ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଲୋକସଭା ନିର୍ବାଚନ ତାରିଖ ଆଜି ସନ୍ଧ୍ୟା ୫ଟାରେ ଘୋଷଣା କରାଯିବ । ଏହାସହିତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯିବ । ଶାସନରେ ଥିବା ଦଳ ପାଇଁ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଏକ ବଡ ଘଟଣା । କାରଣ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ଦଳ ଭୋଟରଙ୍କୁ ଲୋଭ ଦେଖାଇ ପାରିବ ନାହିଁ । ଜାଣନ୍ତୁ କଣ ନିର୍ବାଚନୀ ଆଚାର ସଂଘିତା : ନିର୍ବାଚନୀ ଆଦର୍ଶ ଆଚରଣ ବିଧି ନିର୍ବାଚନ ଆୟୋଗ ତିଆରି କରିଥାନ୍ତି । ନିର୍ବାଚନ ଆୟୋଗ ତିଆରି କରିଥିବା ନିୟମ ସମସ୍ତ ଦଳ ଏବଂ ପ୍ରାର୍ଥୀଙ୍କୁ ପାଳନ କରିବାକୁ ହୋଇଥାଏ । ଏହି ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ନିୟମ ଉଲଂଘନ କଲେ ନିର୍ବାଚନ ଲଢ଼ିବା ରଦ୍ଦ କରାଯାଇପାରେ । ପ୍ରାର୍ଥୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଥାଏ । ଯାହାଫଳରେ ପ୍ରାର୍ଥୀଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ । ନିର୍ବାଚନ ବେଳେ କୌଣସି ମନ୍ତ୍ରୀ ସରକାରୀ ଗସ୍ତକୁ ନିର୍ବାଚନ ଉପଲକ୍ଷେ ବ୍ୟବହାର କରିପାରିବେ ନାହିଁ । ଏପରିକି ଶାସନରେ ଥିବା କୌଣସି ନେତା ସରକାରୀ ଗାଡି ଏବଂ ଭବନ ନିର୍ବାଚନ ପାଇଁ ବ୍ୟବହାର କରିପାରିବେ ନାହିଁ । କେନ୍ଦ୍ର ସରକାର ହୁଅନ୍ତୁ କି କୌଣସି ପ୍ରଦେଶ ସରକାର, କୌଣସି ପ୍ରକାର ଘୋଷଣା କରିପାରିବେ ନାହିଁ କି କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଲୋକାର୍ପଣ କରିପାରିବେ ନାହିଁ । କୌଣସି ସରକାରୀ ଦଳକୁ ବିଶେଷ ଲାଭ ମିଳିଲା ଭଳି ଖର୍ଚ୍ଚ ସରକାରୀ ପାଣ୍ଠିରୁ କରାଯିବ ନାହିଁ । ଏଥିରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥାନ୍ତି । ପ୍ରାର୍ଥୀଙ୍କୁ ରେଲିଂ କିମ୍ବା ଜନସଭା କରିବା ପାଇଁ ନିର୍ବାଚନ ଆୟୋଗ ଠାରୁ ଅନୁମତି ନେବାକୁ ପଡିଥାଏ । ଏନେଇ ନିକଟତର ଥାନାରେ ସୂଚନା ମଧ୍ୟ ଦେବାକୁ ପଡିଥାଏ । ଜନସଭା ପାଇଁ ନିର୍ଧାରିତ ସ୍ଥାନ ଏବଂ ସମୟ ସୂଚନା ପୋଲିସ ଅଧିକାରୀଙ୍କୁ ଦେବାକୁ ହୋଇଥାଏ । କୌଣସି ଦଳ ବା ପ୍ରାର୍ଥୀ ଏମିତି କୌଣସି କାମ କରିପାରିବେ ନାହିଁ ଯେଉଁଥି ପାଇଁ କୌଣସି ଜାତି, ଧର୍ମ, ଭାଷା କିମ୍ବା ସମ୍ପ୍ରଦାୟ ମଧ୍ୟରେ ମତଭେଦ ବା ଘୃଣା ଭାବ ସୃଷ୍ଟି ହେବ । ଭୋଟ ପାଇଁ ଲାଞ୍ଚ ଦେବା, ଭୋଟରଙ୍କୁ ହଇରାଣ ହରକତ କରିବା ପ୍ରାର୍ଥୀଙ୍କ ପାଇଁ ମାହାଙ୍ଗା ପଡିଥାଏ । ଏଭଳି କଲେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । କାହାର ଅନୁମତି ବିନା ନିର୍ବାଚନ ପାଇଁ ତାଙ୍କ ଜମି ବ୍ୟବହାର କରିପାରିବେ ନାହିଁ । ନିର୍ବାଚନ ଦିନ ଭୋଟ କେନ୍ଦ୍ର ଠାରୁ ୧୦୦ ମିଟର ଭିତରେ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ । ଏହାସହ ନିର୍ବାଚନ ଗୋଟିଏ ଦିନ ପୂର୍ବରୁ କୌଣସି ଦଳ ବା ପ୍ରାର୍ଥୀକୁ ବୈଠକ ବା ସଭା କରିପାରିବେ ନାହିଁ ।
ରିପୋର୍ଟ : ସୁଧାଂଶୁ ଶେଖର