

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ନିଜର ସେବାକାର୍ଯ୍ୟ ଜାରି ରଖିଛନ୍ତି । ଆଜିକୁ ୫୮ଜଣ ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରି ସେମାନଙ୍କୁ ନୂତନ ବସ୍ତ୍ର ଏବଂ ଖାଦ୍ୟ ପ୍ରଦାନ କରି ସେବା କରୁଥିବା ବେଳେ ଆଜି ଏକ ନୂତନ ଧରଣର ସେବା କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଜନୈକ ଅସହାୟ ଏବଂ ରୋଗୀଣା ତଥା ଆଖିକୁ ଦେଖାଯାଉନଥିବା ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କୁ ଆଜି ଟିମ କ୍ଲିନ ସିଟି ସଦସ୍ୟମାନେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ସୂଚନାଯୋଗ୍ୟ, ଗାନ୍ଧିନଗର ସପ୍ତମ ଗଳିରେ ରହୁଥିବା ବୃଦ୍ଧା କେ.ଜଗଦୀଶ୍ଵରୀ ଏବଂ ତାଙ୍କ ବଡ଼ଭାଇ କେ.ମହାଦେବଙ୍କ ଆତ୍ମୀୟ ସ୍ୱଜନ କେହି ନଥିବା ବେଳେ ସେମାନେ ଅତି ଅସହାୟ ଅବସ୍ଥାରେ ଥିଲେ । ସାହିପଡିଶାଙ୍କ ଠାରୁ ଖାଇବାକୁ ପାଇ କୌଣସିମତେ ଜୀବିତ ଥିଲେ । କିନ୍ତୁ ତାଙ୍କ ଭାଇ କେ.ମହାଦେବ ଦୀର୍ଘଦିନ ହେବ ରୋଗରେ ପୀଡିତ ହୋଇ ଶେଯରୁ ଉଠିପାରୁନଥିଲେ । ଏପଟେ ଭଉଣୀ ମଧ୍ୟ ରୋଗଗ୍ରସ୍ତ ହୋଇ ଭାଇର ସେବା କରିପାରୁ ନ ଥିଲା । ଉଭୟେ ଭାଇଭଉଣୀ ଏଭଳି ଦୟନୀୟ ଅବସ୍ଥାରେ ଥିବା ଜାଣି ଟିମ କ୍ଲିନ ସିଟିର ସଦସ୍ୟ ଅଞ୍ଜଳି ମାହାନ୍ତି ଓ ସନ୍ତୋଷିନୀ ବେହେରା ପହଞ୍ଚି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଅତି ଶୋଚନୀୟ ଥିବା ଦେଖି ଅନ୍ୟ ସଦସ୍ୟମାନଙ୍କୁ ଖବର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଜି ଟିମ କ୍ଲିନ ସିଟିର ବରିଷ୍ଠ ସଦସ୍ୟ ଶକ୍ତିଧର ରାଜଗୁରୁଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ଡାକ୍ତର ତଥା ସଦସ୍ୟ ଡାକ୍ତର କେ.ଟି.ସବୁଦ୍ଧି ଏବଂ ଟିମର ଅନ୍ୟ ସଦସ୍ୟଙ୍କୁ ସାଙ୍ଗରେ ଧରି ସେଠାରେ ପହଂଚି ପ୍ରଥମେ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ । ଉଦ୍ଧାର କାର୍ଯ୍ୟରେ ଟିମର ସଦସ୍ୟ ରାଜେଶ ସାହୁ, ମୁନା ପାଣିଗ୍ରାହୀ, ଅସିତ କୁମାର ସାବତ, ସୂର୍ଯ୍ୟ ନାରାୟଣ ଚୌଧୁରୀ, ଅମ୍ବୁଜ ସାହୁ, ଦୀନେଶ ପଟ୍ଟନାୟକ, ଅଭୟ କୁମାର ରଥ, ନାଗେଶ୍ୱର ପୃଷ୍ଟି, ଦେବୀ ପ୍ରସାଦ ଶତପଥି, ରାମଚନ୍ଦ୍ର ପଣ୍ଡା, ସସ୍ମିତା ପ୍ରଧାନ, ପ୍ରବାସୀ ଭାରତୀୟ ଆୟେଶା ମିଶ୍ର ପ୍ରମୁଖ ସେବା କରିଥିଲେ । ଟିମ କ୍ଲିନ ସିଟିର ଏଭଳି ସମାଜସେବା ଆଗକୁ ମଧ୍ୟ ଜାରୀ ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
