ଅସହାୟ ଓ ଦୁର୍ବଳ ସମୟର ବନ୍ଧୁ ସାଜିଛନ୍ତି ଉମା…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) କୁହାଯାଏ ମାନବ ସେବା ହିଁ ମାଧବ ସେବା । ଯଦି ମାଧବଙ୍କ ସେବା କରିବାକୁ ଚାହୁଁଛନ୍ତି ତେବେ ମାନବଙ୍କ ସେବା କରିବା ନିହାତି ଦରକାର । ଏହାକୁ ଠିକ ଭାବେ ବୁଝିଛନ୍ତି ଉମା । ମଣିଷର ଦୁର୍ବଳ ସମୟ ହେଲା ଯେତେ ବେଳେ ପରିବାର କେହି ମୃତାହତ ହୁଅନ୍ତି । ବାସ୍ ସେହି ଦୁର୍ବଳ ସମୟରେ ସାହାଯ୍ୟ କରିବା ପାଇଁ ନିର୍ବିଚାରରେ ପହଞ୍ଚି ଯାଆନ୍ତି ଉମା । ଶବ ସତ୍କାର କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାଯ୍ୟ ତୁଲାଇ ଥାଆନ୍ତି । ଆବଶ୍ୟକ ସ୍ଥଳେ ଶବ ବୋହିବାରେ କାନ୍ଧ ମଧ୍ୟ ଲଗାଇଥାଆନ୍ତି । ଗତ ୨୦ ବର୍ଷ ହେଲା ଏଭଳି ସେବା ପ୍ରଦାନ କରି ଅଞ୍ଚଳରେ ନିଜର ଏକପ୍ରକାର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ଉମା ଚରଣ ସାହୁ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ପଞ୍ଚାୟତର କଲ୍ୟାଣପୁର ଗ୍ରାମରେ ବାସ କରନ୍ତି ଉମା ଚରଣ ସାହୁ । ୨୦୦୦ ମସିହାରୁ ସେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । କଲ୍ୟାଣପୁର ତଥା ନିକଟସ୍ଥ ୨୦/୩୦ ଗ୍ରାମରେ ସେ ଯାଇ ଏହି କାର୍ଯ୍ୟ କରିଥାଆନ୍ତି । ଖବର ପାଇଗଲେ କେହି ତାଙ୍କୁ ଡାକିବାକୁ ଅପେକ୍ଷା ନ କରି ସେଠାରେ ପହଞ୍ଚି ଯାଆନ୍ତି । ଆଜି ପର୍ଯ୍ୟନ୍ତ ସେ ୧୬୪ ଶବ ଦାହ କରିଥିବା କହିଛନ୍ତି । ସେ ଏହା ଜାଣିବା ପାଇଁ ଗୋଟିଏ ଖାତାରେ ଏହାର ତାଲିକା ରଖିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି କାଯ୍ୟ ପାଇଁ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରୋତ୍ସାହନ ଯୋଗାଇଥାଆନ୍ତି । ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଗାଁର କିଛି ପିଲାଙ୍କୁ ଟିୟୁସନ କରିଥାଆନ୍ତି । ନିଜର ଅଵସ୍ଥା ସ୍ୱଚ୍ଛଳ ନଥିଲେ ମଧ୍ୟ ସେ ଅନ୍ୟର ସେବା କରିବାରେ କେବେବି ପଛାଇନାହାନ୍ତି । ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ମଧ୍ୟ ରୋଜଗାର କରିବା ପାଇଁ ବାହାର ରାଜ୍ୟରେ ରହୁଥିବା ବେଳେ ପତ୍ନୀଙ୍କ ସହ ଗାଁରେ ଦୁଃଖ କଷ୍ଟରେ ବାସ କରୁଛନ୍ତି । ଏପରିକି ରହିବାକୁ ଭଲ ଘରଟିଏ ମଧ୍ୟ ନାହିଁ । ସରକାରଙ୍କ ତରଫରୁ ଆବାସ ଟିଏ ପାଇଁ ସେ ଚାହିଁ ବସିଛନ୍ତି । ସେ ଅନ୍ୟ ମାନଙ୍କ ସେବା କରୁଥିବାରୁ ଭଗବାନ ନିର୍ଚୟ ତାଙ୍କ ଗୁହାରି ଶୁଣିବେ ବୋଲି ସେ ଆଶାପୋଷଣ କରିଛନ୍ତି । ଅସହାୟର ବନ୍ଧୁ ଉମା ଚରଣଙ୍କ କାର୍ଯ୍ୟକଳାପକୁ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଉଛି । ଏବେ ସେ ବାତ ରୋଗରେ ପୀଡ଼ିତ ହୋଇଛନ୍ତି । ଫଳରେ ଚଲା ବୁଲାରେ ସାମାନ୍ୟ ଅସୁବିଧା ହେଉଛି ତଥାପି ସେ ନିଜ କାର୍ଯ୍ୟରେ କେବେ ଅବହେଳା କରି ନାହାନ୍ତି । ଜୀବନ ଥିଲା ଯାଏଁ ସେ ଏହି କାର୍ଯ୍ୟ ଚାଲୁ ରଖିବେ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ : ନିଲୁ ବିଷୋୟୀ