ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ନୀଳକମ୍ଠ ନଗର ପ୍ରଥମ ଲେନ୍ରେ ବୁଧବାର ସକାଳୁ ଏକ ଷଣ୍ଢ ଅସମ୍ପୂର୍ଣ୍ଣ ସିସି ରାସ୍ତାର ବିରାଟ ଗର୍ତ୍ତରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ସାହି ବାସିନ୍ଦାଙ୍କ ଠାରୁ ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି କୌଶଳ କ୍ରମେ ଷଣ୍ଢଟିକୁ ପାଣି ଭର୍ତ୍ତି ଗର୍ତ୍ତ ମଧ୍ୟରୁ ଉଦ୍ଧାର କରିଥିଲେ । ଅପରପକ୍ଷେ ସାହି ମଧ୍ୟକୁ ମୁଖ୍ୟ ରାସ୍ତାରୁ ପ୍ରବେଶ ପଥରେ ରହିଥିବା ବିଦ୍ୟୁତ୍ ପୋଲରେ ବିଭିନ୍ନ ପ୍ରକାର ଟେଲିଫୋନ୍, ଟେଲିଭିଜନ, ବିଦ୍ୟୁତ୍ ତାର ଆଦି ଛନ୍ଦି ହୋଇ ରହିଥିବାରୁ ସାହିକୁ ଦମକଳ ଗାଡି ଆସିବାରେ ବାଧା ସୃଷ୍ଟି ହୋଇଥିଲା । ବିକଳ୍ପ ରାସ୍ତାରେ ଦମକଳ ଗାଡି ପହଞ୍ଚି ଷଣ୍ଢଟିକୁ ଉଦ୍ଧାର କରିଥିଲା । ପ୍ରକାଶ ଯେ, ବୁଧବାର ସକାଳ ପ୍ରାୟ ୬ ଘଣ୍ଟ ୩୦ ମିନଟ୍ ସମୟରେ ନୀଳକଣ୍ଠନଗର ପ୍ରଥମଲେନ୍ରେ ଦୁଇ ଗୋଟି ଷଣ୍ଢ ପରସ୍ପରକୁ ଲଢେଇ କରିଥିଲେ । ଲଢେଇ ସମୟରେ ଗୋଟିଏ ଷଣ୍ଢ ସାହିରେ ସଦ୍ୟ ନିର୍ମିତ ସିମେଣ୍ଟ କଂକ୍ରିଟ୍ ରୋଡ୍ରେ ହୋଇଥିବା ଢାଙ୍କୁଣୀ ବିହୀନ ବିରାଟ ଗର୍ତ୍ତ ମଧ୍ୟରେ ହଠାତ୍ ପଡିଯାଇଥିଲା । ମଙ୍ଗଳବାର ଦିନ ସାରି ହୋଇଥିବା ବର୍ଷାରେ ଉକ୍ତ ଗର୍ତ୍ତ ଟିରେ ପାଣି ଭର୍ତ୍ତି ହୋଇ ରହିଯାଇଥିବାରୁ ପ୍ରାୟ ୬ ଫୁଟ ଗଭୀରତା ରହିଥିବା ଏହି ଗର୍ତ୍ତରେ ଷଣ୍ଢଟି ଫସି ରହିଯାଇଥିଲା । ଯନ୍ତ୍ରଣାରେ ଛଟପଟ ହୋଉଥିବା ଦେଖି ସାହି ବାସିନ୍ଦା ଉକ୍ତ ଗର୍ତ୍ତରୁ କିଛି ବର୍ଷା ଜଳ ବାହାରକୁ ବାହାର କରିଥିଲେ । ପରେ ସାହିର ରାଜ୍ କୁମାର ବ୍ରହ୍ମା ଅଗ୍ନିଶମବିଭାଗକୁ ଖବର କରିବା ପରେ ଅଗ୍ନିଶମ ବିଭାଗ ଗାଡିରେ କର୍ମଚାରୀ ମାନେ ଆସିପହଞ୍ଚିଥିଲେ । ଫାୟର୍ ଅଫିସର୍ ବିଜୟ କୁମାର ନାୟକଙ୍କ ନିର୍ଦ୍ଦେଶାକ୍ରମେ ରାଜେନ୍ଦ୍ର ନାରାୟଣ ଦାସ, ଦୁଷ୍ମନ୍ତ ପ୍ରଧାନ, ଦୁଷ୍ମନ୍ତ ମାଝୀ, ରଶ୍ମିନୀ ଦଳବେହେରା, ଦେବପ୍ରସାଦ ବରାଡ, ବିକ୍ରମ ସାମନ୍ତରାୟ ପ୍ରମୁଖ କର୍ମଚାରୀ ପହଞ୍ଚି କୌଶଳକ୍ରମେ ପ୍ରାୟ ୫ ମିନଟ୍ କସରତ କରିବା ପରେ ରଶି ମାଧ୍ୟମରେ ଷଣ୍ଢଟିକୁ ଗର୍ତ୍ତ ମଧ୍ୟରୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର ତ୍ୱରିତ୍ ପଦକ୍ଷେପକୁ ବାସିନ୍ଦା ସାବାସୀ ଦେଇଥିଲେ । ତେବେ ସାହିରେ ସଦ୍ୟ ନିର୍ମିତ ସିମେଣ୍ଟ କଂକ୍ରିଟ୍ ରାସ୍ତାଟି ସମ୍ପୂର୍ଣ୍ଣ ହୋଇଥିଲେ ହେଁ ଏହି ଗର୍ତ୍ତ ସବୁ ଢାଙ୍କୁଣୀ ପକାଯାଇନଥିବାରୁ ସମସ୍ୟା ସୃଷ୍ଟି ହୋଇଥିବା ପ୍ରକାଶ ପାଇଛି । ବିଶେଷ କରି ରାତ୍ର ସମୟରେ ବିଦ୍ୟୁତ୍ କାଟ ହୋଇଗଲେ ଅନ୍ଧକାରରେ ଦୂର୍ଘଟଣାର ବାସିନ୍ଦା ଶୀକାର ହେଉଥିବା ବେଳେ ଖୁବ୍ ଶୀଘ୍ର ସମସ୍ତ ଗର୍ତ୍ତ ଗୁଡିକରେ ଢାଙ୍କୁଣୀ ପକାଇବା ପାଇଁ ଦାବୀ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା