ଆଇଜରର ଅସ୍ଥାୟୀ କ୍ୟାମ୍ପସର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ବୈଠକ:ପିଲାଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତା ବ୍ୟବସ୍ଥା ତୁରନ୍ତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଆଇଜର(ଇଣ୍ଡିଆନ ଇନଷ୍ଟିଟ୍ୟୁ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସୋର୍ଚ) କନିସି ଠାରେ ନିର୍ମାଣ ହେବାକୁ ଥିବା ନିଜସ୍ୱ କୋଠାର ଭିତ୍ତିଭୂମି ଏବଂ ବ୍ରହ୍ମପୁର ଆଇଟିଆଇ ପରିସରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କନିସି ଠାରେ ୨୦୦ ଏକର ଜମିରେ ବ୍ରହ୍ମପୁର ଆଇଜରର ସ୍ଥାୟୀ କୋଠା ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ସଂକ୍ରାନ୍ତରେ ତୃତୀୟ ବ୍ୟକ୍ତି ଯାହାଙ୍କ ପାଖରେ ବାଜି ଲଗା ଅର୍ଥ ଜମା ସ୍ୱରୂପ ରଖାଯାଏ(ଷ୍ଟେକ ହୋଲଡ଼ର)ଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । କୋଠାର ନିର୍ମାଣଧୀନ କାର୍ଯ୍ୟର ପର୍ଯ୍ୟାୟ କ୍ରମେ ଅନୁଦାନ ପାସ କରାଯିବ । ଆସନ୍ତା ୨ ବର୍ଷ ମଧ୍ୟରେ କୋଠାର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ, ପାନୀୟଜଳ, ଆପ୍ରୋଚ ରୋଡ ସହ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିଲା । ବ୍ରହ୍ମପୁର ଆଇଟିଆଇ ପରିସରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ ୨୦୧୬ ମସିହା ଠାରୁ କାର୍ଯ୍ୟକାରୀ ହୋଇଛି । ଏହି କ୍ୟାମ୍ପସ ପରିଚାଳନାକୁ ନେଇ ରହୁଥିବା କେତକ ସମସ୍ୟାକୁ ନେଇ ଆଇଜର ନିର୍ଦ୍ଦେଶକ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଇଟିଆଇ ପରିସରରେ ହସ୍ତାନ୍ତର ହୋଇଥିବା କୋଠାର ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ଆଇଜରର ଅସ୍ଥାୟୀ କ୍ୟାମ୍ପସ ଚାଲିଛି । ୨୫୦ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀଙ୍କ ସମେତ ୪୦୦ ଜଣ ପାଇଁ ଆବଶ୍ୟକ ଅନୁସାରେ ଜାଗା, ପାନୀୟ ଜଳର ବ୍ୟବସ୍ଥା ହୋଇ ପାରୁନାହିଁ . ଦୈନିକ ୨୫ ହଜାର ଲିଟର ଜଳର ଆବଶ୍ୟକ ରହୁଛି । ଜନସ୍ୱାସ୍ଥ୍ୟ ବିଭାଗ ଯେତେ ପରିମାଣର ଜଳ ଯୋଗାଣ କରୁଛନ୍ତି ବାକି ଜଳକୁ ବାହାରୁ କିଣିବାକୁ ପଡୁଛି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ବିଭିନ୍ନ ଲେବ୍ରୋଟାରୀ କାର୍ଯ୍ୟ ଚାଲିଛି । ଏଥିପାଇଁ ଜାଗା କମ ପଡୁଛି । ଏଣୁ କୋଠାର ପ୍ରଥମ ଫ୍ଲୋର ଏବଂ ଗ୍ରାଉଣ୍ଡ ଫ୍ଲୋର ଆବଶ୍ୟକ ପଡୁଛି । ଏନେଇ ଓଡିଶା ମୁଖ୍ୟ ଶାସନ ସଚିବ କୋଠାର ପ୍ରଥମ ଏବଂ ଚଟାଣ ଫ୍ଲୋରକୁ ଆଇଜରକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଇଟିଆଇର ଏହି ଦୁଇଟି ଗୃହରେ ରହିଥିବା ସମସ୍ତ ସାମଗ୍ରୀ ନେବା ଆଣିବା କରିବା ବାବଦରେ ଆଇଜର ୬୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତି ମଧ୍ୟ କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଉକ୍ତ ଗୃହ ଗୁଡିକୁ ହସ୍ତାନ୍ତର କରାଯାଉନାହିଁ ବୋଲି ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି.ଚାରି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଅନ୍ୟପକ୍ଷରେ ଆଇଟିଆଇ ପ୍ରିନ୍ସପାଲ ଆଇଜର ଯେତେ ପ୍ରକାର ବୈଜ୍ଞାନିକ ଶୈଳୀରେ କାର୍ଯ୍ୟ କରୁଛନ୍ତି । ପରିସରରେ ଆଇଜରର ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇର ଛାତ୍ରଛାତ୍ରୀ ମଧ୍ୟ ତାଲିମ ଗ୍ରହଣ କରୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ହସ୍ତକ୍ଷେପ କରି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନି ନିରାପତା ବ୍ୟବସ୍ଥା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା