ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟ:ମାଓବାଦୀ ସୀମାନ୍ତ ଅଞ୍ଚଳ ପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହାକୁ ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ କରାଯାଇଛି । ଆସିକା ଲୋକସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟାନଗର, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି, ପୋଲସରା, ଖଲ୍ଲିକୋଟ ବିଧାନସଭା ଆସନ, କନ୍ଧମାଳ ଲୋକସଭା ଆସନ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଯାଇଛି । ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସମ୍ମିଳନୀରେ ସୂଚନା ଦେଇଛନ୍ତି । ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେକ ବୁଥରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟି ଦେଖା ଦେଇଥିଲା । ଏହା କିଭଳି ପୁନର୍ବାର ନ ହେବ ସେଥିପ୍ରତି ଶତ ପ୍ରତିଶତ ଗୁରୁତ୍ୱ ଦିଆଯାଇଛି । ସମସ୍ତ ଇଭିଏମ ଯାଞ୍ଚ କରାଯିବ । ତ୍ରୁଟି ଦେଖାଦେଲେ ତାହାକୁ ତୁରନ୍ତ ବଦଳାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ୧୯୪୬ ବୁଥରେ ଭୋଟ ଗ୍ରହଣ ହେବ । ୧୭ ଲକ୍ଷ ୬୯ ହଜାର ୬୪ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଆସିକା ଲୋକସଭା ଏବଂ ଏହାର ଅଧୀନ ୭ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମାଓବାଦୀ ସମ୍ଭାବନା ଅଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳ ପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଉକ୍ତ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ନଜର ରଖାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ କହିଛନ୍ତି । ଜିଲ୍ଲାର ସୋରଡ଼ା ଓ ଭଞ୍ଜନଗରର ୨୮ଟି ମାଓବାଦୀ ସମ୍ଭାବନା ସ୍ଥାନରେ ଏସଓଜି ଯବାନଙ୍କୁ ମୁତୟନ କରାଯାଇଛି । ତେବେ ପୂର୍ବରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ଥିଲା । ମାତ୍ର ଏବେ ସେଠାରେ ସେମାନଙ୍କର କୌଣସି ଗତିବିଧି ନ ଥିବା ଏସପି ରାଏ ସ୍ପଷ୍ଟ କରିଛନ୍ତି । ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ଏସପି ସୂଚନା ଦେଇଥିଲେ । କରସିଂ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ପାଟପୁର, ତପ୍ତପାଣି, ଗାଜଲବାଡ଼ିର ସୀମାନ୍ତରେ ତନଖି କରାଯାଉଛି । ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ନୟାଗଡ, ଗଜପତି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ରହିଛି । ମୋବାଇଲ ଫୋନ କାମ କରୁ ନ ଥିବା ସ୍ଥାନରେ ଯୋଗାଯୋଗ ସୁବିଧା ପାଇଁ ୮ଟି ସେଟେଲାଇଟ ଫୋନ ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି । ନିର୍ବାଚନ ପରୀପ୍ରେକ୍ଷୀରେ ୨୪ ଫ୍ଲାଇଙ୍ଗ ସ୍କ୍ୱାର୍ଡ, ୧୧୮ ମୋବାଇଲ ପାର୍ଟି, ୨୦ ସୁପରଭାଇଜିଂ ଅଫିସର, ୩ ଜୋନାଲ ଅଫିସର, ୧୮ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ଏବଂ ୭ଟି ଚେକ ପୋଷ୍ଟରେ ଫୋର୍ସ ମୁତୟନ ରହିବେ । ୩ ହଜାର ପୋଲିସ କର୍ମଚାରୀ ଏହି ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏସପି ସୂଚନା ଦେଇଛନ୍ତି । ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ୧୯୪୬ ବୁଥ ମଧ୍ୟରୁ ୩୪୮ ବୁଥ ସମ୍ବେଦନଶୀଳ । ଏଥିପାଇଁ କେନ୍ଦ୍ରୀୟ ଫୋର୍ସର ୩୨୪ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ୨୧୩ ବୁଥର ୱେବକାଷ୍ଟିଙ୍ଗ, ୨୧ ବୁଥରେ ସିସି କ୍ୟାମେରା, ୧୦୭ ପାଇଁ ମାଇକ୍ରୋ ଅବଜରଭର, ୩୫ ବୁଥରେ ଭିଡିଓଗ୍ରାଫି ଓ ୨୪ ବୁଥରେ ଷ୍ଟିଲ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ୮ଟି ଫିଙ୍କ ବୁଥ ଓ ୮୦ଟି ମଡେଲ ବୁଥ କରାଯାଇଛି । ୩୨୧୫୯ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ଦୃଷ୍ଟି ବାଧିତଙ୍କ ପାଇଁ ୧୦୬୦ ବ୍ରେଲି ବାଲଟ ପେପର ବୁଥରେ ରହିବ । ଦିବ୍ୟାଙ୍ଗମାନଙ୍କୁ ବୁଥକୁ ନେବା ଆଣିବା ପାଇଁ ୫୬୫ ଗାଡି ଓ ୩୮୯୨ ସ୍ୱେଚ୍ଛାକର୍ମୀଙ୍କ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ଚିକିଟି ତହସିଲଦାର ଶକ୍ତି ଶ୍ରୀଚନ୍ଦନ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା