
















ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଶ୍ୱକୁ ଆତଙ୍କିତ କରିଥିବା କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଯାଇଛି।ସେଥିପାଇଁ ସାରା ଓଡିଶା ଶୂନଶାନ ହୋଇଯାଇଛି । ରାଜ୍ୟରେ ଭୁବନେଶ୍ୱର ସମେତ କଟକ,ବାଲେଶ୍ୱର,ସମ୍ବଲପୁର, ବ୍ରହ୍ମପୁର,ପାରଳାଖେମୁଣ୍ଡି ,ପଦ୍ମପୁର ,ଟିଟିଲାଗଡ, ରାୟଗଡା,କୋରାପୁଟ ,ଜୟପୁର ଆଦି ସହର ଠାରୁ ଆରମ୍ଭ କରି ନିପଟ ଗାଁ ଗହଳି ପଲ୍ଲୀ ମାନଙ୍କରେ ସକାଳୁ ସକାଳୁ ଶୂନଶାନ ଦେଖିବାକୁ ମିଳିଛି । ଲୋକେ କେହି ବାହାରକୁ ବାହାରୁ ନ ଥିବା ଖବର ମିଳିଛି । ଯାତ୍ରୀବାହୀ ବସ ,ଗାଡି ମୋଟର ଅଟୋ ଏପରିକି କାଁଭାଁ ମୋଟର ସାଇକଲ ଯାତାୟାତ କରୁଥିବା ଦେଖିବାକୁ ମିଳୁନାହିଁ । ଅର୍ଥାତ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନକୁ ବିପୁଳ ଜନସମର୍ଥନ ମିଳିଛି । ଏହା ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଅର୍ଥାତ ରାତି ୯ ଟା ଯାଏଁ କେହି ବାହାରକୁ ବାହାରିବେ ନାହିଁ । ଏଭଳି ଶୂନଶାନ ପରିସ୍ଥିତି ସାର ଭାରତରେ ବିପୁଳ ଲୋକ ସମର୍ଥନରେ ଘଟିଛି । ଓଡ଼ିଶାରେ ସହରରୁ ଗାଁ ଯାଏଁ ସମସ୍ତ ଅଞ୍ଚଳରେ ଲୋକେ ଏଥିରେ ସାମିଲ ହୋଇଛନ୍ତି ଓ ବାହାରକୁ ନ ବାହାରି ଘରେ ରହିଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକ କାଁଭାଁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଯାଇଛି। ରାତି ୧୦ଟା ପରେ ଟ୍ରେନ୍ଗୁଡ଼ିକ ଚଳାଚଳ କରିବେ ବୋଲି ଖବରରୁ ଜଣାଯାଇଛି । ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି। ରାସ୍ତାଘାଟ, ଦୋକାନବଜାର, ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଗୁଡ଼ିକ ଶୂନଶାନ ହୋଇଯାଇଥିବା ଦେଖିବାକୁ ମିଳିଛି। ‘ଜନତା କର୍ଫ୍ୟୁ’ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆ ଯାଇଥିବାରୁ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ୍ ଷ୍ଟାଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ। ପୁଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଅନ୍ୟପକ୍ଷରେ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇ ଘରେ ରହି କରୋନା ସଂକ୍ରମଣକୁ ତଡ଼ିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ସହିତ ବିଭିନ୍ନ ପ୍ରକାରର ଜରୁରୀ ସେବାରେ ନିୟୋଜିତ ଥିବା ଅର୍ଥାତ ସାମ୍ବାଦିକ ଖବର କାଗଜ ଵାଲା , ପୋଲିସ ସ୍ୱାସ୍ଥ୍ୟସେବା କରୁଥିବା ଆଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସନ୍ଧ୍ୟା ୫ଟାରେ ଘରର ବାଲ୍କୋନି ଓ ଝରକା ନିକଟରେ ତାଳି ବଜାଇ କିମ୍ବା ଥାଳି ବଜାଇ କୃତଜ୍ଞତା ଜଣାଇବାକୁ କହିଛନ୍ତି। ଏଥିପାଇଁ ଏକ ସୁନ୍ଦର ମିଉଜିକ ମଧ୍ୟ ଭାଇରଲ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ଗତକାଲି ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନ୍ଦ ଘୋଷଣା କରାଯାଇଥିଲା। ଏଥିରେ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇ ବସ୍ ଚଳାଚଳ ବନ୍ଦ କରିବାକୁ ଘୋଷଣା କରି ଆଜି ବସ ଚଳାଚଳକୁ ସମ୍ପୂର୍ଣ ବନ୍ଦ କରାଯାଇଛି । ଓଡ଼ିଶା ଭଳି ଦେଶର ବିଭିନ୍ନ ପ୍ରମୁଖ ସହରଗୁଡ଼ିକ ମଧ୍ୟ ଶୂନ୍ଶାନ୍ ହୋଇଯାଇଛି। ଆନ୍ଧ୍ରପ୍ରଦେଶରେ ବିଶାଖାପାଟଣା ବିଜୟୱାଡା ରାଜମହେନ୍ଦ୍ରୀ ସମେତ ତେଲେଙ୍ଗାନାର ହାଇଦ୍ରାବାଦ ଭଳି ସହର ଶୂନଶାନ ଦେଖାଯାଉଛି । ଆମ ଛତ୍ରପୁର ବ୍ରହ୍ମପୁର ପ୍ରତନିଧିଙ୍କ ଖବର ପ୍ରକାରେ ଛତ୍ରପୁର ଓ ବ୍ରହ୍ମପୁର ସକାଳୁ ସମ୍ପୂର୍ଣ ଶୂନଶାନ ଦେଖାଯାଉଛି । ଗୋଟିଏ ବି ଲୋକ ବାହାରେ ଦେଖିବାକୁ ମିଳୁନି । ଦୋକାନ ବଜ଼ାର ସମ୍ପୂର୍ଣ ବନ୍ଦ ରହିଛି । ଆଜିଯାଏଁ ଏଭଳି ଶୂନଶାନ କେବେ ଦେଖିବାକୁ ମିଳି ନ ଥିଲା ବୋଲି ଆମ ପ୍ରତିନିଧି ମାନେ ଜଣାଇଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ ସମ୍ପୂର୍ଣ ସଫଳ ହୋଇଛି । ଭାଇରଲ ହୋଇଥିବା ଅଡିଓ ମ୍ୟୁଜିକକୁ ସମସ୍ତେ ସନ୍ଧ୍ୟାରେ ଶୁଣି ତାଳି ବଜାଇ ଖବରକାଗଜ ଵାଲା, ସ୍ୱାସ୍ଥ୍ୟସେବାଵାଲା ଆଦି ସାମାଜିକ ବ୍ୟକ୍ତିମାନଙ୍କୁ ଲୋକମାନେ କୃତଜ୍ଞତା ଜଣାଇବା ସହ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନକୁ ସତ ପ୍ରତିଶତ ସଫଳ କରିବା ନିଷ୍ପତି ନେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା (ବ୍ୟୁରୋ ନିଉଜ )