——-ଅସର——-

ବିଭିନ୍ନ ସାହିତ୍ୟ ଆସର
କଥା ଯେବେ ଭାବଇ
ଛାଆଁକୁ ଛାଆଁକୁ ମନରେ
ବହୁ ଛବି ଦିଶଇ ।।
କବି କବୟିତ୍ରୀ କଣ୍ଠରେ
ଯେଉଁ ଗୀତ ଶୁଭଇ
କେଉଁ ଭାବ କେତେ ମଧୁର
କିଛି କଳି ନୁହଁଇ ।।
ଉତ୍ତମ ଚିନ୍ତନ ଚେତନା
ଭରିଥାଏ ସବୁଠି
କେତେ ସଙ୍ଗୀତରେ କାହାଣୀ
ଲୁଚି ଥାଏ ଏକାଠି ।।
ଜନନୀ ଜନମ ଭୂଇଁର
ଗାଥା ଗାଏ କେ ଗର୍ବେ
ମନପ୍ରାଣ ଯାଏ ଉଲ୍ଲାସୀ
ତାଳି ମାରନ୍ତି ସର୍ବେ ।।
କେଉଁ କବି ଗଳ୍ପ ମାଧ୍ୟମେ
ଖୋଲି ସ୍ୱାଦ ପୁଟୁଳି
ଆଗ୍ରହେ ସମ୍ମୁଖେ ବାଣ୍ଟନ୍ତି
ହସ ଯାଏ ଉଚ୍ଛୁଳି ।।
ବୃକ୍ଷ ଲତା କାର୍ଯ୍ଯ ବର୍ଣ୍ଣନା
ଶୁଭେ କାହା ମୁଖରୁ
ଶୋଭା ଲୋଭା ଫୁଲ ଫଳକୁ
ମନ ବଳାଇ ପାରୁ ।।
ବ୍ୟଙ୍ଗୋକ୍ତି କବିତା ଗୁଡ଼ିକ
ଲାଗେ ପୃଥକ ମଜା
କବି, କବୀ ପ୍ରତି ସମ୍ମାନ
ହୃଦେ ହୁଅଇ ସଜ୍ଜା ।।
ପ୍ରେମ କବିତାର ଆଭାସ
ପୂର୍ବୁ ଶୁଭୁ ନଶୁଭୁ
ଶିହରଣ ଖେଳେ ଶରୀରେ
ପ୍ରେମୀ ଭାବରେ ଡ଼ୁବୁ ।।
ଭକ୍ତି ରସ ଗୀତ ବାହାରେ
ଯଦି କାହା ତୁଣ୍ତରୁ
ନିରବତା ଆପେ ଖେଳଇ
ତାହା ସରୁ ନସରୁ ।।
ମହାପୁରୁଷଙ୍କ ବୀରତ୍ୱ
ଥାଏ ଯାହା ଭାଷାରେ
କିଛି କରିନାହୁଁ ଜୀବନେ
ଏହା ଜାଗେ ମନରେ ।।
ବିଭିନ୍ନ ପ୍ରକାର ତୁଳନା
ଗଳ୍ପ ମଧ୍ୟରେ ଥାଏ
ନଜାଣିବା କଥା ସେଥିରୁ
ଜାଣି ସହଜେ ହୁଏ ।।
କନ୍ୟା ଭୃଣ ହତ୍ୟା ସହିତ
ଶୁଣି ପ୍ରକୃତି ବ୍ୟଥା
କିଏ ଜାଣୁ ଅବା ନଜାଣୁ
ନଇଁ ପଡ଼ଇ ମଥା ।।
କେତେ ସୁଖ ଦୁଃଖ ଧରାରୁ
ଆସି ଚାଲି ଗଲାଣି
କବି ମନହସ୍ତେ ଲେଖନୀ
କେଭେଁ ଥକା ମାରେନି ।।
ଅସଦୃଶ ଏହି ଆସର
କେବେ ନୁହେଁ ଅସାର
ଜ୍ଞାନ ଅସରାରେ ଭିଜାଏ
ଯାହା ଅଟେ ଅସର ।।

ଲେଖିକା : ବିରଜା ତ୍ରିପାଠୀ
ଟିକାବାଲି, କନ୍ଧମାଳ !

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନଧି ନିମାଇଁ ଚରଣ ପଣ୍ଡା