ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳା ସହ ଭୋଟରମାନେ ନିର୍ଭୟରେ ଭୋଟ ପ୍ରଦାନ କରିପାରିବେ ସେଥି ନିମନ୍ତେ ଗଞ୍ଜାମ ପୋଲିସ ଜିଲ୍ଲାର ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ସ୍ଥାନୀୟ ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟତଃ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଥାନା ଅଂଚଳର ଦାଗିି ଅପରାଧୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଜେଲରୁ ଆସିଥିବା ଅପରାଧୀମାନଙ୍କ ତାଲିକା ପ୍ରସ୍ତୁତ କରିବା ସହ ଯେଉଁ ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥାଇ ଫେରାର ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଏସପି ରାଏ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧର ସ୍ଥିତି କ’ଣ ଅଛି, ସେ ନେଇ ସମସ୍ତ ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନା ଅଧିନସ୍ଥ ବୁଥ୍ ୱାଇଜ୍ ସର୍ଭେ କରି ବୁଥ୍ ଗୁଡିକରେ ଆନୁଷ୍ଠାନିକ ସୁବିଧା ଅଛି କି ନାହିଁ ତାହା ପଚାରି ବୁଝିଥିଲେ । ଏହି ପରିପ୍ରେକ୍ଷୀରେ ଥାନା ଅଧିକାରୀମାନେ ସେମାନଙ୍କ ଥାନା ଅଂଚଳରେ ରହିଥିବା ବୁଥ୍ ଗୁଡିକର ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଥାନା ଗୁଡିକରେ ସମସ୍ତ ପୁରୁଣା ମାମଲା ଏବଂ ନୂତନ ମାମଲାଗୁଡ଼ିକର ଅନୁସନ୍ଧାନର ଦିଗ କ’ଣ ରହିଛି ପଚାରି ବୁଝିଥିଲେ । ଗଞ୍ଜାମ ପୋଲିସ ଜିଲ୍ଲା ଥାନାର ସମସ୍ତ ୱାରେଂଟି ଗିରଫ, ଗ୍ରାମଗୁଡ଼ିକରେ ପାକ ନିର୍ବାଚନୀ ହିଂସା, ଗଣ୍ଡଗୋଳ ଉପରେ ତିକ୍ଷ୍ନ ନଜର ରଖିବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଓ ଶିଶୁମାନଙ୍କୁ ନେଇ ସଂଗଠିତ ହିଂସା ମାମଲାଗୁଡ଼ିକର ତୁରନ୍ତ ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ ନେଇ ସହନଶୀଳତା ନ ହେବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ରୋକିବା ଉପରେ ଗୁରୁତ୍ୱ ଦେବା ଦୁର୍ଘଟଣାରେ ମୃତ୍ୟୁହାର କମାଇବା ଉପରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଭ୍ୟର୍ଥନା କକ୍ଷ ଆମ ପୋଲିସ ସମିତି ବୈଠକ, ସ୍ୱୟଂସିଦ୍ଧା, ବରିଷ୍ଠ ନାଗରିକଙ୍କୁ ସୁରକ୍ଷା, ବିନା ଲାଇସେନ୍ସରେ ଯାଉଥିବା ଦାଦନ ଶ୍ରମିକଙ୍କୁ ଥାନା ଅଂଚଳର ରେଳଷ୍ଟେସନ, ବସଷ୍ଟାଣ୍ଡଗୁଡ଼ିକ ଯାଂଚ କରି ଏହାର ରିପୋର୍ଟ ପ୍ରଦାନ କରିବା ନିମନ୍ତେ କୁହାଯାଇଛି । ରେଡ଼ଫ୍ଲାଗ କେସର ଅଗ୍ରଗତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବେଆଇନ ମଦ କାରବାର ଉପରେ ନିୟମିତ ଚଢ଼ାଉ କରାଯାଇ ଅପରାଧୀମାନଙ୍କୁ ଗିରଫ କରିବାକୁ କୁହାଯାଇଛି । ଗାଁ ଗହଳିରେ ହେଉଥିବା ଅନ୍ଧବିଶ୍ୱାସ ହିଂସାକୁ ରୋକିବା, ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା, ନକଲି ଜାତିଗତ ପ୍ରମାଣଧାରୀ ମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଅନ୍ୟାନ୍ୟ ମାମଲା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଗଂଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଅମରେଶ କୁମାର ପଣ୍ଡା, ସୀତାରାମ ଶତପଥୀ, ଡିଏସପି ଏସ୍.ପ୍ରଧାନ, ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ, ପୁରୁଷୋତମପୁର ଏସଡିପିଓ ନିମାଇଁ ସେଠୀ, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଭଂଜନଗର ଏସଡିପିଓ ଶୁଭ୍ରାଶୁଂ ମିଶ୍ର, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜିତେନ୍ଦ୍ର କୁମାର ଦେହୁରୀ, ପୋଲିସ ରିଜର୍ଭ ଇନିସପେକ୍ଟର ସୁବଳ କୁମାର ସୋରେନଙ୍କ ସମେତ ସମସ୍ତ ଥାନାଧିକାରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା