ଆଜି ମୁଁ କହୁଛି, କାଲି ହୁଏତ ନଥିବି ! ତୁମେ ସବୁ ମୋ ସମସାମୟୀକ ଭାବେ ମୋ କଥାକୁ ଶୁଣୁନାହଁ କିମ୍ବା ହତାଦର କରୁଅଛ । ସେଇଥିରେ ମୋର ତିଳେ ହେଲେ ଦୁଃଖ ନାହିଁ, କି କ୍ଷୋଭ । କାରଣ ମୁଁ ନିଜର ପ୍ରତିମୁର୍ତ୍ତି ସ୍ଥାପନ ପାଇଁ କାର୍ଯ୍ୟ କରୁନାହିଁ କିମ୍ବା ମୋ ପଛରେ ମୋର ପୂଜା ଅର୍ଚ୍ଚନା କରାଯିବା ଲକ୍ଷ ନାହିଁ । ଅଜ୍ଞାନ ଦୁଃସ୍କୃତଙ୍କ ଛନ୍ଦରେ ବନ୍ଧା ଜୀବନ ତୁମର ଯେ କେବଳ ପୋକ ମାଛି ପରି ଜନ୍ମ ହୋଇ ନିର୍ବୋଧ ଜୀବନ ଯାପନ କରି ମାରିବା ଛଡା ମନୁଷ୍ୟ ଜୀବନର ପ୍ରକୃତ ଆନନ୍ଦ ପାଇବା ସାତ ସ୍ୱପ୍ନ ! ତୁମେ ଆଜି ଯେଉଁ ବାଟର ବାଟୋଇ ହୋଇ ପଥ ଅତିକ୍ରମ କରୁଛ ସେହି ବାଟ କେବଳ କଣ୍ଟକିତ, ଅବାଟ । ଜୀବନର କରାଳତାରେ ଯନ୍ତ୍ରଣାରୁ ନିସ୍ତାର ନାହିଁ । ଭାବୁଛ ସେମାନେ ତୁମକୁ ପରିରାଇଜରେ ବୁଲାଇ ଆଣିବେ ?! ନର୍କ ଠାରୁ ଘୃଣ୍ୟ କର୍ମ କରି ଜୀବନ ଦରିଆର ପରାକ୍ରମ ନାଉରୀ ଭଳି ଅଭିନୟ କରି ସେମାନଙ୍କ ଝୋଲିରେ ଭରିଦେଉଅଛ ଅପାସୋରା କଷ୍ଟର ଅମୃତ ଆସର ! ଲୁଣ୍ଠିତ ଜୀବନ ଯେ କେଉଁ ମାର୍ଗରେ ପରିଚାଳିତ ନିଘା ନାହିଁ ତୁମର ଜାଣିବା ପାଇଁ ! ଭାବୁଛ ସେମାନେ ପ୍ରକୃତରେ ସୁଖଦାୟୀ, କାର୍ଯ୍ୟରତ ଦିବା ନିଶି ତୁମ ପାଇଁ ! ସେ ଛଳନାର ଅନ୍ତ ନାହିଁ କି ତୁମ ପ୍ରତାରଣାର ମାପ ନାହିଁ ! ଅପାସୋରା ସେହି କାହାଣୀ ଯେ ଯୁଗ ଯୁଗର ଅଦ୍ୟାବଧି କେବଳ ଛଳନା, ପ୍ରତାରଣା ଛଡା ବାସ୍ତବତା ଦର୍ଶାଇବା ମଣିଷ ଜଣେ ହେଲେ ନାହିଁ ଯାହାଙ୍କୁ ତୁମେ ଶୀର୍ଷାଶୀତ କରି ରଖି ଆସୁଅଛ କାଳ କାଳ ଧରି । ସେମାନଙ୍କ ଦ୍ୱାରା ଦର୍ଶାଯାଉଥିବା ସମୟସାପେକ୍ଷ ଚତୁର ଛନ୍ଦର ବୋଧତା ନାହିଁ କି ବିଚାର ! ଅନ୍ଧ ଭଳି ବିଶ୍ୱାସ କରି କରି ଚାଲିଥିବ ଆଉ କେତେଦିନ……? କ’ଣ ମଣିଷ ସମାଜ ବିଲୁପ୍ତ ହେବା ଯାଏଁ ?!!ବିକାଶର ସଜ୍ଞା କାହାକୁ ଜଣାନାହିଁ ! ଯାହା ଦେଖା ଯାଉଅଛି ତା’କୁ ହିଁ ବିକାଶ ବୋଲି ଭାବିବା ଏକ ନିର୍ବୋଧତା ଛଡା ଆଉ କିଛି ନାହିଁ ! ସାମାଜିକ ପରିବେଶରେ ପରିବର୍ତ୍ତନ କୁ ବିକାଶ ବୋଲି କୁହାଯାଇ ପାରିବ ନାହିଁ ! କାରଣ ତାହା ଏକ ସମୟୋପୋଯୋଗୀ ପରିବର୍ତ୍ତନ ମାତ୍ର ! ପ୍ରକୃତ ବିକାଶ କହିଲେ କ’ଣ କେହି ବୁଝନ୍ତି ନାହିଁ, ଏଇଥି ପାଇଁ ଯେ ବିକାଶର ନାରା ଦେଉଥିବା ମଣିଷ ମାନେ ହିଁ ବିକଶିତ ନୁହନ୍ତି କି ବିକାଶର ସଜ୍ଞା ସେମାନଙ୍କୁ ମଧ୍ୟ ଜଣା ନାହିଁ ! ସାଧାରଣ ମଣିଷ ଗୁଡିକୁ କେମିତି ପରିଚାଳିତ କଲେ ସ୍ୱାର୍ଥ ହାସଲ କରିହେବ କେବଳ ସେଇଥିରେ ଅହରହ ନିମଗ୍ନ କ୍ରୁର ଚତୁରଙ୍କ ମାୟାରେ ବାୟା ସମସ୍ତେ ଯେ ସେମାନଙ୍କ ଜୀବନର ମୂଲ୍ୟ କିଛି ନାହିଁ ! କୃତ୍ରିମ ସୁଖକୁ ବାସ୍ତବତାର ଚିତ୍ର କାଟି ନିତ୍ୟ ପ୍ରଚାରରେ ବିମୁଗ୍ଧ ପ୍ରତାରିତ ଜୀବନ ପାଇଁ କାହାରି ଚିନ୍ତା ନାହିଁ ! ଯେତେବେଳେ ନିଜେ ନିଜର ମୂଲ୍ୟବୋଧ ନକରି କାହାରି ଉପରେ ନିର୍ଭର ଜୀବନ ତୁମର ତାହାର କୌଣସି ଉପଯୁକ୍ତ ମୂଲ୍ୟାୟନ ନାହିଁ ! ଯେଉଁ ସୁଖକୁ ତୁମେ ସୁଖ ବୋଲି ଭାବୁଛ ସେମାନଙ୍କ ପ୍ରେରଣାରେ ସମଭୂଷିତ ହୋଇ, ସେସବୁ ବାସ୍ତବିକ ଯମ ଯନ୍ତ୍ରଣା ଠାରୁ ମଧ୍ୟ କଷ୍ଟକର ହୋଇଥିଲେ ମଧ୍ୟ ଶୀତଳତାର ସହିତ ଗ୍ରହଣ କରିବାରେ ତୁମର ନିର୍ବୋଧତା ପ୍ରତି କାହାର କୌଣସି ବିଚାର ନାହିଁ ! କଥାରେ କହନ୍ତି ନିଜେ ମଲେ ସ୍ୱର୍ଗ ଦେଖିବ ! କିନ୍ତୁ ଏହା କହିବା ଲୋକଟି ମଧ୍ୟ ଜାଣି ନାହିଁ କି ମାରିବା ଲୋକଟି ସ୍ୱର୍ଗ ଦେଖିଲା କି ନାହିଁ ! ତେଣୁ ସ୍ୱର୍ଗ ଦେଖିବା ଆଶାରେ ନିଜକୁ ମୃତ୍ୟୁ ମୁଖକୁ ଠେଲିଦେବା କ’ଣ ଯୌକ୍ତିକ ବିଚାର ? ଠିକ୍ ସେହି ଭଳି ଭବିଷ୍ୟତ ଉଜ୍ୱଳର ନାରା ଦେଇ ବର୍ତ୍ତମାନକୁ ଜଟିଳତା ମଧ୍ୟରେ ପରିଚାଳିତ କରିବା କେତେ ଯୌକ୍ତିକ, ବିଚାର କରି ଦେଖନ୍ତୁ ପ୍ରତ୍ୟେକେ । ହୁଏତ ଏମିତି ମଧ୍ୟ ଦେଖିବାକୁ ପଡିପାରେ କି ବର୍ତ୍ତମାନର ଜଟିଳତା ଆଗକୁ ଆହୁରି ବ୍ୟାପକ ପରାକ୍ରମ ସୃଷ୍ଟି କରିବ ନାହିଁ ବୋଲି କୌଣସି ନିଦର୍ଶନ ଅଛିକି କାହା ପାଖରେ ? ଏହା ଏକ ଭାବନା ମାତ୍ର ! ସମୟ ସହିତ ତାଳଦେଇ ଚାଲିବା କଥା ଯେତେବେଳ ପର୍ଯ୍ୟନ୍ତ ସମୟ ଅନୁକୂଳରେ ଚାଲିଛି । କି’ନ୍ତୁ ସମୟ ପ୍ରତିକୂଳରେ ଚାଲିଲେ ନିଜକୁ ସନ୍ତର୍ପଣର ସହିତ କୂଳକୁ ଲାଗିବା ବ୍ୟବସ୍ଥା କରିବା କେବଳ ନିଜର ଦାୟୀତ୍ୱ ! କାହା ଉପରେ ନିର୍ଭର କରି ଚାଲିବା ବାଚାଳାମି କେବଳ ! କାରଣ ବୁଡି ଯାଉଥିବା ନା’ର ସମସ୍ତ ଯାତ୍ରୀ କେବଳ ନିଜସ୍ୱ ଜୀବନ ରକ୍ଷା କରିବାରେ ବ୍ୟସ୍ତ ରହିବା ସ୍ୱାଭାବିକ । ଆଉ କେହି ଜଣେ ମୋତେ ଉଦ୍ଧାର କରିବ ବୋଲି ଭାବିବା ଏକ ଅଲୌକିକ ବିଚାର ମାତ୍ର !
ଦୁନିଆରେ କେହି କାହାର କିଛି ନୁହନ୍ତି ! ଏକ ସମାଜ ଗଠନ କରି ସୁରକ୍ଷିତ ରହିବା ଉଦେଶ୍ୟରେ ଗଠିତ ମଣିଷ ସମାଜରେ ସମସ୍ତେ ସମସ୍ତଙ୍କ ପ୍ରତି କିଛି କର୍ତ୍ତବ୍ୟବୋଧତା ରଖିଥଲେ ମଧ୍ୟ ନିଜ ପ୍ରତି କେବଳ ନିଜେ ହିଁ ସତର୍କିତ ରହିବା ଏକାନ୍ତ ଆବଶ୍ୟକ ! ଗୋଟିଏ ପରିବାର ମଧ୍ୟରେ କୌଣସି ସାଙ୍ଘାତିକ ବିପତ୍ତି ସମୟରେ ମଧ୍ୟ କେହି କାହାକୁ ରକ୍ଷା କରିବାରେ ସମର୍ଥ ହୋଇ ପାରିବେ ନାହିଁ ! ତେଣୁ ସାମାଜିକ କ୍ଷେତ୍ରରେ କାହା ଉପରେ ବିଶ୍ୱାସ ରଖି ଭବିଷ୍ୟତ ବିଚାର କରି ବର୍ତ୍ତମାନକୁ ଜଳାଞ୍ଜଳି ଦେଉଥିବା ମଣିଷଙ୍କୁ ନିର୍ବୋଧ କହିବା ବ୍ୟତୀତ ଆଉ କ’ଣ କୁହା ଯାଇ ପାରେ ?!! ଷଡ଼ଯନ୍ତ୍ରୀ ସମାଜକୁ ଏମିତି ଗିଳି ସାରିଲେଣି ଯେ ବର୍ତ୍ତମାନ ସମସ୍ତଙ୍କ ଆଖିରେ କେବଳ ଅନ୍ଧ ପୁଟୁଳି ବାନ୍ଧି, ସ୍ୱାର୍ଥାନ୍ଧ ହାସଲ କରି ଚାଲିଛନ୍ତି ନିଜସ୍ୱ ସ୍ୱାର୍ଥ ! ଶିକ୍ଷିତ ଅଜ୍ଞାନ ସେମାନଙ୍କ ପ୍ରରୋଚନାରେ ପଡି ନିଜକୁ ସେମାନଙ୍କ ସହିତ ସାମିଲ କରି ନିର୍ବୋଧଙ୍କୁ ଆଖିଠାର ଦେଉଛନ୍ତି ! ସମୟ ଅତ୍ୟନ୍ତ ଜଟିଳ ସ୍ତରକୁ ଆସି ବସିଲାଣି ! ତଥାପି ଚେତା ପଶୁନାହିଁ କାହାରି ! ଓଲଟା ଅବାସ୍ତବ ଆନନ୍ଦରେ ବିଭୋର ନିର୍ବୋଧଙ୍କୁ ବାଟ ମିଳୁନାହିଁ ବିବେଚନା କରିବା ପାଇଁ ! କି ଦୂର୍ଦିନ ଅନ୍ଧକାର ମାଡି ଆସିଲାଣି ଯାହା ଆଗକୁ କ’ଣ କରିବ ତାହାର ସୀମା ନାହିଁ ! ତଥାପି ସମସ୍ତେ ଆଜି ନିଶାରେ ନିଶାଗ୍ରସ୍ଥ କେବଳ ସେହି ଷଡ଼ଯନ୍ତ୍ରୀଙ୍କ ଅଲୌକିକ ପ୍ରସ୍ତାବରେ ! ଥରେ ହାତ ଗୁଡ଼ କହୁଣିକୁ ଚାଲିଗଲା ପରେ ଆଉ ଚାଟିବା କଷ୍ଟ ହୋଇ ପଡିବ ପରବର୍ତ୍ତୀ ସମୟରେ, ବର୍ତ୍ତମାନ ଏକଥା କାହାର ଚେତନା ଜ୍ଞାନରେ ପଶୁନହିଁ! ନିରୁପାୟ ସୀମିତ ସଦ୍ବୁଦ୍ଧ ଯାହାଙ୍କ ମାନ୍ୟତା ଅଗ୍ରହଣୀୟ ଆଜିର ଏହି ନିର୍ବୋଧ ସମାଜର ଗତି ଯାହା ହେବ ସମସ୍ତେ ସେହି ରାସ୍ତାରେ ଚାଲିବା ପାଇଁ ବାଧ୍ୟ ହେବେ ଏକ କଳୁଷିତ ଜୀବନ ଧାରଣ କରି ବଂଚିବା ପାଇଁ, ସେଇଥିରେ ତିଳେ ହେଲେ ସନ୍ଦେହ ନାହିଁ ! କି’ନ୍ତୁ କରିବା କଣ?!! ସମୟ ଅଛି ବର୍ତ୍ତମାନ ମଧ୍ୟ ସୁଧୁରି ଯିବାକୁ ! ଉପଯୁକ୍ତ ପଦକ୍ଷେପ ନେବାକୁ ! ବିଚାର ଆପଣ ମାନଙ୍କର ! ଭାଗ୍ୟ ଆମ ସମସ୍ତଙ୍କର…..!
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ),
ଛତ୍ରପୁର, ଗଞ୍ଜାମ.