ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ଲାଗି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଉତ୍ତର-ପୂର୍ବ ବିଦର୍ଭ ଅଞ୍ଚଳରେ ସୃଷ୍ଟି ସାଇକ୍ଲୋନିକ ସାର୍କୁଲେସନ, ମେଘାଳୟ ଓ ଛତିଶଗଡ଼ ଉପରେ ସୃଷ୍ଟି ଟ୍ରଫ ଲାଇନ ପ୍ରଭାବରେ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣିଂ ଓ କେତେକ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଉପକୂଳ ଜିଲ୍ଲା, କେନ୍ଦୁଝର, ମୟୁରଭଞ୍ଜ, ରାୟଗଡ଼ା, ପୁରୀ, ଗଜପତି, କୋରାପୁଟ ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ପରବର୍ତ୍ତୀ ଦୁଇ ଦିନରେ ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂପୁର, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବା ସହ ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପରବର୍ତ୍ତୀ ଦୁଇଦିନରେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଓ କେତେକ ଜିଲ୍ଲାରେ ବର୍ଷା, ବଜ୍ରପାତ ଓ ୫୦ରୁ୬୦ କିମି ବେଗରେ ପବନ ବୋହିପାରେ । ୩୦ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାଯାଇଛି । ଆଜି ବିଶାଖାପାଟଣା, ଶ୍ରୀକାକୁଲମ, ବିଜୟାନଗରମରେ ମଧ୍ୟ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି ବୋଲି ଆମ ପ୍ରତିନିଧି ମାନେ ଜଣାଇଛନ୍ତି । ଘଡଘଡି ଯୋଗୁଁ ଏହି ଅଞ୍ଚଳ ମାନଙ୍କରେ ଧନ ଜୀବନ ନଷ୍ଟ ହୋଇଥିବା ଖବର ମିଳିଛି । ସଦ୍ୟ ଖବର ଅନୁଯାୟୀ ଶ୍ରୀକାକୁଲମ ଜିଲ୍ଲା ହୁଶେନପୁରମ ପଞ୍ଚାୟତରେ ବଜ୍ରପାତ ପଡି ବିଲରେ ଥିବା ୩୨ଟି ଛେଳି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଭାରତ ବର୍ଷ ଓ ଓଡ଼ିଶା ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବା ସ୍ପଷ୍ଟ ଜଣାପଡୁଛି । ଆଉ ଏକ ବିପଦ ଓଡ଼ିଶା ଉପରକୁ ଆସୁଛି ବୋଲି ଗୁଜବ ସୃଷ୍ଟି ହେଉଛି । ଆସନ୍ତା ମାସରେ ଓଡିଶା ପାଇଁ ବାତ୍ୟାର ଭୟ ରହିଛି ବୋଲି କିଛି ଜ୍ୟୋତିଷ ବିଶାରଦ କହୁଛନ୍ତି । ଚଳିତ ବର୍ଷ ମେ’ ମାସରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଉଲ୍ଲେଖ ଯୋଗ୍ୟ ଯେ ଗତ ବର୍ଷ ମେ’ ୩ରେ ‘ଫଣୀ’ ନାମକ ଏକ ଭୟଙ୍କର ବାତ୍ୟା ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଥିଲା । ‘ଫଣି’ ପରି ଆଉ ଏକ ଭୟଙ୍କର ବାତ୍ୟା ଆସନ୍ତା ମାସରେ ହୋଇପାରେ ବୋଲି କୁହାଯାଉଛି । ମେ’ ୧ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ପୁର୍ନେର ଭାରତୀୟ ଟ୍ରାପିକାଲ ମେଟ୍ରୋଲିଜି ସଂସ୍ଥା (ଆଇଆଇଟିଏମ) ଏବଂ ଆମେରିକାର ଗୋବାଲ ଫୋରକାଷ୍ଟ ସିଷ୍ଟମର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ୍ ଭାରତୀୟ ଉପକୂଳ ଆଡ଼କୁ ମୁହାଁଇ ମିଆଁମାର ଓ ବାଂଲାଦେଶ ସୀମା ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ପୂର୍ବାନୁମାନରୁ ଜଣାପଡିଛି ଯେ, ଏହି ସାଇକ୍ଲୋନିକ ସିଷ୍ଟମ ମିଆଁମାର-ବାଂଲାଦେଶରେ ପାଖାପାଖି ମେ’ ୪-୫ ଆଡ଼କୁ ଲ୍ୟାଣ୍ଡଫଲ କରିପାରେ । ଆଇଆଇଟିଏମ ପୁର୍ନେର ପୂର୍ବାନୁମାନ ଅନୁଯାୟୀ, ମେ’ ମାସ ୧ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ୪୦ ପ୍ରତିଶତ ସମ୍ଭାବନା ରହିଛି । ଏହା ଧୀରେ ଧୀରେ ମିଆଁମାର–ବାଂଲାଦେଶ ସୀମା ଆଡକୁ ଗତି କରିପାରେ । ତେବେ ଏହାର ଗତି ବଦଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ସେହିପରି, ଆମେରିକାର ନେସନାଲ ଓସିଏନିକ ଆଣ୍ଡ ଆଟମୋସ୍ଫେରିକ ସାଇନ୍ସ (ଏନଓଏଏ) ଗୋବାଲ ଫୋରକାଷ୍ଟ ସିଷ୍ଟମର ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ୍ ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାପରେ ମେ’ ମାସ ୧ ତାରିଖରେ ଏହି ସାଇକ୍ଲୋନିକ୍ ସିଷ୍ଟମ୍ ଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ । ଯେହେତୁ ଗୋବାଲ ଫୋରକାଷ୍ଟ ସିଷ୍ଟମ ଅନୁଯାୟୀ ସାଇକ୍ଲୋନ୍ ସବୁବେଳେ ଉତ୍ତର ଦିଗକୁ ଗତି କରିଥାଏ, ତେଣୁ ଏହି ସାଇକ୍ଲୋନିକ୍ ସିଷ୍ଟମଟି ମେ ୨ରେ ଆଣ୍ଡାମାନ ଓ ନିକୋବର ଅତିକ୍ରମ କରି ମିଆଁମାର ଆଡକୁ ଯିବ । ମେ’ ୩ ରେ ମିଆଁମାରରେ ଏହା ଲ୍ୟାଣ୍ଡଫଲ କରିପାରେ । ତଥାପି ଓଡିଶା ପାଇଁ ଆଶ୍ୱସ୍ତି ପୂର୍ଣ୍ଣ ଖବର ଏହା ଯେ, ଏହି ଲଘୁଚାପ ଡିପ୍ରେସନ୍ରେ ପରିଣତ ହେବା ପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶା ଉପରେ ଏତେ ମାତ୍ରାରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଶଙ୍କା କରାଯାଉଛି । ନେସନାଲ ଓସିଏନିକ ଆଣ୍ଡ ଆଟମୋସ୍ଫେରିକ ସାଇନ୍ସ (ଏନଓଏଏ) – ଗୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁଯାୟୀ, ଏହି ବାତ୍ୟାର ପ୍ରଭାବରେ ମେ’ ମାସ ୨ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର, ଯାଜପୁର, ଭଦ୍ରକ, ପୁରୀ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ଏକସୂତ୍ରରୁ ଖବର ମିଳିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା