ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ପଶ୍ଚିମବଙ୍ଗରେ ରୋଡ୍ ଶୋ’ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ତୃଣମୂଳ କଂଗ୍ରେସର କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଆଜି ଭୁବନେଶ୍ୱରରେ ବିଜେପି କର୍ମୀମାନେ ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟସ୍ଥ ଦୀନଦୟାଲ ପାର୍କରେ ଶତାଧିକ ବିଜେପି କର୍ମୀ ଓ ନେତା ମୁହଁରେ କଳା କପଡ଼ା ବାନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ଦେବାସହ ଘଟଣାରେ ସମ୍ପୃକ୍ତ ଥିବା ତୃଣମୂଳ କଂଗ୍ରେସର ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରିବା ଓ ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଇବା ପାଇଁ ଦାବି କରିଛନ୍ତି । ଶ୍ରୀ ଶାହଙ୍କ ଉପରେ ଆକ୍ରମଣକୁ ରାଜ୍ୟ ବିଜେପି କଡ଼ା ଭାଷାରେ ନିନ୍ଦା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଏଭଳି ଆକ୍ରମଣ କରିଥିଲେ ବୋଲି କହିଛି । ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବଢୁଥିବା ଲୋକପ୍ରିୟତାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଗଣତନ୍ତ୍ରର କଣ୍ଠରୋଧ କରିବାର ଅପଚେଷ୍ଟା କରିବା ପାଇଁ ଚେଷ୍ଟା କରୁଛନ୍ତି । ଟିଏମସିର ଗୁଣ୍ଡାମାନେ ଗତକାଲି ରୋଡ୍ ଶୋ’ରେ ବିଜେପି କର୍ମକର୍ତ୍ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ପଶ୍ଚିମବଙ୍ଗର ପରିଚୟ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା, ଗାଡ଼ିମୋଟରରେ ନିଆଁ ଲଗାଇବା ଭଳି କାମ କରିଛନ୍ତି ବୋଲି ସେମାନେ କହିଛନ୍ତି । ଦେଶରେ ସବୁଆଡେ ଶାନ୍ତିପୁର୍ଣ୍ଣ ଭାବେ ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗର ଏହି ଘଟଣା ଦେଶର ଗଣତନ୍ତ୍ର ଉପରେ ଏକ କଳାଦାଗ ଲଗାଇଛି । ପଶ୍ଚିମବଙ୍ଗ ପୁଲିସ ସେଠାରେ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା ଓ ପଶ୍ଚିମବଙ୍ଗରେ ଖୋଲାଖୋଲି ଗଣତନ୍ତ୍ରକୁ ହତ୍ୟା କରିବାକୁ ଦିଆଯାଇଥିଲା । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ରାଜନୈତିକ ଅସହିଷ୍ଣୁତା ବର୍ବରତାର ସୀମା ଟପିଗଲାଣି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ଆଜିର ଏହି ପ୍ରତିବାଦ ଏବଂ ଧାରଣା ସଭାରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରମାରଞ୍ଜନ ବଳିଆର ସିଂ ଓ ଶଙ୍କର୍ଷଣ ପରିଡା, ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ ଓ ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଶ୍ୱରଞ୍ଜନ ବଡ଼ଜେନା, ସୁବାସ ଜେନା ସମେତ ବିଜେପି ଅନେକ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ ।