ଆଇନଜୀବୀଙ୍କ ସମସ୍ୟା ଶୀଘ୍ର ସମାଧାନ କର, ନହେଲେ ପରିଣତି ଭୋଗିବ : କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହାଇକୋର୍ଟ ବାର ଆସୋସିଏସନ ରେ ପାଖାପାଖି ୨ ମାସ ଧରି ଚାଲିଥିବା ଆଇନଜୀବୀ ଆନ୍ଦୋଳନ ବର୍ତ୍ତମାନ ମହାମାରୀ ର ରୂପ ନେଲାଣି । ରାଜ୍ୟ ସାରା ଅରାଜକତା ଦେଖାଦେଲାଣି । ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ମିଡ଼ିଆ ସେଲ ଅଧକ୍ଷ ସତ୍ୟପ୍ରକାଶ ପ୍ରକାଶ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ତାରାପ୍ରସାଦ ବାହିନୀପତି । ରାଜ୍ୟର ବିଚାର ବିଭାଗର ଏହି ଅବସ୍ଥା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯିଏକି ଘରୋଇ ବିଭାଗର ଦାୟିତ୍ୱରେ ଅଛନ୍ତି ସିଏ ମୁଖ୍ୟତଃ ଦାୟୀ । ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ ଗୃହ ବିଭାଗ ଏବଂ ଆଇନ୍ ବିଭାଗ କାର୍ଯ୍ୟ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଘୋର ନିନ୍ଦା କରୁଛି ସରକାର ଙ୍କ ସ୍ଥାଣୁତା ତଥା ଅପାରଗତା ପାଇଁ ଏହି ଆନ୍ଦୋଳନ ତୀବ୍ର ରୂପ ନେଲାଣି । ଆଇନଜୀବୀ ଗୋଷ୍ଠି ଗୋଷ୍ଠି ହୋଇ ବିଭାଜିତ ହୋଇସାରିଲେଣି । ଯାହାର ଫଳ ସ୍ୱରୂପ ହଜାର ହଜାର ଲୋକ ଜାମିନ ନପାଇ ଜେଲର ଚାରି କାଁଥ ଭିତରେ ସଢ଼ୁଛନ୍ତି । ଯଦି ଏହି ଘଟଣାର ସମାଧାନ ଆସନ୍ତା ୨ ତାରିଖ ଭିତରେ କରାନଯାଏ, ତେବେ ଦଳ ରାଜରାସ୍ତାକୁ ଓଲ୍ହାଇବ ବୋଲି କହିଛି କଂଗ୍ରେସ ।ସୂଚନାଯୋଗ୍ୟ ଓକିଲଙ୍କୁ ମାଡ ମାରିବା ଘଟଣାରେ ଦୀର୍ଘ ୨ ମାସ ଧରି ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ତେବେ ଗତ ଶନିବାର ବସିଥିବା ହାଇକୋର୍ଟ ବାର ଆସୋସିଏସନ୍‌ ବୈଠକରେ ଆନ୍ଦୋଳନରୁ ଓହରିବାକୁ ବିଜେଡ଼ି ଲିଗାଲ୍‌ ସେଲ ନିଷ୍ପତି ନେଇଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନକୁ ରାଜନୀତିକରଣ କରାଯାଉଥିବା ସହ ଆନ୍ଦୋଳନ ଫଳରେ ଆଇନଜୀବୀମାନେ ହଇରାଣ ହେବା ସହ ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଦର୍ଶାଇ ବିଜେଡ଼ି ଲିଗାଲ ସେଲ୍‌ ଆନ୍ଦୋଳନରୁ ଓହରି ଯାଇଥିଲା । କିନ୍ତୁ ଆଜି ସେମାନେ ଜୋର ଜବରଦସ୍ତ କୋର୍ଟ ରେ ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ବାର ଆସୋସିଏସନ ସଦସ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କମିଶନରେଟ ପୋଲିସ ମଧ୍ୟ ଏହି ଘଟଣାରେ ୪ଟି ଏତଲା କରିଥିବା ବେଳେ ବିଜେଡି ସମର୍ଥିତ ଜଣେ ଯୁବକକୁ କୋର୍ଟ ପରିସରରେ ଗଣ୍ଡଗୋଳ କରୁଥିବା ବେଳେ ଅଟକରଖି ପଚରାଉଚରା କରୁଛି ।

ରିପୋର୍ଟ : ଆକାଶ ମିଶ୍ର