ଅସଚେତନ ଜ୍ଞାନ…

କୌଣସି ବିଷୟରେ ବିଷଦ୍ ଜ୍ଞାନ ନଥାଇ ସମାଜରେ ସବୁ ଜାଣିବା ଭଳି ଅଭିନୟ କରି ବଞ୍ଚୁଥିବା ମଣିଷଙ୍କୁ ଅସଚେତନ ବୋଲି କୁହାଯାଇ ପାରିବ । ନିଜସ୍ୱ ପରିଚୟ ବିହୀନ ନିର୍ବୋଧ ସବୁବେଳେ ଅନ୍ୟ ଉପରେ ନିର୍ଭର କରି କାହାଦ୍ୱାରା କୁହା ଯାଉଥିବା ବିଷୟକୁ ନିଜ ଜୀବନ ଶୈଳୀରେ ସଂଯୋଜିତ କରି ବଞ୍ଚୁଥିବା ମଣିଷକୁ ଅସଚେତନ ବୋଲି କୁହା ଯାଇ ପାରିବ । ଅସଚେତନ ସବୁବେଳେ ଅନ୍ୟ ଉପରେ ନିର୍ଭରଶୀଳ ରହିଥିବା ବେଳେ ନିଜର ଅଜ୍ଞତା, ନିର୍ବୋଧତାକୁ ଲୁଚାଇବା ପାଇଁ ବ୍ୟାପକ ଅଯୌକ୍ତିକ ମନ୍ତବ୍ୟ ବାଢି଼ଥା’ନ୍ତି ଯାହା ସବୁ ସେମାନଙ୍କ ନିଜସ୍ୱ ଜ୍ଞାନର ପହଞ୍ଚ ମଧ୍ୟରେ ନଥାଏ । କାହା ଠାରୁ ଶୁଣି, ଦେଖି ଅନେକ ଗୁଡିଏ ବିଷୟ ଉପରେ ଏମିତି ବିବରଣୀ ପ୍ରଦାନ କରିଥା’ନ୍ତି ଯାହା ସେମାନଙ୍କ ନିଜସ୍ୱ ଜ୍ଞାନ ଅନ୍ତର୍ଭୁକ୍ତ ନଥାଇ ମଧ୍ୟ ସତେ ଯେପରି ଅଙ୍ଗେ ନିଭା କଥା ଭଳି ମନ୍ତବ୍ୟ ପ୍ରଦାନ କରିଥା’ନ୍ତି ଅସଚେତନ । ପ୍ରାୟତଃ ମିଥ୍ୟା, ଅପ୍ରାକୃତିକ, ଅଲୌକିକ ବିଷୟ ଗୁଡିଏ ଉପରେ ଯଥେଷ୍ଟ ଆସ୍ଥା ରଖିବା ସହିତ ସେଗୁଡିକ ପ୍ରତି ଅତ୍ୟନ୍ତ ଆକୃଷ୍ଠ ହେଉଥିବା ଦେଖିବାକୁ ମିଳିବ ଅସଚେତନ ଯାହାଙ୍କୁ ଭୁଆଁ ବୁଲାଇ ସାମାଜିକ କ୍ଷେତ୍ରର ଚକ୍ରାନ୍ତକାରୀ ସ୍ୱାର୍ଥ ହାସଲ କରୁଥିବା ବେଳେ ସେମାନଙ୍କ ସାହାଯ୍ୟରେ ଚକ୍ରାନ୍ତକାରୀ ସେଗୁଡିକର ପ୍ରଚାର ପ୍ରସାର କରିବାରେ ମଧ୍ୟ ସମର୍ଥ ହୋଇ ଥା’ନ୍ତି । ଅସଚେତନ ସବୁବେଳେ ମିଥ୍ୟାବାଦୀ ଏବଂ ମିଥ୍ୟାଚାରୀ ଭାବ ପ୍ରଦର୍ଶନ କରିଥା’ନ୍ତି । ନିଜସ୍ୱ ଜୀବନର ବାସ୍ତବତା ଉପରେ ଆଧାରିତ କୌଣସି ଚେତନା ଜ୍ଞାନ ରହିନଥାଏ ସେମାନଙ୍କର । ଅଧିକନ୍ତୁ ଚେତନା ଜ୍ଞାନ ତଥା ସତ୍ୟବାଦୀ ବକ୍ତବ୍ୟ ଗୁଡିକ ସେମାନଙ୍କୁ ସୃତି କଟୁ ଭଳି ଅନୁଭବ ହୋଇଥାଏ । ସେମାନଙ୍କ ଦ୍ୱାରା ସମାଜର ବ୍ୟାପକ କ୍ଷତି ସାଧିତ ହେବା ଅନିବାର୍ଯ୍ୟ ଯାହା ଆଜି ସମୟର ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି । କାରଣ ଅସଚେତନ ମଣିଷଙ୍କ ଗନ୍ତାଘର ପାଲଟି ଯାଇଛି ସମଗ୍ର ବିଶ୍ୱ ଆଜି ସମୟରେ କେବଳ କେଳେଙ୍କାରୀ ଚକ୍ରାନ୍ତକାରୀ ବ୍ୟବସାୟୀଙ୍କ ଦ୍ୱାରା ଯାହା ସମସ୍ତଙ୍କୁ ଅଗୋଚର । ବାସ୍ତବିକ ବ୍ୟବସାୟୀ ଅସଚେତନତାର ଚରମ ଶୀର୍ଷରେ ରହିଥାଇ ସ୍ଥୁଳ ମସ୍ତିଷ୍କର ଏକ ସୂକ୍ଷ୍ମ କୋଣରୁ ନିର୍ଗତ ସ୍ୱାର୍ଥନ୍ୱେଷୀ ବିଚାର ହେତୁ ସମାଜରେ ଅସ୍ଥିରତା, ଅହେତୁକ ଭୟ ତଥା ମିଥ୍ୟା ଉନ୍ନତ୍ତିର ପ୍ରହେଳିକା ସୃଷ୍ଟି କରି ସର୍ବସାଧାରଣଙ୍କୁ ଅସଚେତନ କରି ରଖିବା ପ୍ରୟାସ କରିଥା’ନ୍ତି ସବୁବେଳେ । ଜନ୍ମରୁ ସଚେତନ ଜ୍ଞାନ ବହିର୍ଭୁତ ସାଧାରଣ ନିର୍ବୋଧ ପାରିପାର୍ଶ୍ଵିକ ପରିବେଶ ତଥା ସମାଜରେ ପ୍ରଚଳିତ ଭାବଧାରାକୁ ଅନୁକରଣ କରି ବଂଚିବା ଶିକ୍ଷା କରିବା ଏକ ସାଧାରଣ ଚରିତ୍ର ଭାବେ ଦେଖିବାକୁ ମିଳେ ସମସ୍ତଙ୍କ କ୍ଷେତ୍ରରେ । ତେଣୁ ସମାଜରେ ରହିଥିବା ଖୁବ୍ କମ୍ ସଂଖ୍ୟକ ସଚେତନ ମଧ୍ୟ ସଂଖ୍ୟା ଗରିଷ୍ଠ ଅସଚେତନଙ୍କ ଆଢୁଆଳରେ ନିଜକୁ ହଜାଇ ଦେଇ ବଞ୍ଚିଥା’ନ୍ତି । ଅସଚେତନ ବାର୍ତ୍ତା ତଥା ସାମାଜିକ ଚଳଣି ପ୍ରଚାର ପ୍ରସାର କରି ଖୁବ୍ କମ୍ ସଂଖ୍ୟକ ଅସଚେତନ ଚତୁର ମଣିଷ ଯଥେଷ୍ଟ ସ୍ୱାର୍ଥ ହାସଲ ପୂର୍ବକ ସାମାଜିକ ସ୍ଥିତି, ପ୍ରଗତିକୁ ସଂକୁଚିତ କରିବା ସହିତ ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ଯନ୍ତ୍ରଣା ଯୁକ୍ତ କରି ସାମାଜିକ ଅସ୍ଥିରତା ସୃଷ୍ଟି କରିଥା’ନ୍ତି । ଜୀବନ ଜଞ୍ଜାଳର କରାଳତାରେ ଅସ୍ଥିରଭାବ ହେତୁ ମଣିଷ ନିଜସ୍ୱ ବିବେକ ଶୂନ୍ୟ ହୋଇ ଅସଚେତନ ଅବସ୍ଥାରେ ରହିବା ଏକ ସାଧାରଣ ସମସ୍ୟା ଉପରେ କାହାରି ନିଘା ନାହିଁ ଆଜି ସମୟରେ । କି’ନ୍ତୁ ଭଲଭାବେ ସ୍ଥିର ଚିତ୍ତରେ ଅନୁଧ୍ୟାନ କଲେ ଜାଣିହେବ ଯେ ସମାଜ ଆମକୁ କେମିତି ଅସ୍ଥିରଭାବ କରି ରଖିଛି ! ଯେତେ ସବୁ ସାମାଜିକ ଅସ୍ଥିରଭାବ ତଥା ଭବିଷ୍ୟଦ୍ରଷ୍ଟା ବିଚାର ଆମେ ଦୈନନ୍ଦିନ ଜୀବନରେ ଶୁଣୁଛେ ଦେଖୁଛେ ସେଗୁଡିକ କେବଳ ଅପ୍ରାକୃତିକ ମନୁଷ୍ୟକୃତ ବିଷୟ ମାତ୍ର । କୌଣସି ପ୍ରାକୃତିକ ବିପର୍ଯୟକୁ ମଣିଷ ମୁକାବିଲା କରିବା କିମ୍ବା ପ୍ରକୃତିର ପ୍ରକୋପରୁ ନିଜକୁ ରକ୍ଷା କରିବା ସାମର୍ଥ୍ୟ ନାହିଁ କାହାର । ସାଧାରଣ ଅସଚେତନ ଜ୍ଞାନ ହେତୁ ହୁଏତ କେତେକ କ୍ଷତି ହୋଇପାରେ ପ୍ରାକୃତିକ ବିପର୍ଯୟ ହେତୁ ଯାହା ସବୁ ସାଧାରଣ ସଚେତନ ଉପାୟରେ ଆମେ ପୁରା କରି ପାରିବା । କି’ନ୍ତୁ ସେଗୁଡିକୁ ଏମିତି ବନେଇ ଚୁନେଇ ଆମକୁ କୁହା ଯାଇଥାଏ ଯେ ମଣିଷ ଭାବୁଛି ଯେକୌଣସି ମନୁଷ୍ୟ କୃତ କୃତ୍ରିମ କାର୍ଯ୍ୟ ମାଧ୍ୟମରେ ଆମେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରି ପାରିବା, ଯାହା ସବୁ କେବଳ ବ୍ୟବସାୟୀକ ବିଚାର ମାତ୍ର । ଷଡ଼ଯନ୍ତ୍ରୀ, ବ୍ୟବସାୟୀ ଅନେକ ସମୟରେ କୃତ୍ରିମ ବିପର୍ଯୟ ସୃଷ୍ଟି କରି ତାହାର ମୁକାବିଲା ପାଇଁ ବିଭିନ୍ନ ଯୁକ୍ତି ବାଢି଼ଥା’ନ୍ତି ଯାହା ଅସଚେତନ ମଣିଷ ବୁଝିନପାରି ଭୟାତୁର ହୋଇ ଅନେକ ପ୍ରତିଷେଧକ ବ୍ୟବସ୍ଥା ହାତେଇଥା’ନ୍ତି । ବାସ୍ତବିକ ସେହି ପ୍ରତିଷେଧକ ଗୁଡିକ କେବଳ ଆତ୍ମ ସନ୍ତୋଷ ପାଇଁ କାର୍ଯ୍ୟ କରିବା ବେଳେ କୌଣସି ମତେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବାରେ ସାହାଯ୍ୟ କରି ପାରିବ ନାହିଁ । ସେଗୁଡିକୁ ଅଂତରଣୀୟ କରି ତାହାର ଉପଯୁକ୍ତ ବିଚାରବଦ୍ଧତା ତଥା ଜ୍ଞାନ ପାଇବା ମଣିଷଙ୍କ ସଂଖ୍ୟା ୧ ମଧ୍ୟ ହେବକି ନାହିଁ ସନ୍ଦେହ ଆଜି ସମୟରେ । ତେଣୁ ଅସଚେତନ ଭାବ ମଣିଷକୁ ଅତ୍ୟନ୍ତ ରସାତଳଗାମୀ କରି କେବଳ ଚତୁର କ୍ରୁର ଅସଚେତନ ବ୍ୟବସାୟୀଙ୍କୁ ପୋଷିବା ଛଡା ନିଜର କୌଣସି ଭଲ କରିବାରେ ସମର୍ଥ ହୋଇ ନଥା’ନ୍ତି । ଅସଚେତନତା ଅର୍ଥାତ କୌଣସି ବିଷୟକୁ ଅନୁଧ୍ୟାନ କରି ତାହାର ବାସ୍ତବତାକୁ ଅନୁଭବ କରି ନପାରି ଅନ୍ଧ ଭଳି ବିଶ୍ୱାସ କରିବା, ପୁଣି ସେହି ବିଶ୍ୱାସରୁ ଜନ୍ମିତ ବିଚାରଧାରାକୁ ନିଜସ୍ୱ ଗ୍ରହଣୀୟତା ମଧ୍ୟରେ ସ୍ଥାପିତ କରି ଅନ୍ୟକୁ ବାଣ୍ଟିବା । ଅସଚେତନ ଅବସ୍ଥାରେ ମଣିଷ ସବୁ କଥାରେ ଅନ୍ୟ ଉପରେ ନିର୍ଭର କରି ଥା’ନ୍ତି । ଜୀବନ ଯନ୍ତ୍ରଣା ଠାରୁ ଆରମ୍ଭ କରି ନିଜସ୍ୱ ଜ୍ଞାନ ତଥା ଉପସଂହାର ପର୍ଯ୍ୟନ୍ତ ଜୀବନ ଯାତ୍ରାର ସମସ୍ତ କ୍ଷେତ୍ରରେ କେବଳ ଅନ୍ୟ ଉପରେ ନିର୍ଭର କରି ବଂଚିବା ଶିକ୍ଷା ପାଇଥା’ନ୍ତି ଅସଚେତନ । ଅସଚେତନ ଜ୍ଞାନ ମଣିଷକୁ ଅହଂଭାବାପନ୍ନ କରି ରଖିବାରେ ମଧ୍ୟ ଯଥେଷ୍ଟ ସାହାଯ୍ୟ କରଥାଏ । କାରଣ ଅସଚେତନ ଅଜ୍ଞାନ ଏବଂ ନିର୍ବୋଧ ହୋଇଥିବା ବେଳେ ସାମାଜିକ ମାନ୍ୟତାରେ ସମ୍ଭୂଷିତ ନିଜସ୍ୱ କ୍ଷେତ୍ରରେ ପ୍ରାଧାନ୍ୟତା ବିସ୍ତାର କରିବା ପାଇଁ ବ୍ୟାପକ କ୍ରୋଧୀ ହେଉଥିବା ବେଳେ ଅହଂଭାବ ପ୍ରଦର୍ଶନ କରି ନିଜର ମିଥ୍ୟା ପ୍ରତିଭାକୁ ଘୋଡାଇ ଏକ ଅଲୌକିକ ବ୍ୟକ୍ତିତ୍ୱ ସାବ୍ୟସ୍ତ କରିବାରେ ବ୍ରତୀ ହୋଇ ଥା’ନ୍ତି ଯାହା ପ୍ରାକୃତିକ ନୁହେଁ । ସେମାନେ ନିଜକୁ ନିଜେ ବୁଝିଥା’ନ୍ତି ଯେ ସେମାନଙ୍କର କୌଣସି ବ୍ୟକ୍ତିଗତ ବିଚାରଗତ ଜ୍ଞାନ ନଥାଇ ମଧ୍ୟ କୌଣସି ସଂଯୋଜିତ ସାମାଜିକ ମାନ୍ୟତା ହେତୁ ସେମାନଙ୍କ ସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ସେହି ଭଳି ଆଚରଣ କରିଥା’ନ୍ତି । ସମ୍ମୁଖରେ ରହିଥିବା ଲୋକଙ୍କ ପାଖରେ ନିଜର ମିଥ୍ୟା ପ୍ରତିଭା ସାବ୍ୟସ୍ତ କଲେ ମଧ୍ୟ ନିଜକୁ ନିଜେ ଠକି ପାରିବେ ନାହିଁ ସେମାନେ । ଉପସ୍ଥିତ ସମୟର ଅସଚେତନତାରେ ଭରପୁର ସମସ୍ତ ମଣିଷ ଗୁଡିକୁ ସଚେତନ କରି ଏକ ଉତ୍ତମ ମଣିଷ ସମାଜ ଗଠନ କରିବା ଦିଗରେ କାହାର ନିଘା ନାହିଁ ! କାରଣ ସଚେତନତାର ବାର୍ତ୍ତା ନାହିଁ ଆମ ସମାଜରେ ! ସାଧାରଣ ନିର୍ବୋଧଙ୍କୁ ସଚେତନ କରି ଭାତୃଭାବ ସଂଚାର କରି ସୁନ୍ଦର ସମାଜ ଗଠନ କରିବା କୌଣସି ବ୍ୟାପକ କଷ୍ଟକର ବ୍ୟାପାର ହୋଇ ନଥିଲେ ମଧ୍ୟ କାହାର ଆଗ୍ରହ ନଥିବା ହେତୁ ଆମ ସାମାଜିକ ସ୍ଥିତି ଏମିତି ରହିଛି ଅଦ୍ୟାବଧି । କି’ନ୍ତୁ ସାଧାରଣ ମଣିଷ ଗୁଡିକ ନିଜକୁ ସଚେତନ କରି ବାସ୍ତବ ଚେତନା ଜ୍ଞାନ ଆହରଣ କରି ଉତ୍ତମ ଜୀବନ ଯାପନ କରିବା ପ୍ରଚେଷ୍ଟା ଆରମ୍ଭ କଲେ ହୁଏତ ବ୍ୟାପାରୀ ଭବିଷ୍ୟତରେ ଧୀରେ ଧୀରେ ସଂକୁଚିତ ହୋଇ ଥା’ନ୍ତେ ବୋଲି ଆମ ବିଚାରରେ ଆପଣଙ୍କ ସଂଶୟ କିମ୍ବା ଅନୁଭୂତି ବ୍ୟାଖ୍ୟା କରିବେ ବୋଲି ଆଶା….। ପଙ୍କଜ କୁମାର ପାଣିଗ୍ରାହୀ, ସୋସିଆଲ ଫୋରମ (ଭାରତ), ଛତ୍ରପୁର, ଗଞ୍ଜାମ