ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରସିଦ୍ଧ ଚଳଚିତ୍ର ଅଭିନେତା, ଓଡିଆ ସିନେମା ଜଗତର ଦିଗ୍ ଦ୍ରଷ୍ଟା, ଜୟଦେବ ପୁରସ୍କାର ସମେତ ବହୁ ସମ୍ମାନର ଅଧିକାରୀ ବିଜୟ ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ସେ ୧୯୭୭ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଦେଇ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ । ଏହି ଖବର ପ୍ରଚାର ହେବା ପରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଏହାସହ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ବିଜୟ ମହାନ୍ତିଙ୍କ ବିୟୋଗ ରାଜ୍ୟ ଚଳଚିତ୍ର ଜଗତ ପାଇଁ ଅପୂରଣୀ କ୍ଷତି । ଜଣେ ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଭାବରେ ତାଙ୍କର ଅବଦାନ ଅବିସ୍ମରଣୀୟ । ମନ୍ତ୍ରୀ ଶ୍ରୀ ଦାସ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଏହି ଦୁ8ଖଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା