ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ରାଜ୍ୟ ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତ ସପ୍ତାହରେ ପଦୋନ୍ନତି ପାଇଥିବା କେତେକ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ୨୦୦୪ ବ୍ୟାଚ୍ ଆଇଏଏସ ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇ ଥିବାବେଳେ ସେହି ବ୍ୟାଚର ଆଇଏଏସ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ୨୦୦୯ ଆଇଏଏସ୍ ଭି ଜୟ କୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଏନ ତିରୁମାଳା ନାଏକଙ୍କୁ ଶ୍ରମ କମିଶନର ଭାବେ ଓ ୨୦୧୫ ବ୍ୟାଚ୍ ଆଇଏଏସ୍ ଆ ବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେ ମଧ୍ୟ ରାଉରକେଲା ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି ।