଯାହାତ ହେଲା ହେଲା, ଏକଦା ରାଜ୍ୟ କୃଷିମନ୍ତ୍ରୀ କହିଲେ ଓଡ଼ିଶା ଲେମ୍ବୁ ଉତ୍ପାଦନରେ ପ୍ରଥମ, ଯେତେବେଳେ ଏମିତି କିଛି ନୁହେଁ ।ଆମ ରାଜ୍ୟ ଅମକରେ ପ୍ରଥମ,ଅମକରେ ଦ୍ଵିତୀୟ ଏଗୁଡା ସବୁ ଫମ୍ପା,କିଛି ମୂଲ୍ୟ ନାହିଁ ଏଥିରେ, କାରଣ ଅନ୍ୟ ରାଜ୍ୟରୁ ଜିନିଷ ନ ଆସିଲେ ଆମ ହାଣ୍ଡିଶାଳରେ ହରତାଳ ହୁଏ।ଉଦାହରଣ ସ୍ବରୂପ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆଳୁ,ନାସିକ(ମହାରାଷ୍ଟ୍ର) ଓ ଆନ୍ଧ୍ରରୁ ପିଆଜ,ଛତିଶଗଡ଼, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ ଏବଂ ଆନ୍ଧ୍ରପ୍ରଦେଶରୁ ମାଛ ଓ ଅଣ୍ଡା ଗାଡ଼ି ନ ଆସିଲେ ଆମର ପାଟିକୁ ହାତ ଯାଏନି । ଉପରଲିଖିତ ପନିପରିବା ବ୍ୟତୀତ ଓଡିଶାରେ ସବୁ ଫସଲ ଅଭାବୀ ବିକ୍ରୀର ଅନ୍ତର୍ଗତ । ଯେମିତି ରାୟଗଡାର କପା ଓ ମକା, ଓଡିଶାସାରା ଧାନ, ଆଖୁ ଏମିତିକି ପନିପରିବା ମଧ୍ୟ ଅଭାବୀ ବିକ୍ରୀର ସାମ୍ନା କରୁଛି, ଏସବୁର ନିରାକରଣ ହେଉଛି ଶୀତଳଭଣ୍ଡାର ବା ଉପଯୁକ୍ତ ସଂରକ୍ଷଣ ଗୃହ, ସମୁଚିତ ବଜାର ବ୍ୟବସ୍ଥା ଓ ଗମନାଗମନର ସୁଲଭତା । ସମସ୍ତେ ସବୁବେଳେ କହି ଆସୁଛନ୍ତି, କୃଷକମାନେ ହେଲେ ସମାଜର ମେରୁଦଣ୍ଡ, ରାଜନୀତିରେ ତ ଏଇ ଉକ୍ତିଟି ନହେଲେ ନ ଚଳେ । ଏଇ ଦେଖୁନାହାନ୍ତି, ପ୍ରକୃତ ଚାଷୀ ପାଉ କି ନ ପାଉ କୂଷକ ନାଁରେ କେତେ ଯୋଜନା, କେତେ ପ୍ରୋତ୍ସାହନ, କେତେ କ’ଣ ସେଥିପାଇଁ ଭାରତର ୨ୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀ କହିଥିଲେ, ଜୟ ଜବାନ, ଜୟ କିଷାନ । ମାତ୍ର ପ୍ରତି କ୍ଷେତ୍ରରେ ଚାଷୀ ଯେପରି ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛି, ସେଥିରେ ତ ତା’ର ମେରୁଦଣ୍ଡଟି ଭାଙ୍ଗି ଯାଇଥିବ, ଆଉ ଥିବ ଯେ ସମାଜର ମେରୁଦଣ୍ଡ ହେବ ! ଲକ୍ଷ୍ୟ କରିଥିବେ କୋଭିଡ-୧୯ ଆସିଲା ଦିନଠୁ ସବୁ ଜିନିଷର ଦରଦାମ ଧୀରେ ଧୀରେ ବଢିବାରେ ଲାଗିଛି । ଦୈନନ୍ଦିନ ଖାଦ୍ୟ ପଦାର୍ଥ ଛାଡ, ପ୍ରତ୍ୟେକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଛି । ରନ୍ଧନ ଗ୍ୟାସ ଓ ପେଟ୍ରୋଲିୟମ୍ ପଦାର୍ଥର ଦାମ୍ ତ ବଢ଼ିଛି, ତାସହିତ ଡାଳ ଦେଇ ସବୁ ଜିନିଷର ଦାମ୍ ବଢ଼ିଛି । ୨୦୨୦ ମାର୍ଚ୍ଚ ଦର ଅପେକ୍ଷା ତେଲ ବର୍ତ୍ତମାନ ୨ ଗୁଣା, ଡାଲି ପ୍ରାୟ ୩୦% ବଢ଼ିଛି । ପ୍ରତ୍ୟେକ ଖାଦ୍ୟ ପଦାର୍ଥ କେଜି ଟ୧୦ରୁ୧୫/- ବଢ଼ିଛି, ସବୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯେମିତି ସାବୁନ, ଟେଷ୍ଟ, ସର୍ଫ, ସାମ୍ପୋ ଯାହା ସବୁ ଛୋଟ ସାଚେଟରେ ଉପଲବ୍ଧ, ସେସବୁ ମୂଲ୍ୟ ବଢ଼ି ନାହିଁ ସିନା ପରିମାଣ କମିଯାଇଛି । ଶିଶୁ ଖାଦ୍ୟ ସବୁଥିରେ ଟ୧୫ରୁ୨୦/- ବଢ଼ିଛି, ପ୍ରତ୍ୟେକ ବିସ୍କୁଟ ପାକେଟର ମୂଲ୍ୟ ବଢ଼ିଛି ଟ୫/-, କୋଉ ଜିନିଷଟା ଦର ବଢି ନାହିଁ ଖୋଜିବା କଷ୍ଟ । ବେତନ/ପେନସନ ଭୋଗୀ ଯେମିତି ହେଲେ ଚଳିଯିବେ, କିନ୍ତୁ ସାଧାରଣ ଲୋକ, ଦିନମଜୁରିଆ ଚଳିବା ଅତ୍ୟନ୍ତ କଷ୍ଟଦାୟକ । ଅବଶ୍ୟ ଆଜିକାଲି ସରକାର ଅନେକ ପ୍ରକାର ଯୋଜନା ଅଧିନରେ ଅନେକ ସହାୟତା ଦେଉଛନ୍ତି, ତଥାପି କିଛି ମଧ୍ୟବିତ୍ତ ଏସବୁରୁ ବଞ୍ଚିତ । ଏ ପରିପ୍ରେକ୍ଷୀରେ ସରକାର କିଛି ବ୍ୟବସ୍ଥା କରିବା ନିହାତି ଆବଶ୍ୟକ।ମାତ୍ର ଦେଖାଯାଉଛି, ନାଁ ରାଜ୍ୟ ନାଁ କେନ୍ଦ୍ର ସରକାର କେହି ହେଲେ ଏ ଦିଗରେ କିଛି ପଦକ୍ଷେପ ନେଉନାହାନ୍ତି, ନିରାସକ୍ତ ହୋଇ ବସି ଯାଇଛନ୍ତି । ସାଧାରଣ ଲୋକ କେମିତି ଚଳିବ ସେମାନେ ଚିନ୍ତା କରିବା କଥା, ଏମିତି ନୀରବ ରହିଲେ ଚଳିବ କେମିତି ! ସବୁବେଳେ ଉଚ୍ଚ ଚିନ୍ତା ନକରି ସରକାର ତଳକୁ ଟିକେ ଦେଖନ୍ତୁ, ତଳବାଲାଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ ଧ୍ୟାନ ଦିଅନ୍ତୁ, ତେଵେ ଯାଇ ସାଧାରଣ ଜନତାର ମଙ୍ଗଳ ହେବ, ସମାଜରେ ସୁଖ ଶାନ୍ତି ବିରାଜିବ, ସାଧାରଣ ଲୋକ ସୁଖରେ ରହିଲେ ସମାଜ ଵଦଳିଯିଵ, ଆପଣାଛାଏଁ ସୁଖି ହୋଇଯିଵେ ସମସ୍ତେ, ସମାଜ ମଧ୍ୟ ।
ଲେଖକ : ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯